40.1 C
Bhubaneswar
Thursday, April 25, 2024
Homeଓଡିଶା‘ମାତୃଜ୍ୟୋତି’ ଅଧୀନରେ ଜିଲ୍ଲାରେ ଗର୍ଭବତୀ ମା’ଙ୍କ ପାଇଁ ଆରମ୍ଭ ହେଲା ମାଗଣାରେ ଅଲଟ୍ରାସାଉଣ୍ଡ ପରୀକ୍ଷା

‘ମାତୃଜ୍ୟୋତି’ ଅଧୀନରେ ଜିଲ୍ଲାରେ ଗର୍ଭବତୀ ମା’ଙ୍କ ପାଇଁ ଆରମ୍ଭ ହେଲା ମାଗଣାରେ ଅଲଟ୍ରାସାଉଣ୍ଡ ପରୀକ୍ଷା

ସୁନ୍ଦରଗଡ଼, ୯ ନଭେମ୍ବର ୨୦୨୦: ସୁନ୍ଦରଗଡ଼ ଜିଲ୍ଲାରେ ‘ମାତୃଜ୍ୟୋତି’ କାର‌୍ୟ୍ୟକ୍ରମ ଅଧୀନରେ ଗର୍ଭବତୀ ମା’ମାନଙ୍କ ପାଇଁ ‘ଗର୍ଭାବସ୍ଥାରେ ଯତ୍ନ’ ବା ଏଏନସି ସେବା ଆଜିଠାରୁ ଆରମ୍ଭ ହୋଇଛି। ସୁନ୍ଦରଗଡ଼ ସଦର ବ୍ଲକର ଗର୍ଭବତୀ ମା’ମାନେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମେତ ତଥା ଅନୁବନ୍ଧିତ ବିଭିନ୍ନ ଘରୋଇ ଚିକିତ୍ସା କେନ୍ଦ୍ରରେ ଅଲଟ୍ରାସାଉଣ୍ଡ ପରୀକ୍ଷା କରିଛନ୍ତି। ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଥିବା ମାତୃ ଏବଂ ଶିଶୁ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଜିଲ୍ଲାପାଳ ଶ୍ରୀଯୁକ୍ତ ନିଖିଲ ପବନ କଲ୍ୟାଣ ସୋମବାର ଦିନ ବିଧିବଦ୍ଧ ଭାବରେ ଏହି ସେବାର ଶୁଭାରମ୍ଭ କରିଛନ୍ତି। କାର‌୍ୟ୍ୟକ୍ରମରେ ସିଡିଏମଓ ଡାକ୍ତର ସରୋଜ କୁମାର ମିଶ୍ର, ଏଡିଏମଓ ଡାକ୍ତର ପ୍ରଫୁଲ୍ଲ କୁମାର ନାୟକ, ଡାକ୍ତର ପୂର୍ଣ୍ଣଚନ୍ଦ୍ର ସାହୁ, ଡିଏସଡବ୍ଲ୍ୟୁଓ ଶ୍ରୀମତୀ ପ୍ରତିଭା ଦାସ, ଡିପିଏମ ଶ୍ରୀଯୁକ୍ତ ଦୀପକ କୁମାର ମହାନ୍ତି ଓ ସିଡିପିଓ ଶ୍ରୀମତୀ କାମିନୀ ଦ୍ୱିବେଦୀଙ୍କ ସମେତ ଜିଲ୍ଲାର ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ। ‘‘ଜିଲ୍ଲାରେ ମାତୃ ଓ ଶିଶୁ ମୃତ୍ୟୁହାର ନିୟନ୍ତ୍ରଣ କରିବାର ଲକ୍ଷ୍ୟ ନେଇ ପ୍ରଶାସନ ପକ୍ଷରୁ ‘ମାତୃଜ୍ୟୋତି’ କାର‌୍ୟ୍ୟକ୍ରମ ଶୁଭାରମ୍ଭ ହୋଇଛି। ଏହା ଜରିଆରେ ଗର୍ଭାବସ୍ଥାରେ ୪ ଥର ଅଲଟ୍ରାସାଉଣ୍ଡ ପରୀକ୍ଷା ସୁନିଶ୍ଚିତ କରାଯିବ। ଜିଲ୍ଲାର ସମସ୍ତ ଗର୍ଭବତୀ ମା’ କିପରି ମାଗଣାରେ ଏହି ସେବା ପାଇ ପାରିବେ ସେଥିପାଇଁ ଆବଶ୍ୟକ ପଦକ୍ଷେପ ନିଆଯାଉଛି। ଏ କ୍ଷେତ୍ରରେ ଆଶା ଓ ଅଙ୍ଗନବାଡ଼ି କର୍ମୀମାନେ ବଡ଼ ଭୂମିକା ନିର୍ବାହ କରୁଛନ୍ତି’’, ଏହି ଅବସରରେ କହିଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ସରୋଜ କୁମାର ମିଶ୍ର। ‘ମାତୃଜ୍ୟୋତି’ ଅଧୀନରେ ଜିଲ୍ଲାର ସମସ୍ତ ଗର୍ଭବତୀ ମହିଳା ଏହି ସେବା ପାଇ ପାରିବେ।
ଏଥିପାଇଁ ୮ଟି ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ଘରୋଇ ଅଲଟ୍ରାସାଉଣ୍ଡ କ୍ଲିନିକ ମିଶି ପ୍ରାୟ ୫୦ଟି କେନ୍ଦ୍ରକୁ ଅନୁବନ୍ଧିତ କରାଯାଇଛି। ‘‘ମୋର ଅଲଟ୍ରାସାଉଣ୍ଡ ପରୀକ୍ଷା ପାଇଁ ଆମ ଅଙ୍ଗନବାଡ଼ି ଦିଦି ମତେ ଘରୁ ଗାଡ଼ିରେ ଆଣିଛନ୍ତି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଜି ମାଗଣାରେ ମୋର ପରୀକ୍ଷା ହୋଇଛି। ମୋ ଭଳି ବହୁ ମହିଳା ଜିଲ୍ଲା ପ୍ରଶାସନର ଏହି ଯୋଜନାରୁ ବିଶେଷ ସୁବିଧା ପାଇବେ’’, କହିଛନ୍ତି ହିତାଧିକାରୀ ମହିଳା ଗୀତାଞ୍ଜଳି ମାଝି।

‘‘ପୂର୍ବରୁ ଆମେ ମମତା ଦିବସରେ ଗର୍ଭବତୀ ମହିଳାମାନଙ୍କର ସ୍ଵାସ୍ଥ୍ୟ ପରୀକ୍ଷା କରିବା ସହ ଅଲଟ୍ରାସାଉଣ୍ଡ କରିବା ପାଇଁ ପରାମର୍ଶ ଦେଉଥିଲୁ। ହେଲେ ବିଭିନ୍ନ କାରଣ ପାଇଁ ହୁଏତ ଅନେକ ମା’ ପରୀକ୍ଷା କରିପାରୁ ନଥିଲେ। ଏବେ ଜିଲ୍ଲା ପ୍ରଶାସନ ସହଯୋଗରେ ଏହି ପରୀକ୍ଷା ମାଗଣାରେ ହେଉଥିବାରୁ ଆମେ ଗର୍ଭବତୀ ମହିଳାଙ୍କୁ ବୁଝାଇ ନିର୍ଦ୍ଧାରିତ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣି ଏହି ସେବା ପ୍ରଦାନ ଲାଗି ବ୍ୟବସ୍ଥା କରୁଛୁ’’, କହିଛନ୍ତି ଭେଡ଼ାବାହାଲର ଆଶା କର୍ମୀ କିଶେରି ପେରୁଆ। ଏଏନସି ସେବାକୁ ସୁବିଧାଜନକ କରିବା ଲାଗି ଗର୍ଭବତୀ ମା’ମାନଙ୍କ ପାଇଁ ପରିବହନ,
ଖାଇବା ପିଇବା ବ୍ୟବସ୍ଥା ସହ ସେମାନଙ୍କୁ ଆର୍ଥିକ ପ୍ରୋତ୍ସାହନ ପ୍ରଦାନ କରାଯାଉଛି। ଏହି କାର‌୍ୟ୍ୟକ୍ରମ ପାଇଁ ଡିଏମଏଫ୍ ପାଣ୍ଠିରୁ ଆବଶ୍ୟକ ଅର୍ଥ ପ୍ରଦାନ କରାଯାଉଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking