27.1 C
Bhubaneswar
Monday, September 30, 2024
Homeଅପରାଧକୁକୁଡ଼ା ନଦେବାରୁ ଠେଙ୍ଗାରେ ଆକ୍ରମଣ: ସ୍ତ୍ରୀ ମୃତ, ସ୍ୱାମୀ ଗୁରୁତର

କୁକୁଡ଼ା ନଦେବାରୁ ଠେଙ୍ଗାରେ ଆକ୍ରମଣ: ସ୍ତ୍ରୀ ମୃତ, ସ୍ୱାମୀ ଗୁରୁତର

ଝୁମ୍ପୁରା: ଝୁମ୍ପୁରା ବ୍ଲକ ଅର୍ଶଳା ଗ୍ରାମପଞ୍ଚାୟତର ଦୁର୍ଗାପୁର ଗ୍ରାମରେ କୁକୁଡାକୁ ନେଇ ଏକ ଅଭାବନୀୟ ଘଟଣା ଘଟିଯାଇଥିବା ଦେଖିବାକୁ ମିଳିଛି । ଦୁର୍ଗାପୁର ଗ୍ରାମର ଡିବାଙ୍ଗ ମୁଣ୍ଡା ଏବଂ ମଗା ମୁଣ୍ଡା ଗତକାଲି ସନ୍ଧ୍ୟାରେ ପେଟେ ମହୁଲି ମଦ ପିଇ ମାତାଲ ହୋଇଥିଲେ । ରାତିରେ ସେହି ଗ୍ରାମର ମାଜୁରା ମୁଣ୍ଡା ଏବଂ ତାଙ୍କ ପତ୍ନୀ ମହେଶ୍ୱରୀ ମୁଣ୍ଡା(୩୮)ଙ୍କ ଘରକୁ ଯାଇଥିଲେ କୁକୁଡା ମାଗିବାକୁ । ଡିବାଙ୍ଗ ଓ ମଗା ମାଜୁରା ଓ ପତ୍ନୀ ମହେଶ୍ୱରୀଙ୍କୁ ଜୋର ଜବରଦସ୍ତ କୁକୁଡା ମାଗିଥିଲେ । ମାଜୁରା ମୁଣ୍ଡା ଘରେ କୁକୁଡା ନାହିଁ ବୋଲି କହିବାରୁ ଦୁଇ ଯୁବକ ଅତ୍ୟଧିକ ନିଶାରେ ଥିବାରୁ କୁକୁଡା ନଦେଲେ ଯିବୁନାହିଁ ବୋଲି ଅଡି ବସିଥିଲେ । ଏହି କଥାକୁ ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା ।

ଡିବାଙ୍ଗ ଏବଂ ମଗା ଉତ୍ୟକ୍ତ ହୋଇ ପାଖରେ ଥିବା ଏକ ଠେଙ୍ଗାରେ ସ୍ୱାମୀ ସ୍ତ୍ରୀଙ୍କୁ ଆକ୍ରମଣ କରିଥିଲେ । ମହେଶ୍ୱରୀଙ୍କ ମୁଣ୍ଡରେ ଠେଙ୍ଗା ପ୍ରହାର ହେବାରୁ ତାଙ୍କ ମୁଣ୍ଡ ଫାଟିବା ସହିତ ପ୍ରବଳ ରକ୍ତସ୍ରାବ ହୋଇଥିଲା, ଯାହା ଫଳରେ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା । ସେହିପରି ମାଜୁରୁ ମୁଣ୍ଡା ମଧ୍ୟ ଠେଙ୍ଗା ପ୍ରହାରରେ ଗୁରୁତର ଆହତ ହୋଇଥିଲେ । ସ୍ଥାନୀୟ ଗ୍ରାମବାସୀ ଗୁରୁତର ଆହତ ମାଜୁରାଙ୍କୁ ପ୍ରଥମେ ଝୁମ୍ପୁରା ଡାକ୍ତରଖାନାକୁ ଚିକିତ୍ସା ପାଇଁ ନେଇଥିଲେ କିନ୍ତୁ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଜିଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । ମଙ୍ଗଳବାର ସକାଳେ ହତ୍ୟାକାଣ୍ଡ ଘଟିଥିବା ସମ୍ପର୍କରେ ଝୁମ୍ପୁରା ପୁଲିସ ଖବର ପାଇ ସଙ୍ଗେ ସଙ୍ଗେ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହିତ ଝୁମ୍ପୁରା ଥାନରେ ମାମଲା ରୁଜ୍ଜୁ ହୋଇଛି । ହତ୍ୟାକାଣ୍ଡ ଘଟାଇଥିବା ଅଭିଯୁକ୍ତ ଡିବାଙ୍ଗ ମୁଣ୍ଡା ଏବଂ ମଗା ମୁଣ୍ଡାକୁ ଗିରଫ କରିଥିବା ସମ୍ପର୍କରେ ଥାନା ଅଧିକାରୀ ବିରେନ୍ଦ୍ର ଶିଆଳ ସୂଚନା ପ୍ରଦାନ କରିଛନ୍ତି । ହତ୍ୟାକାରୀଙ୍କୁ ପୁଲିସ ଗିରଫ କରିବା ପରେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking