ଆସାମ : ଅତ୍ୟଧିକ ବର୍ଷା ହେତୁ ଆସାମରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଏପର୍ଯ୍ୟନ୍ତ ଆସାମର ସ୍ଥିତିରେ ସୁଧାର ଆସୁନି । ଏହି ଭିତରେ ପୁଣି ୫ଜଣଙ୍କର ମୃତ୍ୟୁ ହୋଇଛି । ବନ୍ୟା ସ୍ଥିତି କାରଣରୁ ୨୫ଜିଲ୍ଲାର ପାଖାପାଖି ୨୨ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି । ମାତ୍ର ରବିବାର ବନ୍ୟା ସ୍ଥିତିରେ ସାମାନ୍ୟ ସୁଧାର ଆସିଛି ।
ଆସାମ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ(ଏଏସଡିଏମଏ)ର ଦୈନିକ ବୁଲେଟିନ ଅନୁସାରେ ରବିବାର ବାରପେଟା, କଛାର, ଦରାଁଗ, କରୀମଗଞ୍ଜ ଏବଂ ମୋରୀଗାଁ ଜିଲ୍ଲାର ବିଭିନ୍ନ ସ୍ଥାନରେ ୪ପିଲାଙ୍କ ସମେତ ୫ଜଣ ଲୋକ ବୁଡ଼ି ଯାଇଛନ୍ତି । ଏହା ବ୍ୟତୀତ ଦୁଇଟି ଜିଲ୍ଲାରେ ୨ଜଣ ଲୋକ ନିଖୋଜ ଅଛନ୍ତି । ସୂଚନା ଅନୁଯାୟୀ ରାଜ୍ୟରେ ଚଳିତ ବର୍ଷ ବନ୍ୟା ଏବଂ ଭୂଶ୍ଖଳନରେ ମୃତ୍ୟୁ ହୋଇଥିବା ଲୋକଙ୍କ ସଂଖ୍ୟା ବଢି ୧୨୬ରେ ପହଞ୍ଚିଛି ।
ଅନ୍ୟପଟେ ନାଗୌନ ଜିଲ୍ଲାର ୧୫୫ ଗ୍ରାମ ଏବେ ବି ଜଳ ବନ୍ଦୀ ହୋଇ ରହିଛନ୍ତି। ଘରେ ପାଣି ପଶିଥିବା ବେଳେ ଲୋକେ ରାଜ ରାସ୍ତାରେ ତମ୍ୱୁ ମାରି ଆଶ୍ରୟ ନେଇଛନ୍ତି। ରାଜ୍ୟର ୩୨ଟି ଜିଲ୍ଲାରେ ବନ୍ୟା ଯୋଗୁଁ ପ୍ରାୟ ୩୧ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି । ବ୍ରହ୍ମପୁତ୍ର ଏବଂ ଏହାର ଉପନଦୀ ଗୁଡ଼ିକର ବନ୍ୟା ଜଳ ୪୨୯୧ ଗାଁରେ ପ୍ରବେଶ କରି ୬୬୪୫୫.୮୨ ହେକ୍ଟର ଫସଲ ଜମି ନଷ୍ଟ କରିଛି ।