ଖଲ୍ଲିକୋଟ: ଜଣେ କି ଦୁଇ ଜଣ ନୁହେଁ ପୁରା ଗାଁକୁ ଚୂନ ଲଗାଇଦେଲା ସାଇବାର ଠକ । ଟଙ୍କା ଡବଲ କରିବାର ଲୋଭ ଦେଖାଇ ଏକ ଆପ ମାଧ୍ୟମରେ ଗୋଟିଏ ଗାଁରୁ ନେଇଗଲା କୋଟିଏରୁ ଊର୍ଦ୍ଧ୍ୱ ଟଙ୍କା । ଲୋଭର ବଶବର୍ତ୍ତୀ ହୋଇ ଟଙ୍କା ବାନ୍ଧିଥିଲେ ଯୁବକରୁ ବୃଦ୍ଧ ବୃଦ୍ଧା ପର୍ଯ୍ୟନ୍ତ । ଲୋଭ ମଣିଷକୁ କଣ ନକରେ । ଏମିତି ଲୋଭର ବଶବର୍ତ୍ତୀ ହୋଇ ପୁରା ଗାଁ ହୋଇଗଲେ ଠକର ଶିକାର । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ କୋମଣ୍ଡ ପଞ୍ଚାୟତ ବଡରାମପଲ୍ଲୀ ଗ୍ରାମରେ । ଏହି ଗ୍ରାମର କୃଷ୍ଣ ଚନ୍ଦ୍ର ମହାକୁଡ ନାମକ ଜଣେ ଯୁବକ ଟିଆଣ୍ଡଜି ନାମକ ଏକ ଆପରେ ପ୍ରଥମେ ୪ ହଜାର ଟଙ୍କା ଡିପୋଜିଟ କରିଥିଲେ । ସେହି ଆପରେ ପ୍ରତ୍ୟକ ଦିନ ୮୦୦ ଟଙ୍କା ପାଉଥିଲେ । ଆଉ ସେହି ଟଙ୍କାକୁ ସହଜରେ ନିଜ ଆକାଉଣ୍ଟକୁ ପଠାଇ ରୋଜଗାର କରୁଥିଲେ ।
ତେବେ ଗାଁର ଯୁବକମାନେ ଏହା ଦେଖି ଧିରେ ଧିରେ ସମସ୍ତେ ଏହି ଆପ୍ରେ ଟଙ୍କା ବିନିଯୋଗ କଲେ ଆଉ ରୋଜଗାର କଲେ । ତେବେ ଗତ ଜୁଲାଇ ୧୪ ରୁ ୧୭ ତାରିଖ ପର୍ଯ୍ୟନ୍ତ ଥିବା ଅଫରରେ ନିଜ ଟଙ୍କା ତିନି ଗୁଣ ୪ ଗୁଣ ହେବାର ଆଶା ନେଇ ଗାଁର ଯୁବକ, ମହିଳା ଓ ବୃଦ୍ଧ ବୃଦ୍ଧା କିଏ ୮୦୦୦ ହଜାର, କିଏ ୧୦ ହଜାର, କିଏ ଏକ ଲକ୍ଷ ତ ଆଉ କିଏ ଦୁଇ ଲକ୍ଷ ଟଙ୍କା ଏହି ଆପରେ ଡିପୋଜିଟ କରିଥିଲେ । ତେବେ ଟଙ୍କା ଡିପୋଜିଟ ପରେ ଆଉ ସେହି ଆପର କର୍ମକର୍ତ୍ତା ସହ ଯୋଗାଯୋଗ ହୋଇ ପାରିନଥିଲା । ତେବେ ସହି ଆପରେ ଟଙ୍କା ଥିବା ଦେଖାଉଥିବା ବେଳେ ସେହି ଟଙ୍କା ବ୍ୟାଙ୍କ ଆକାଉଣ୍ଟକୁ ଆସୁନାହିଁ । ଯାହାଫଳରେ ସମସ୍ତଙ୍କ ମନରେ ଭାଳେଣି ପଡିଥିଲା । ଆଉ ଦେଖିଲା ବେଳକୁ ଗାଁର ୯୦ ଭାଗରୁ ଊର୍ଦ୍ଧ୍ୱ ଲୋକ ଠକେଇର ଶିକାର ହୋଇ ସାରିଥିଲେ ।
ଯାହାକୁ ନେଇ ପୁରା ଗାଁ ଏବେ ଚିନ୍ତାରେ ରହିଛି । ଏନେଇ ପୋଲିସ ପାଖରେ କେହି ଏତଲା କରିନାହାନ୍ତି । ଟିଆଣ୍ଡଜି ଆପ ବିନା କଷ୍ଟରେ ଅଧିକ ଟଙ୍କା ଉପାର୍ଜନ କରିବାର ଲୋଭ ଦେଖାଇ ଗାଁରେ ଥିବା ବେକାର ଯୁବ ଗୋଷ୍ଠୀ ଓ ଗରିବ ପରିବାର ଠାରୁ ଠକି ନେଇଛି କୋଟିଏରୁ ଊର୍ଦ୍ଧ୍ୱ ଟଙ୍କା । କିଏ ନିଜର ଘର ଖର୍ଚ୍ଚ ପାଇଁ ଟଙ୍କା ରଖିଥିଲା ତ କିଏ ନିଜର ଚାଷ ବାସ ପାଇଁ ଟଙ୍କା ରଖିଥିଲା । ଏବେ ସର୍ବହରା ହୋଇଗଲୁ ବୋଲି କହିଛନ୍ତି ଗ୍ରାମର ଠକେଇର ଶିକାର ହୋଇଥିବା ଅର୍ଜୁନ ମହାରଣା, କାଳିଆ ବେହେରା, ବଳରାମ ସାହୁ, କାଞ୍ଚନ ବେହେରା, ସତ୍ୟ ବେହେରା ପ୍ରମୁଖ । ଏବେ ନିଜ ହାତରେ ଟଙ୍କା ହରାଇ ହତାସ ହୋଇ ପଡିଛନ୍ତି ଗ୍ରାମବାସୀ । ତେବେ ଖାଲି ବଡରାମପଲ୍ଲୀ କାହିଁକି ବଡରାମପଲ୍ଲୀ ପାଖ ଗ୍ରାମ ମାନଙ୍କରେ ମଧ୍ୟ କାୟା ମେଲାଇଥିଲା ଏହି ଆପ୍ । ଆଉ ପିଲାଙ୍କ ମନୋବଳ ଦୃଢ କରିବା ପାଇଁ ଦେଇଥିଲା ମାସିକିଆ ଦରମା ଦେବାର ଏକ ସାର୍ଟିଫିକେଟ । ତେବେ ଏହି ଗାଁରେ ହୋଇଥିବା ସାଇବର ଠକେଇ ହୁଏତ ଭାରତରେ ବିରଳ । କାରଣ ପ୍ରତ୍ୟେକ ଦିନ ଆମେ ଦେଖୁଛେ ସାଇବର ଠକେଇରେ କିଏ ନା କିଏ ଶିକାର ହୋଇ ଟଙ୍କା ହରାଉଛି କିନ୍ତୁ ଖଲ୍ଲିକୋଟର ଏହି ଗାଁର ସମସ୍ତ ଲୋକ ଗୋଟିଏ ଦିନରେ ଠକେଇର ଶିକାର ହୋଇଛନ୍ତି । ଯାହା ଏବେ ଖଲ୍ଲିକୋଟ ଅଞ୍ଚଳରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି ।