31.1 C
Bhubaneswar
Friday, March 29, 2024
Homeଓଡିଶାହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଫୁ’; ମାଟିରେ ମିଶିଲା ୨୨ ବର୍ଷର ସ୍କୁଲ୍

ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଫୁ’; ମାଟିରେ ମିଶିଲା ୨୨ ବର୍ଷର ସ୍କୁଲ୍

ଯାଜପୁର : ଯାଜପୁର ପୌରାଞ୍ଚଳ ଅନ୍ତର୍ଗତ ଭାଗବତପୁର ପ୍ରାଥମିକ ବିଦ୍ୟାଳୟ ଏବେ ସମ୍ପୂର୍ଣ୍ଣଭାବେ ମାଟିରେ ମିଶିଯାଇଛି । ହାଇକୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ ଯାଜପୁର ପୌରପାଳିକା ଓ ଜିଲ୍ଲା ଶିକ୍ଷା ବିଭାଗ ଏ ଦିଗରେ ପଦକ୍ଷେପ ନେବା ପରିବର୍ତ୍ତେ ନୀରବଦ୍ରଷ୍ଟା ସାଜିଛନ୍ତି । ଯାହାକୁ ନେଇ ଭାଗବତପୁର ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ଯାଜପୁର ପୌରପାଳିକାର ୧୪ ନଂ. ୱାର୍ଡ ରେ ଥିବା ଭାଗବତପୁର ପ୍ରାଥମିକ ବିଦ୍ୟାଳୟ ଆଜକୁ ୨୨ ବର୍ଷ ଧରି ଚାଲିଥିଲା । ବିଦ୍ୟାଳୟରେ ମୁଖ୍ୟତଃ ସଂଖ୍ୟାଧିକ ଦଳିତ ଶ୍ରେଣୀର ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିଲେ ।

ହେଲେ ଛାତ୍ରଛାତ୍ରୀଙ୍କ ଉପସ୍ଥାନ କମ୍ ବୋଲି ଦର୍ଶାଯାଇ ଏହାକୁ ମହାବୀର ଛକ ପ୍ରାଥମିକ ବିଦ୍ୟାଳୟକୁ ସ୍ଥାନାନ୍ତର କରାଯାଇଥିଲା । ଯାହାକୁ ବିରୋଧ କରି ସ୍ଥାନୀୟ ଗ୍ରାମବାସୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇ କେସ୍‌. ନଂ ଡବ୍ଲ୍ୟୁପି(ସି)୨୧୨୧୭/୨୦୧୯ରେ ମାମଲା ଦାଏର ହୋଇଥିଲା । ହାଇକୋର୍ଟ ଉକ୍ତ ମାମଲାର ବିଚାର କରି ସ୍କୁଲ ତା’ର ପୂର୍ବ ସ୍ଥାନକୁ ଫେରାଇ ଦେବା ପାଇଁ ଶିକ୍ଷା ବିଭାଗକୁ ସ୍ପଷ୍ଟ ନିର୍ଦ୍ଦେଶ ଦେଇଥିଲେ । ହେଲେ ଜିଲ୍ଲା ଶିକ୍ଷାଧିକାରୀ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଫୁ’ କରି ଏକ ୩ ଜଣିଆ ଯୁଗ୍ମ କମିଟି ଦ୍ୱାରା ତଦନ୍ତ କରାଇବା ସହ ଉକ୍ତ ରିପୋର୍ଟକୁ ଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକଙ୍କ ନିକଟକୁ ପୁନଃବିଚାର ପାଇଁ ପଠାଇଥିଲେ ବୋଲି ସ୍ଥାନୀୟ ଗ୍ରାମବାସୀଙ୍କ ପକ୍ଷରୁ ଅଭିଯୋଗ ହୋଇଛି ।

ଅନ୍ୟପକ୍ଷରେ ସ୍କୁଲ୍ ବନ୍ଦ ହୋଇଯିବାର ସୁଯୋଗ ନେଇ ଭାଗବତପୁର ପ୍ରାଥମିକ ବିଦ୍ୟାଳୟ ପାଇଁ ଜମିଦାନ କରିଥିବା ଲକ୍ଷ୍ମୀଧର ରାଉତଙ୍କ ପରିବାର ଲୋକେ ଗତ ୧୯ ତାରିଖ ରାତିରେ ବୁଲ୍‌ଡୋଜର ଲଗାଇ ଉକ୍ତ ସ୍କୁଲ ଘର ଭାଙ୍ଗି ମାଟିରେ ମିଶାଇ ଦେଇଥିବା ଦେଖିବାକୁ ମିଳିଛି । ଏଠାରେ ପ୍ରଶ୍ନ ଉଠୁଛି ଏହି ସ୍କୁଲଟି ଯାଜପୁର ପୌରପାଳିକା ଅଧୀନରେ ଥିଲା । ସରକାରୀ ଅନୁଦାନରେ ସ୍କୁଲ୍ ନିର୍ମାଣ କାର୍ଯ୍ୟ ମଧ୍ୟ ହୋଇଥିଲା । ଛାତ୍ରଛାତ୍ରୀଙ୍କ ପାଇଁ ସରକାରଙ୍କ ପକ୍ଷରୁ ମଧ୍ୟାହ୍ନଭୋଜନ ଠାରୁ ଆରମ୍ଭ କରି ବିଭିନ୍ନ ସୁବିଧା ଯୋଗାଇ ଦିଆଯାଉଥିଲା । କିନ୍ତୁ ସ୍କୁଲ୍ ଭଙ୍ଗାଯିବା ପରେ ମଧ୍ୟ ପøରପାଳିକାର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଏ ଦିଗରେ କୌଣସି ପଦକ୍ଷେପ ନନେଇ ନୀରବରେ ବସି ରହିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

ଅନ୍ୟପକ୍ଷରେ ଏହି ଘଟଣାକୁ ନେଇ ଭାଗବତପୁର ଗ୍ରାମର କିଶୋର ଚନ୍ଦ୍ର ମିଶ୍ର, ଅମୀୟ ଦାସ, ରବିନାରାୟଣ ସାହୁ, ସଞ୍ଜୟ ଦାସ, ଶ୍ରୀଧର ସାହୁ, ଅନିରୁଦ୍ଧ ଜେନା, ଶ୍ରୀପଦ ସେଠୀ, ଆନନ୍ଦ ଜେନା, ପ୍ରଶାନ୍ତ ଜେନା, ନଗେନ୍ଦ୍ର ନାରାୟଣ ଜେନା ପ୍ରମୁଖ ଜିଲ୍ଲାପାଳ, ଜିଲ୍ଲା ଶିକ୍ଷାଧିକାରୀ, ଯାଜପୁର ପୌରପାଳିକାର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି । ହେଲେ ଏ ଦିଗରେ ଅଦ୍ୟାବଧି କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିବାରୁ ସ୍ଥାନୀୟ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଲାଗି ରହିବା ସହ ଏହା ବିରୁଦ୍ଧରେ ପୁନର୍ବାର ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବେ ବୋଲି କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking