33.1 C
Bhubaneswar
Wednesday, April 24, 2024
Homeଓଡିଶାଆଗକୁ +୨ ନାମଲେଖା: ପସନ୍ଦର କଲେଜ୍ ପାଇଁ ଚିନ୍ତାରେ ଛାତ୍ରଛାତ୍ରୀ

ଆଗକୁ +୨ ନାମଲେଖା: ପସନ୍ଦର କଲେଜ୍ ପାଇଁ ଚିନ୍ତାରେ ଛାତ୍ରଛାତ୍ରୀ

ଭୁବନେଶ୍ୱର: ଆଗକୁ +୨ର ବିଭିନ୍ନ ଷ୍ଟ୍ରିମ୍‌ରେ ନାମଲେଖା ପ୍ରକ୍ରିୟା ଆରମ୍ଭ ହେବ । ଗତ ୨ବର୍ଷ ହେବ କରୋନା ଲାଗି ଶିକ୍ଷାନୁଷ୍ଠାନରେ ଶ୍ରେଣୀ ପାଠପଢ଼ା ବନ୍ଦ ରହିଥିବା ବେଳେ ନୂଆ କରି କଲେଜ ଯିବାକୁ ବସିଥିବା ଛାତ୍ରଛତ୍ରୀଙ୍କ ମଧ୍ୟରେ ଚଳିତବର୍ଷର କଟ୍ ଅଫ୍ ମାର୍କକୁ ନେଇ ଆରମ୍ଭ ହୋଇଛି ଅଙ୍କକଷା । ଗତବର୍ଷର କଟ୍ ଅଫ୍ ମାର୍କକୁ ଗୁରୁତ୍ୱ ଦିଆଯାଉଥିବା ବେଳେ ଚଳିତବର୍ଷ ପାସ୍‌ହାର ମଧ୍ୟ ଅଧିକ ରହିଛି । ତେଣୁ ପିଲାମାନେ ନିଜ ପସନ୍ଦର କଲେଜରେ ପଢ଼ିବାର ସୁଯୋଗ ପାଇବେ କି ନାହିଁ ତା’କୁ ନେଇ ଚିନ୍ତାରେ ପଡ଼ିଛନ୍ତି । ତେବେ ରାଜ୍ୟରେ ମୋଟ୍ ୨୦୬୪ଟି ଜୁନିୟର କଲେଜ ରହିଛି । ସେଠାରେ କଳା, ବିଜ୍ଞାନ, ବାଣିଜ୍ୟ, ସଂସ୍କୃତ ଏବଂ ଧନ୍ଦାମୂଳକ ଶିକ୍ଷାରେ ମୋଟ୍ ୫ଲକ୍ଷ ୭ହଜାର ୬୫ଟି ସିଟ୍ ରହିଛି । ସେଥିରୁ କଳାରେ ୨ଲକ୍ଷ ୭୭ହଜାର ୨୧୮ଟି ସିଟ୍ ରହିଥିବା ବେଳେ ବିଜ୍ଞାନରେ ୧ଲକ୍ଷ ୬୧ହଜାର୬୮, ବାଣିଜ୍ୟରେ ୪୫ହଜାର ୨୬୮, ସଂସ୍କୃତରେ ୧୩୨୬୮ ଏବଂ ଧନ୍ଦାମୂଳକଶିକ୍ଷାରେ ୧୦୨୩୨ଟି ସିଟ୍ ରହିଛି । ଜିଲ୍ଲାୱାରୀ ରିପୋର୍ଟକୁ ଅନୁଧ୍ୟାନ କଲେ, ୧୦୦ରୁ ଅଧିକ କଲେଜ ଥିବା ଜିଲ୍ଲା ମଧ୍ୟରେ ବାଲେଶ୍ୱରରେ ୧୪୮ଟି କଲେଜରେ ୩୪,୭୨୪ଟି ସିଟ୍ ରହିଛି । ସେହିପରି କଟକରେ ୧୨୭ଟି କଲେଜରେ ୩୭୦୧୪ ସିଟ୍‌, ଗଞ୍ଜାମରେ ୧୩୦ଟି କଲେଜରେ ୪୨ହଜାର ୯୭ ସିଟ୍‌, ଯାଜପୁରରେ ୧୦୯ କଲେଜରେ ୨୭୬୫୫ସିଟ୍‌, ଖୋର୍ଦ୍ଧାରେ ୧୫୬ କଲେଜରେ ୪୧ହଜାର ୨୨୪ ସିଟ୍ ଏବଂ ମୟୂରଭଞ୍ଜରେ ୧୨୮ କଲେଜରେ ୨୮୯୩୦ ସିଟ୍ ରହିଛି । ସର୍ବନିମ୍ନ କଲେଜ ରହିଥିବା ଜିଲ୍ଲା ମଧ୍ୟରୁ ବୌଦ୍ଧର ୨୦କଲେଜରେ ୪୨୭୬ସିଟ୍ ରହିଥିବା ବେଳେ ଦେବଗଡ଼ର ୧୮ଟି କଲେଜରେ ୨୮୯୬ ଏବଂ ମାଲକାନଗିରି ଜିଲ୍ଲାର ୨୦ଟି କଲେଜରେ ୫୨୭୪ଟି ସିଟ୍ ରହିଛି । ବିଜ୍ଞାନରେ ୧୦ହଜାରରୁ ଅଧିକ ସିଟ୍ ଥିବା ଜିଲ୍ଲା ମଧ୍ୟରେ ବାଲେଶ୍ୱର ଜିଲ୍ଲାରେ ୧୧୬୦୪ ସିଟ୍ ରହିଥିବା ବେଳେ କଟକରେ ୧୨୯୯୨, ଗଞ୍ଜାମରେ ୧୬୦୩୨ସିଟ୍ ଏବଂ ଖୋର୍ଦ୍ଧାରେ ୧୯୨୦୦ସିଟ୍ ରହିଛି । ସେହିପରି କଳାରେ ବାଲେଶ୍ୱରେ ୧୭୯୪୪, ବରଗଡ଼ରେ ୧୦୪୦୦, ବଲାଙ୍ଗିରରେ ୧୦୮୪୮, କଟକରେ ୧୮୭୬୪, ଗଞ୍ଜାମରେ ୨୮୮୭୭, ଯାଜପୁରରେ ୧୫୨୪୩, କେନ୍ଦ୍ରାପଡ଼ାରେ ୧୦୪୭୨, କେନ୍ଦୁଝରରେ ୧୦୨୯୮, ଖୋର୍ଦ୍ଧାରେ ୧୬୦୪୪, ମୟୂରଭଞ୍ଜରେ ୧୦୯୦୪, ପୁରୀରେ ୧୨୮୯୬ ଏବଂ ସୁନ୍ଦରଗଡ଼ରେ ୧୧୭୩୨ଟି ସିଟ୍ ରହିଛି । ସେହିପରି ବାଣିଜ୍ୟରେ ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରେ ୪୪୪୮ ସିଟ୍ ରହିଥିବା ବେଳେ କଟକରେ ୪୦୨୬ ସିଟ୍ ଏବଂ ସର୍ବନିମ୍ନ ଭାବେ ବୌଦ୍ଧ ଏବଂ ଦେବଗଡ଼ ଜିଲ୍ଲାରେ ୬୪ଟି ଲେଖାଏଁ ସିଟ୍ ରହିଛି । ତେବେ ୨୦୨୨-୨୩ ଶିକ୍ଷାବର୍ଷରେ +୨ ନାମଲେଖା ଲାଗି ପ୍ରଥମ ପର୍ଯ୍ୟାୟ ମେଧା ତାଲିକା ଅଗଷ୍ଟ ୧୭ତାରିଖ ଅପରାହ୍ଣ ୩ଟାରେ ପ୍ରକାଶ ପାଇବ । ସେହିପରି ପ୍ରଥମ ପର୍ଯ୍ୟାୟ ନାମଲେଖା ଅଗଷ୍ଟ ୧୯ରୁ ଆରମ୍ଭ ହେଇ ୨୫ତାରିଖ ପର୍ଯ୍ୟନ୍ତ ଚାଲିବ । ପରେ ୨ୟ ପର୍ଯ୍ୟାୟ ମେଧା ତାଲିକା ସେପ୍ଟେମ୍ବର ୨ତାରିଖ ଅପରାହ୍ଣ ୩ଟାରେ ପ୍ରକାଶ ପାଇବ । ଏହି ନାମଲେଖା ପ୍ରକ୍ରିୟା ସେପ୍ଟେମ୍ବର ୫ରୁ ୭ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ୨ଟି ପର୍ଯ୍ୟାୟରେ ନାମଲେଖା ପ୍ରକ୍ରିୟା ଶେଷ ହେବା ପରେ ଯଦି କୌଣସି କଲେଜରେ କିଛି ଷ୍ଟ୍ରିମ୍‌ରେ ସିଟ୍ ବଳକା ପଡ଼େ ତେବେ ସେଥିରେ ସ୍ପଟ୍ ନାମଲେଖା ଲାଗି ମେଧା ତାଲିକା ସେପ୍ଟେମ୍ବର ୧୩ରେ ପ୍ରକାଶ ପାଇବ ନିଷ୍ପତ୍ତି ହୋଇଛି । ମୋଟ୍ ଉପରେ +୨ ସିଟ୍ ତୁଳନାରେ ଆବେଦନକାରୀଙ୍କ ସଂଖ୍ୟା ସାମାନ୍ୟ କମ୍ ରହିଥିବାରୁ ଚଳିତବର୍ଷ ଯଦିଓ ସିଟ୍ ସଂଖ୍ୟା ବୃଦ୍ଧିହେବ ନାହିଁ; ତଥାପି କେବଳ ବିଜ୍ଞାନରେ ସିଟ୍ କମ୍ ରହିଥିବାରୁ ଆବେଦନକାରୀଙ୍କ ସଂଖ୍ୟାକୁ ନଜର ଦେଇ ପରବର୍ତ୍ତୀ ସମୟରେ କେବଳ ବିଜ୍ଞାନ ଷ୍ଟ୍ରିମରେ କିଛି ଜିଲ୍ଲାର ନିର୍ଦ୍ଦିଷ୍ଟ କଲେଜରେ ଅସ୍ଥାୟୀ ଭାବେ ସିଟ୍ ବଢ଼ାଯିବ ବୋଲି ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking