ଭୁବନେଶ୍ୱର : ରାଜ୍ୟରେ ଲଘୁଚାପ ଜନିତ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଆସନ୍ତା ୩ ଘଣ୍ଟାରେ ବନ୍ୟା ପିକ୍ ଛୁଇଁବ ବୋଲି ସର୍ବୋଚ୍ଚ ଯନ୍ତ୍ରୀ ବିଜୟ କୁମାର ମିଶ୍ର କହିଛନ୍ତି । ସେ କହିଛନ୍ତି ଯେ, ‘ଆସନ୍ତା ୩ ଘଣ୍ଟା ଆମ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ । ମୁଣ୍ଡଳିରେ ବର୍ତ୍ତମାନ ୧୧.୬ ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେଉଛି । ଆଉ କିଛି ବଢ଼ିବା ପରେ ଜଳ ପ୍ରବାହ ପରିମାଣ କମିବ ।’ ତେବେ ହୀରାକୁଦର ଆଉ ଗେଟ୍ ଖୋଲିବ ନା ନାହିଁ, ତାହାର ନିଷ୍ପତ୍ତି ଅପରାହ୍ନରେ ନିଆଯିବ ।
ଅନ୍ୟପଟେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବରିଷ୍ଠ ଅଧିକାରୀଙ୍କୁ ନେଇ ବନ୍ୟା ସ୍ଥିତି ସମୀକ୍ଷା କରୁଛନ୍ତି । ବୈଠକରେ ମୁଖ୍ୟ ସଚିବ, ଏସଆରସି ଓ ବରିଷ୍ଠ ଅଧିକାରୀ ଉପସ୍ଥିତ ରହିଛନ୍ତି ।ସୂଚନାଯୋଗ୍ୟ, ଲଘୁଚାପଜନିତ ଲଗାଣ ବର୍ଷା ହେତୁ ହୀରାକୁଦର ଜଳସ୍ତର ବଢୁଥିବାବେଳେ ଚାଲିଥିବା ବେଳେ ମହାନଦୀ ବି ଫୁଲୁଛି। ଆଜି ସକାଳ ୬ଟା ସୁଦ୍ଧା ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୨୫ ଫୁଟ ଟପିଛି। ଜଳସ୍ତର ସକାଳେ ୬୨୫.୦୪ ଫୁଟ ରହିଛି। ହୀରାକୁଦ ଡ୍ୟାମ ଭିତରକୁ ପ୍ରତି ସେକେଣ୍ଡରେ ୭ ଲକ୍ଷ ୮୫ ହଜାର ୨୯୧ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ୪ ଲକ୍ଷ ୩୪ ହଜାର ୮ କ୍ୟୁସେକ ଜଳ ନିଷ୍କାସିତ ହେଉଛି।