ଢେଙ୍କାନାଳ : ଶାଳ ଜଙ୍ଗଲ ପାଇଁ ଢେଙ୍କାନାଳ ଜିଲ୍ଲା ରାଜ୍ୟରେ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି । ଏପରିକି ବହୁ ବନ୍ୟଜନ୍ତୁଙ୍କ ଆଶ୍ରୟସ୍ଥଳୀ ପାଲଟିଛି ଏହି ଜଙ୍ଗଲ । ବିଶେଷ କରି ହାତୀମାନଙ୍କ ପାଇଁ ସବୁଠୁ ସୁରକ୍ଷିତ ସ୍ଥାନ ହୋଇଛି ଢେଙ୍କାନାଳ ଜିଲ୍ଲା । ତେବେ କିଛି ବିଦେଶୀ ଗଛ ଯୋଗୁଁ ଜିଲ୍ଲାରେ ଜଙ୍ଗଲ ହ୍ରାସ ପାଉଥିବା ପରିବେଶବିତମାନେ ମତବ୍ୟକ୍ତ କରିଛନ୍ତି । ଏହି ଜିଲ୍ଲାର ବନାଞ୍ଚଳରେ ଫୁଲୁରୀ, ବଣ ତୁଳସୀ ଏବଂ ପୋକସୁଙ୍ଗା ଗଛ ଯୋଗୁଁ ବ୍ୟାପକ ଜଙ୍ଗଲ ହ୍ରାସ ହେବା ସହିତ ଘାସ ମରି ଯାଉଥିବା ଜଣାପଡ଼ିଛି । ଢେଙ୍କାନାଳ ଜିଲ୍ଲାରେ ମୋଟ ୧ହଜାର ୭୩୭ ବର୍ଗ କିମି ଜଙ୍ଗଲ ରହିଛି । ସେଥିରୁ ୧ଲକ୍ଷ ୧୪ହଜାର ୧୦୧ ହେକ୍ଟର ସଂରକ୍ଷିତ ଜଙ୍ଗଲ ରହିଛି । ସେହିପରି ୧ହଜାର ୩୭୮ ହେକ୍ଟର ଗ୍ରାମ୍ୟ ଜଙ୍ଗଲ ରହିଥିବା ବେଳେ ୫୮ ହଜାର ୨୭୭ ହେକ୍ଟର ଅଣସଂରକ୍ଷିତ ଜଙ୍ଗଲ ଏବଂ ଅନ୍ୟାନ୍ୟ ଜଙ୍ଗଲ ରହିଛି ।
ଏହି ଜଙ୍ଗଲରେ କଲରାପତରିଆ ବାଘ ସହିତ ଭାଲୁ, ହରିଣ, ଚିତା ହରିଣ, ସମ୍ବର, ଗଧିଆ, ବିଲୁଆ, ବାରହା, ଠେକୁଆ ପ୍ରଭୃତି ବନ୍ୟଜନ୍ତୁ ଥିବା ବେଳେ କୋଚିଲାଖାଇ ଭଳି ବିରଳ ପକ୍ଷୀ, ଜଙ୍ଗଲୀ ମୂଷା ସହିତ ନେପାଳୀ ମୂଷା ଏବଂ ଶତାଧିକ ପ୍ରଜାତିର ସରୀସୃପ ଏପରିକି ଅଜଗର ଭଳି ସାପ ଏଠାରେ ଦେଖିବାକୁ ମିଳେ । ଜିଲ୍ଲାରେ ପ୍ରାୟ ୧୮୦ରୁ ଊର୍ଦ୍ଧ୍ୱ ହାତୀ ରହୁଛନ୍ତି । ଏହି ଜୀବଜନ୍ତୁଗୁଡ଼ିକ ଘନଜଙ୍ଗଲରେ ବସବାସ କରୁଥିବା ବେଳେ ଜଙ୍ଗଲର ଗଛପତ୍ର ସହିତ ପ୍ରାକୃତିକ ପରିବେଶରେ ରହିଥିବା ଗଛକୁ ଆହାର ରୂପରେ ବ୍ୟବହାର କରିଥାନ୍ତି । କିନ୍ତୁ ଏବେ ଘନ ଜଙ୍ଗଲଠାରୁ ଆରମ୍ଭ କରି ଗ୍ରାମ ଜଙ୍ଗଲ ସବୁଠାରେ ଏକ ପ୍ରକାର ବିଲାତି ଗଛ ଯାହାକୁ ଗ୍ରାମବାସୀମାନେ ଭିନ୍ନ ଭିନ୍ନ ନାମରେ ନାମିତ କରିଛନ୍ତି । କିଏ ଏହାକୁ ପୋକସୁଙ୍ଗା କହୁଥିବା ବେଳେ କେହି ଏହାକୁ ଫୁଲୁରୀ କିମ୍ବା ବଣ ତୁଳସୀ ଭାବରେ ନାମିତ କରିଛନ୍ତି । ଏହି ବିଲାତି ଗଛ ଜଙ୍ଗଲକୁ ନଷ୍ଟ କରିବାର ଏକମାତ୍ର ମାଧ୍ୟମ ପାଲଟିଛି । ବର୍ଷା ଋତୁ ଆରମ୍ଭ ହେବା ମାତ୍ରେ ଉପରୋକ୍ତ ଗଛ ସବୁଠି ଉଠିବା ସହିତ କମ ଦିନ ମଧ୍ୟରେ ସମଗ୍ର ଅଞ୍ଚଳକୁ ମାଡ଼ି ଯାଇଥାଏ । ଏହି ଗଛ ଗୁଡ଼ିକ ଏତେ ଶୀଘ୍ର ବୃଦ୍ଧି ପାଇଥାଏ ଯେ କିଛି ଦିନ ମଧ୍ୟରେ ବଣରେ ଥିବା ଜଙ୍ଗଲୀ ଗଛକୁ ଏହା ଢାଙ୍କି ଦେଇଥାଏ । ଫଳରେ ଜଙ୍ଗଲୀ ଗଛଗୁଡ଼ିକ ସୂର୍ଯ୍ୟତାପରୁ ବଞ୍ଚିତ ହେବା ସହିତ ତା’ର ଅଭିବୃଦ୍ଧି ଘଟି ନ ଥାଏ ।
ପୋକସୁଙ୍ଗା ଗଛଗୁଡ଼ିକ ୧ରୁ ୨ମିଟର ପର୍ଯ୍ୟନ୍ତ ଲମ୍ବ ହୋଇଥିବା ବେଳେ ଏହା ବହୁତ ହାଲକା । ଡିସେମ୍ବର ଓ ଫେବୃଆରୀ ମାସ ପର୍ଯ୍ୟନ୍ତ ଗଛରେ ଗୁଚ୍ଛ ଗୁଚ୍ଛ ହୋଇ ନୀଳ ଧଳା ମିଶା ରଙ୍ଗର ଫୁଲ ଫୁଟିବା ସହିତ ପବନ ଦ୍ୱାରା ଏହାର ମଞ୍ଜି ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଉଡ଼ି ବଂଶ ବିସ୍ତାର କରିଥାଏ । ଏହି ଗଛ ଗୁଡ଼ିକୁ ଗାଈଗୋରୁ କି ଗୃହପାଳିତ ପଶୁ, ଜଙ୍ଗଲୀ ଜୀବ ମଧ୍ୟ ଆହାର ଭାବରେ ଗ୍ରହଣ କରି ନଥାନ୍ତି । ବର୍ଷାଦିନେ ଗଛଗୁଡ଼ିକ ଅଧିକ ପତ୍ରଯୁକ୍ତ ଏବଂ ଝଙ୍କାଳିଆ ହୋଇଥିବାରୁ ଜଲ୍ଦି ବଢ଼ିବା ସହିତ ତଳେ ଉଠିଥିବା ଘାସକୁ ବି ମାରିଦେଇଥାଏ । ଏହି ଗଛ ମୂଳରେ କୌଣସି ଘାସ କି ଛୋଟ ଗଛ ମଧ୍ୟ ଉଠିବା କଷ୍ଟ ହୋଇପଡ଼ିଥାଏ । ସବୁଠାରୁ ବଡ଼ କଥା ହେଉଛି ନଳିତା ଭଳି ଏହା ବହୁତ ହାଲକା ହୋଇଥିବାରୁ ଖରାଦିନେ ଜଙ୍ଗଲରେ ନିଆଁ ଲାଗିଲେ ଉକ୍ତ ଗଛ ଗୁଡ଼ିକ ବହୁତ ଶୀଘ୍ର ଜଳିଥାଏ । ଫଳରେ ଅନ୍ୟ ବହୁ ମୂଲ୍ୟବାନ ଗଛ ବିଶେଷ କରି ଔଷଧୀୟ ବୃକ୍ଷ ମଧ୍ୟ ନଷ୍ଟ ହୋଇଥାଏ । ଜଙ୍ଗଲରେ ନିଆଁ ଲାଗିଲେ ଏହାକୁ ଆୟତ୍ତ କରିବା ମଧ୍ୟ ସମ୍ଭବ ହୋଇ ନ ଥାଏ ।
ପୋକସୁଙ୍ଗା, ବଣ ତୁଳସୀ ଏବଂ ଫୁଲୁରୀ ଭାବରେ ନାମିତ ଏହି ଗଛ ଗୁଡ଼ିକ ସମଗ୍ର ଜଙ୍ଗଲକୁ ଆଛାଦିତ କରି ରଖିଥିବାରୁ ହାତୀ ଭଳି ବିଶାଳକାୟ ଜୀବର ଖାଦ୍ୟ ଶୃଙ୍ଖଳରେ ବାଧା ସୃଷ୍ଟି ହେଉଛି । ଘାସ ଏବଂ ଅନାବନା ଗଛ ନଷ୍ଟ ହେବା ଯୋଗୁଁ ହାତୀମାନେ ଜଙ୍ଗଲ ଛାଡ଼ି ଗ୍ରାମାଭିମୁଖୀ ହେଉଛନ୍ତିି । ବନ ବିଭାଗ ପକ୍ଷରୁ ଏହି ଗଛକୁ ନଷ୍ଟ କରିବା ପାଇଁ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନ ଥିବାଯୋଗୁଁ ପୁରୁଣା ଜଙ୍ଗଲ ସହିତ ନୂତନ ଭାବରେ ଯେଉଁଠାରେ ଗଛ ଲଗାଯାଇଛି ସେଠରେ ମଧ୍ୟ ଏହି ପୋକସୁଙ୍ଗା ଗଛ ଯୋଗୁଁ ନଷ୍ଟ ହେବାରେ ଲାଗିଛି । ପୋକସୁଙ୍ଗା ଜଙ୍ଗଲ ପାଇଁ ସବୁଠାରୁ କ୍ଷତିକାରକ ଗଛ ଭାବରେ ଦିନକୁ ଦିନ ବଂଶ ବିସ୍ତାର କରୁଥିବା ବେଳେ ତୁରନ୍ତ ଏହାର ପ୍ରତିକାର ଆବଶ୍ୟକତା ରହିଛି । ନଚେତ ଜଙ୍ଗଲ ନଷ୍ଟ ହେବା ସହିତ ଖରାଦିନେ ନିଆଁ ଲାଗି ସମ୍ପୂର୍ଣ୍ଣ ଜଙ୍ଗଲ ନଷ୍ଟ ହେବ ବୋଲି ପରିବେଶବିତମାନେ ପ୍ରକାଶ କରିଛନ୍ତି ।