ରାଜ୍ୟସଭା ସଦସ୍ୟ ଭାବେ ଭାରତର ପୂର୍ବତନ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ଶପଥ ଗ୍ରହଣ

ନୂଆଦିଲ୍ଲୀ : ଆଜି ରାଜ୍ୟସଭାର ସଦସ୍ୟ ଭାବେ ଭାରତର ପୂର୍ବତନ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ ଶପଥ ଗ୍ରହଣ କରିଛନ୍ତି । ଜଷ୍ଟିସ ଗୋଗୋଇଙ୍କୁ ରାଜ୍ୟସଭାକୁ ରାଷ୍ଟ୍ରପତି ମନୋନୀତ କରିଥିଲେ । ପୂର୍ବାହ୍ନ ୧୧ଟାରେ ହୋଇଥିବା ଏହି ଶପଥ ଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଉପସ୍ଥିତ ଥିଲେ । ତାଙ୍କୁ ରାଜ୍ୟସଭାର ସିଟ୍ ନମ୍ବର ୧୩୧ ଦିଆଯାଇଛି ।
ମାର୍ଚ ୧୬ ତାରିଖ ଦିନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ରାଜ୍ୟସଭା ସଦସ୍ୟ ଭାବେ ମନୋନୀତ କରିଥିଲେ । ୬୫ ବର୍ଷିୟ ଗୋଗୋଇ ଭାରତର ପ୍ରଧାନ ବିଚାରପତି ପଦରୁ ନଭେମ୍ବର ମାସରେ ଅବସର ଗ୍ରହଣ କରିଥିଲେ । ୧୩ ମାସରୁ ସାମାନ୍ୟ ଅଧିକ ସମୟ ଧରି ସେ ଏହି ପଦବୀରେ ରହିଥିଲେ । ରାଜ୍ୟସଭାକୁ ମନୋନୀତ ହେବାରେ ସେ ହେଉଛନ୍ତି ପ୍ରଥମ ପ୍ରଧାନ ବିଚାରପତି । ରଞ୍ଜନ ଗୋଗୋଇ ଦେଶର 46ତମ ମୁଖ୍ୟ ବିଚାରପତି ରହିଛନ୍ତି । ସିଜେଆଇ ପଦରେ ସେ ୩ ଅକ୍ଟବୋର ୨୦୧୮ରୁ ୧୭ ନଭେମ୍ବର ୨୦୧୯ ପର୍ଯ୍ୟନ୍ତ ପଦ ସମ୍ଭାଳିଥିଲେ । ଗୋଗୋଇ ନିଜ କାର୍ଯ୍ୟକାଳ ସମୟରେ ଅଯୋଧ୍ୟା ଭୂମି ବିବାଦ, ରାଫେଲ ଲଡାକୁ ବିମାନ ଓ ସାବରିମାଳାରେ ମହିଳାଙ୍କ ପ୍ରବେଶ ନେଇ ବହୁ ଗୁରୁତ୍ୱପୂର୍ଣ୍ଣ ମାମଲାର ନିଷ୍ପତ୍ତି ଶୁଣାଣି କରିଥିଲେ । ଜଷ୍ଟିସ୍ ଗୋଗୋଇ ନ୍ୟାୟପାଳିକା ଓ କାର୍ଯ୍ୟପାଳିକା ଏକାଠି କାମ କଲେ ଦେଶ ପାଇଁ ଭଲ ବୋଲି ମତ ଦେଇଥିଲେ ।