30.1 C
Bhubaneswar
Wednesday, April 24, 2024
Homeଓଡିଶାବିଏମସିକୁ ବନ୍ୟା ଚିନ୍ତା: ମୁକାବିଲା ପାଇଁ ପ୍ରସ୍ତୁତି

ବିଏମସିକୁ ବନ୍ୟା ଚିନ୍ତା: ମୁକାବିଲା ପାଇଁ ପ୍ରସ୍ତୁତି

ଭୁବନେଶ୍ୱର: ଅଗଷ୍ଟ ୧୪ରେ ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାନେଇ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ରାଜଧାନୀରେ ମଧ୍ୟ ବର୍ଷା ଜାରି ରହିବ । ତେବେ ସହରରେ ଜଳବନ୍ଦୀ ସମସ୍ୟାର ମୁକାବିଲା ପାଇଁ ଭୁବନେଶ୍ୱର ମହାନଗର ନିଗମ ପାଗ ଭିଡ଼ିଛି । ଶନିବାର ଅପରାହ୍ନରେ ମେୟର ସୁଲୋଚନା ଦାସଙ୍କ ଅଧ୍ୟକ୍ଷତାରେ ସମ୍ଭାବ୍ୟ ଜଳବନ୍ଦୀ ସମସ୍ୟାର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ପଙ୍କ ଜମୁଥିବା ସ୍ଥାନକୁ ଯାଇ ତୁରନ୍ତ ପଙ୍କ ଉଦ୍ଧାର କରିବା ଏବଂ ଜଳବନ୍ଦୀ ସାମ୍ଭାବ୍ୟ ସ୍ଥାନ ଉପରେ କଡ଼ା ନଜର ରଖି ଏହାର ପ୍ରତିକାର ବ୍ୟବସ୍ଥାରେ ଗୋଷ୍ଠୀ ସହଯୋଗ ଲୋଡ଼ିବା ପାଇଁ ଏହି ଜରୁରୀକାଳୀନ ବୈଠକ ଅନୁଷ୍ଠିତ ହୋଇଛି ।

ସୂଚନାନୁସାରେ ଭୁବନେଶ୍ୱରରେ ମହାନଗର ନିଗମ ତରଫରୁ ଚିହ୍ନିତ ୪୨ଟି ସମ୍ବେଦନଶୀଳ ଅଞ୍ଚଳରେ ମୋଟରପମ୍ପ ଲଗାଯାଇଛି । ବୈଠକରେ ବିଏମସି କମିଶନର ବିଜୟ ଅମୃତା କୁଲାଙ୍ଗେ, ନଗର ଯନ୍ତ୍ରୀ ଅରୁଣ ନାୟକ, ଡ଼େପୁଟି କମିଶନର(ପରିମଳ) ଶୁଭେନ୍ଦୁ ସାହୁ ଅଭିଜ୍ଞ କର୍ପୋରେଟରଙ୍କୁ ନେଇ ବୈଠକରେ ଆଲୋଚନା କରିଛନ୍ତି । କର୍ପୋରେଟରମାନେ ନିଜ ଅଞ୍ଚଳର ବିପଦପୂର୍ଣ୍ଣ ସ୍ଥାନ ଏବଂ ଆବଶ୍ୟକୀୟ ସୁରକ୍ଷା ବାବଦରେ ସୂଚନା ଦେବାକୁ ମଧ୍ୟ କୁହାଯାଇଛି । ସୁଲୋଚନା ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଆୟୁକ୍ତ ବିଜୟ ଅମୃତା କୁଲାଙ୍ଗେଙ୍କ ସମେତ ୱାଟକୋ, ପୂର୍ତ୍ତ ବିଭାଗ ସହିତ ଅଗ୍ନିଶମ ବିଭାଗ ଅଧିକାରୀ ଏବଂ କର୍ପୋରେଟର ଉପସ୍ଥିତ ଥିଲେ । ଯେଉଁଥିରେ ବର୍ଷାରେ ବିଭିନ୍ନ ସମସ୍ୟା ଉପୁଜିଲେ କିଭଳି ସମାଧାନ କରାଯିବ ତାହାକୁ ନେଇ ଆଲୋଚନା କରାଯାଇଥିଲା ।

ତଳିଆ ବା ସମ୍ବେଦନଶୀଳ ଅଞ୍ଚଳକୁ ବିଏମ୍‌ସି ଫୋକସରେ ରଖିଥିବାବେଳେ କୌଣସି ସ୍ଥାନରେ ଜଳବନ୍ଦୀ ସମସ୍ୟା ଦେଖାଦେଲେ ବା ନାଳ ଜାମ ହେଲେ ଜେସିବି ସାହାଯ୍ୟରେ ଏହାକୁ ହଟାଇବାକୁ ମେୟର ନିର୍ଦେଶ ଦେଇଥିଲେ । ସେହିପରି ଜନସାଧାରଣଙ୍କ ପାଇଁ ତିନି ମଣ୍ଡଳରେ ତିନିଟି ବିଦ୍ୟାଳୟକୁ ଆଶ୍ରୟସ୍ଥଳି କରାଯାଇଛି । ଯେଉଁଥିରେ ଜଳବନ୍ଦୀ ପ୍ରଭାବିତ ଲୋକଙ୍କୁ ସ୍ଥାନାନ୍ତର କରାଯାଇପାରିବ । କୌଣସି ପରିସ୍ଥିତି ଯେପରି ସାଧାରଣ ଲୋକ ଅସୁବିଧା ନଭୋଗନ୍ତି ସେଥିପ୍ରତି ସଚେତନ ରହିବାକୁ ବୈଠକରେ ଆଲୋଚନା କରାଯାଇଛି। ଫଳରେ ସହରରେ ଜଳବନ୍ଦୀ ଜନିତ ଆଶଙ୍କା ଦୂର ହୋଇପାରିବ ।

ବର୍ଷା ବିତ୍ପାତରେ କୌଣସି ସମସ୍ୟାର ସମାଧାନ ନିମନ୍ତେ ନାଗରିକମାନେ ବିଏମ୍‌ସି ଏବଂ ଭୁବନେଶ୍ୱର ସ୍ମାର୍ଟସିଟି ଲିମିଟେଡ଼୍ ତରଫରୁ କରାଯାଇଥିବା ଟୋଲ୍ ଫ୍ରି ନମ୍ବର ୧୯୨୯ ରେ ଫୋନ୍ କରି ଯୋଗାଯୋଗ କରିବାକୁ ପରାମର୍ଶ ଦିଆଯାଇଛି । ଫଳରେ ବିଭିନ୍ନ ବ୍ୟକ୍ତିଙ୍କଠାରୁ ଆସୁଥିବା କଲ୍‌କୁ ରେକର୍ଡ଼ କରି ଜଳବନ୍ଦୀ ସ୍ଥାନ ଗୁଡ଼ିକର ତୁରନ୍ତ ସମାଧାନ ପାଇଁ ବ୍ୟବସ୍ଥା କରାଯାଇପାରିବ ବୋଲି ଆଶା କରାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking