30.1 C
Bhubaneswar
Wednesday, April 24, 2024
Homeଓଡିଶାମତ୍ସ୍ୟ-ପ୍ରାଣୀ ସମାବେଶ ଉଦ୍‌ଘାଟିତ; ବୈଜ୍ଞାନିକ ପଦ୍ଧତି ଉପଯୋଗ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

ମତ୍ସ୍ୟ-ପ୍ରାଣୀ ସମାବେଶ ଉଦ୍‌ଘାଟିତ; ବୈଜ୍ଞାନିକ ପଦ୍ଧତି ଉପଯୋଗ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

ଭୁବନେଶ୍ୱର: ରାଜ୍ୟସ୍ତରରେ ଆୟୋଜିତ ତିନିଦିନିଆ ମତ୍ସ୍ୟ-ପ୍ରାଣୀ ସମାବେଶ ଆଜି ଅପରାହ୍ନରେ ଜନତା ମଇଦାନରେ ଉଦ୍‌ଘାଟିତ ହୋଇଯାଇଛି । ଏଥିରେ ଏକ ଭିଡିଓ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ମତ୍ସ୍ୟ ଉତ୍ପାଦନରେ ଓଡ଼ିଶା ସାରା ଦେଶରେ ଚତୁର୍ଥ ସ୍ଥାନ ଅଧିକାର କରିଛି । ସରକାର ରାଜ୍ୟର ମତ୍ସ୍ୟଚାଷୀ ଓ ମତ୍ସ୍ୟଜୀବୀଙ୍କ ଉନ୍ନତି ପାଇଁ ନୂତନ ଭାବେ ମୁଖ୍ୟମନ୍ତ୍ରୀ ମତ୍ସ୍ୟଜୀବୀ କଲ୍ୟାଣ ଯୋଜନା କାର୍ଯକାରୀ କରିଛନ୍ତି । ଏଥିରେ ୧୧ ହଜାର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ୫୦ ହଜାର ମତ୍ସ୍ୟଜୀବୀ ସିଧାସଳଖ ଉପକୃତ ହେବେ । ରାଜ୍ୟର ପ୍ରାଣୀପାଳକମାନଙ୍କୁ ଉନ୍ନତ ମାନର ସେବା ଯୋଗାଇଦେବା ଉଦ୍ଦେଶ୍ୟରେ ୧୮୧ ନୂତନ ମୋବାଇଲ୍ ଭେଟେରିନାରୀ ୟୁନିଟ୍ ଭ୍ୟାନ୍‌ର ବ୍ୟବସ୍ଥା କରାଯାଇଛି ।

ଖୁବ୍‌ଶୀଘ୍ର ଆଉ ୧୩୧ ମୋବାଇଲ୍ ଭେଟେରିନାରୀ ୟୁନିଟ୍ ଭ୍ୟାନ୍ ରାଜ୍ୟରେ ସେବା ଯୋଗାଇଦେବ । ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ୫-ଟି କାର୍ଯକ୍ରମ ଅଧୀନରେ ବୈଜ୍ଞାନିକ ପଦ୍ଧତିରେ ଫାର୍ମିଂ ପାଇଁ ନୂଆ ଜ୍ଞାନକୌଶଳର ବ୍ୟବହାର କରାଯାଉଛି । ବାୟୋ-ଫ୍ଲକ୍‌, କେଜ୍ କଲଚର ମାଛଚାଷ, ସେକ୍ସ ସର୍ଟେଡ୍ ସିମେନ୍ ପଦ୍ଧତି ପରି ନୂଆ ଜ୍ଞାନକୌଶଳ ବ୍ୟବହାର କରି ରାଜ୍ୟର ଚାଷୀମାନଙ୍କ ଆୟ ବହୁଗୁଣିତ କରିବା ଦିଗରେ ପଦକ୍ଷେପ ନିଆଯାଉଛି । ‘ମତ୍ସ୍ୟ-ପ୍ରାଣୀ ସମାବେଶ ଓଡ଼ିଶା-୨୦୨୪’ ରେ ସାରା ରାଜ୍ୟରୁ ପ୍ରାୟ ୬୦୦୦ ଚାଷୀ ଯୋଗ ଦେଉଛନ୍ତି ।

ଏଥିରେ ଚାଷୀ-ବୈଜ୍ଞାନିକ ଭାବବିନିମୟ, ଲାଇଭ୍ ଆନିମଲ ଓ ଫିସ୍ ଡେମୋନ୍‌ଷ୍ଟ୍ରେସନ୍‌, ଆଧୁନିକ ଫାର୍ମିଂ ପଦ୍ଧତିର ପ୍ରଦର୍ଶନୀ, ଶ୍ରେଷ୍ଠ ଚାଷୀଙ୍କୁ ସମ୍ବର୍ଦ୍ଧନା ଆଦି କାର୍ଯକ୍ରମ ରଖାଯାଇଛି ବୋଲି ଉଲ୍ଲେଖ କରିବା ସହ ମୁଖ୍ୟମନ୍ତ୍ରୀ ଏହି ସମାବେଶରେ ଯୋଗଦେଇ ବୈଜ୍ଞାନିକ ପଦ୍ଧତିରେ ମତ୍ସ୍ୟ ଓ ପ୍ରାଣୀପାଳନ ବିଷୟରେ ଅବଗତ ହୋଇ ତା’ର ଉପଯୋଗ କରିବାକୁ ପରାମର୍ଶ ଦେଇଛନ୍ତି । ସମାବେଶରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ସ୍ୱତନ୍ତ୍ର କୃଷି ବଜେଟ୍ ସମ୍ପର୍କରେ କହିଥିଲେ । ମୁଖ୍ୟବକ୍ତା ଭାବେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ କୁମାର ତ୍ରିପାଠୀ, ସମ୍ମାନିତ ଅତିଥି ଭାବେ କୃଷି ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ, ଓୟୁଏଟି କୁଳପତି ପ୍ରଫେସର ପ୍ରଭାତ କୁମାର ରାଉଳ, ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ବିଭାଗର ପ୍ରମୁଖ ସଚିବ ସୁରେଶ ବଶିଷ୍ଠ ପ୍ରମୁଖ ବକ୍ତବ୍ୟ ରଖିଥିଲେ । ଉତ୍ସବରେ ପୌରୋହିତ୍ୟ କରିଥିଲେ କୃଷି ଓ କୃଷକ ସଶକ୍ତୀକରଣ, ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking