20.1 C
Bhubaneswar
Saturday, November 23, 2024
Homeଦେଶ ବିଦେଶପ୍ରଥମ ସର୍ବଭାରତୀୟ ଆଇନ ସେବା କର୍ତ୍ତୃପକ୍ଷ ସମ୍ମିଳନୀ ଉଦ୍‌ଘାଟିତ: ପ୍ରଥର ପାଇଁ ଗୋଟିଏ ମଞ୍ଚରେ ପ୍ରଧାନମନ୍ତ୍ରୀ...

ପ୍ରଥମ ସର୍ବଭାରତୀୟ ଆଇନ ସେବା କର୍ତ୍ତୃପକ୍ଷ ସମ୍ମିଳନୀ ଉଦ୍‌ଘାଟିତ: ପ୍ରଥର ପାଇଁ ଗୋଟିଏ ମଞ୍ଚରେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟ ବିଚାରପତି

ନୂଆଦିଲ୍ଲୀ: ନୂଆଦିଲ୍ଲୀର ବିଜ୍ଞାନ ଭବନଠାରେ ଶନିବାର ଦୁଇଦିନିଆ ପ୍ରଥମ ସର୍ବଭାରତୀୟ ଜିଲ୍ଲା ଆଇନ ସେବା କର୍ତ୍ତୃପକ୍ଷଙ୍କ ସମ୍ମିଳନୀ ଉଦ୍‌ଘାଟିତ ହୋଇଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ୍ ଏନ୍‌ଭି ରମନ୍ନାଙ୍କୁ ପ୍ରଥମ ଥର ପାଇଁ ଏକାଠି ଦେଖିବାକୁ ମିଳିଛି । ସେମାନଙ୍କ ବ୍ୟତୀତ ସମ୍ମିଳନୀରେ ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ୟୁୟୁ ଲଳିତ, ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼, କେନ୍ଦ୍ର ଆଇନମନ୍ତ୍ରୀ କିରଣ ରିଜିଜ୍ଜୁ, ଏସ୍‌ପି ସିଂହ ବାଘେଲ, ସୁପ୍ରିମକୋର୍ଟ ଅନ୍ୟ ବିଚାରପତି, ସମସ୍ତ ହାଇକୋର୍ଟ ମୁଖ୍ୟ ବିଚାରପତି, ସମସ୍ତ ରାଜ୍ୟ ଆଇନ ପ୍ରାଧିକରଣଙ୍କ କାର୍ଯ୍ୟକାରୀ ଅଧ୍ୟକ୍ଷ (ଏସଏଲଏସଏଏସ) ଓ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷମାନେ ଏହି ଅବସରରେ ଉପସ୍ଥିତ ଥିଲେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ମାଗଣା ଆଇନ ସେବା ଉପରେ ପର୍ଯ୍ୟବସିତ ଏକ ସ୍ମାରକୀ ଡାକ ଟିକଟ ମଧ୍ୟ ଉନ୍ମୋଚନ କରିଥିଲେ ।

ସମ୍ମିଳନୀକୁ ଉଦ୍‌ଘାଟନ କରି ପ୍ରଧାନମନ୍ତ୍ରୀ କହିଥିଲେ ଏହା ହେଉଛି ଆଜାଦୀ କା ଅମୃତ କାଳ । ଏହା ଏପରି ଏକ ସମୟ ଯେତେବେଳେ ଆମ ସଂକଳ୍ପ ଦେଶକୁ ଆଗାମୀ ୨୫ ବର୍ଷ ମଧ୍ୟରେ ନୂତନ ଶିଖରରେ ପହଞ୍ଚାଇପାରିବ । ବ୍ୟାବସାୟିକ ସୁଲଭତା, ଭଲ ଭାବେ ବଞ୍ଚିବା ଭଳି ଦେଶର ଅମୃତ ଯାତ୍ରାରେ ଆଇନର ସହଜ ଲଭ୍ୟତା ମଧ୍ୟ ସମଭାବେ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଥିଲେ । ପ୍ରିନ୍ସପୁଲ୍ସ ଅଫ ଦି ଷ୍ଟେଟ୍ ପଲିସୀରେ ଆଇନ ସେବା ଉପରେ କିଭଳି ନିର୍ଦ୍ଦେଶନାମା ରହିଛି ପ୍ରଧାନମନ୍ତ୍ରୀ ତା’ ଉପରେ ଆଲୋକପାତ କରିଥିଲେ । ଏହାର ମହତ୍ତ୍ୱ ନାଗରିକମାନଙ୍କ ନ୍ୟାୟପାଳିକା ଉପରେ ଥିବା ବିଶ୍ୱାସରୁ ପ୍ରତିଫଳିତ ହୋଇଛି । ସେ କହିଥିଲେ ‘ଯେକୌଣସି ସମାଜରେ ନ୍ୟାୟିକ ପଦ୍ଧତିର ଆଶ୍ରୟ ନେବା ଯେପରି ଗୁରୁତ୍ୱପୂର୍ଣ୍ଣ, ନ୍ୟାୟ ପ୍ରଦାନ ମଧ୍ୟ ସେହିଭଳି ଗୁରୁତ୍ୱପୂର୍ଣ୍ଣ । ବିଚାରବିଭାଗୀୟ ଭିତ୍ତିଭୂମିର ମଧ୍ୟ ସେହିପରି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଗତ ଆଠବର୍ଷ ମଧ୍ୟରେ ଦେଶର ବିଚାରବିଭାଗୀୟ ଭିତ୍ତିଭୂମିକୁ ମଜବୁତ କରିବା ନିମନ୍ତେ ଅନେକ କାର୍ଯ୍ୟ କରାଯାଇଛି ।’

ସୂଚନା ପ୍ରଯୁକ୍ତିବିଦ୍ୟା ଓ ଫିନ୍‌ଟେକ୍‌ରେ ଭାରତ ନେତୃତ୍ୱ ନେଉଥିବାବେଳେ, ବିଚାରବିଭାଗୀୟ କାର୍ଯ୍ୟାବଳୀରେ ଏହାର ପ୍ରବର୍ତ୍ତନ ଏହାଠାରୁ ବଳି ଭଲ ସମୟ ଆଉ ନାହିଁ ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଆରୋପ କରିଥିଲେ । ସେ କହିଥିଲେ, ‘ଇ-ଅଦାଲତ ଅଭିଯାନ ଜରିଆରେ ଦେଶରେ ଆଭାସୀ ଅଦାଲତ କାର୍ଯ୍ୟ ଆରମ୍ଭ ହୋଇଛି । ଟ୍ରାଫିକ ଉଲ୍ଲଂଘନ ଭଳି ଅପରାଧରେ ୨୪ ଘଣ୍ଟିଆ ଅଦାଲତ କାର୍ଯ୍ୟ କରୁଛି । ଜନସାଧାରଣଙ୍କ ସୁବିଧା ନିମନ୍ତେ ଦୃଶ୍ୟଶ୍ରାବ୍ୟ ଭିତ୍ତିଭୂମି ମଧ୍ୟ ସମ୍ପ୍ରସାରିତ ହେଉଛି ।’ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଦେଶରେ ଏକ କୋଟିରୁ ଅଧିକ ମାମଲା ଦୃଶ୍ୟଶ୍ରାବ୍ୟ ସମ୍ମିଳନୀ ଜରିଆରେ ଶୁଣାଣି କରାଯାଇଛି । ଏଥିରୁ ପ୍ରମାଣିତ ହୋଉଛି ଯେ ଆମ ନ୍ୟାୟିକ ପଦ୍ଧତି ପ୍ରାଚୀନ ଭାରତୀୟ ବିଚାର ପରମ୍ପରା ପ୍ରତି ଅଙ୍ଗୀକାରବଦ୍ଧ ଥିବାବେଳେ ଏକବିଂଶ ଶତାବ୍ଦୀର ବାସ୍ତବତା ସହ ମଧ୍ୟ ଖାପ ଖୁଆଇବାକୁ ମଧ୍ୟ ପ୍ରସ୍ତୁତ । ସେ ଆହୁରି କହିଥିଲେ ଯେ ଜଣେ ସାଧାରଣ ନାଗରିକ ତା’ର ସାମ୍ବିଧାନିକ ଅଧିକାର ଓ କର୍ତ୍ତବ୍ୟ ସମ୍ପର୍କରେ ସଚେତନ ହେବା ଉଚିତ୍ । ସେମାନେ ନିଜର ସମ୍ବିଧାନ କ’ଣ ସେ ବିଷୟରେ ଜାଣିବା ଦରକାର ଓ ସମ୍ବିଧାନର ଢାଞ୍ଚା ନିୟମ ଓ ପ୍ରତିକାର ବିଷୟରେ ମଧ୍ୟ ଜାଣିବା ଆବଶ୍ୟକ । ଏ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟା ଏକ ପ୍ରମୁଖ ଭୂମିକା ଗ୍ରହଣ କରିପାରିବ ।

ଅମୃତ କାଳ ଏକ କର୍ତ୍ତବ୍ୟର ସମୟ ବୋଲି କହିବା ସହ ଯେଉଁସବୁ ଅଞ୍ଚଳ ଅବହେଳିତ ରହିଯାଇଛି ସେଥିପ୍ରତି ଆମକୁ ଅଧିକ ଧ୍ୟାନ ଦେବାକୁ ପଡ଼ିବ ବୋଲି ସେ ଜୋର୍ ଦେଇଥିଲେ । ବିଚାରାଧୀନ ବନ୍ଦୀମାନଙ୍କ ଉପରେ ସମ୍ବେଦନଶୀଳତା ନେଇ ପ୍ରଧାନମନ୍ତ୍ରୀ ପୁଣି ପ୍ରଶ୍ନ ଉଠାଇଥିଲେ । ଜିଲ୍ଲା ଆଇନ ସେବା କର୍ତ୍ତୃପକ୍ଷ ଏଭଳି ବନ୍ଦୀମାନଙ୍କୁ ଆଇନଗତ ସାହାଯ୍ୟ ଦେବା ପାଇଁ ଦାୟିତ୍ୱ ନେବା ଆବଶ୍ୟକ ବୋଲି ସେ କହିଥିଲେ । ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଏନ୍‌ଭି ରମନ୍ନା କହିଥିଲେ, ଦେଶର ଜନସଂଖ୍ୟା ବହୁତ କମ୍ ଭାଗ ହିଁ ଅଦାଲତରେ ପହଞ୍ଚିପାରୁଛନ୍ତି । ସଚେତନତା ଏବଂ ଆବଶ୍ୟକ ମାଧ୍ୟମ ଅଭାବରୁ ଅଧିକାଂଶ ଲୋକ ମୌନ ରହି ପୀଡ଼ା ସହୁଛନ୍ତି ।

ଲୋକଙ୍କୁ ସକ୍ଷମ କରିବାରେ ବୈଷୟିକ ଜ୍ଞାନ ବଡ଼ ଭୂମିକା ତୁଲାଉଛି । ନ୍ୟାୟପାଳିକାରେ ନ୍ୟାୟପ୍ରଦାନ ଗତିକୁ ବୃଦ୍ଧି କରିବା ନିମନ୍ତେ ଆଧୁନିକ ପ୍ରାଦ୍ୟୋଗିକୀ ଉପରକରଣ ଆପଣାଇବାକୁ ମୁଖ୍ୟ ବିଚାରପତି ଆହ୍ୱାନ ଦେଇଥିଲେ । ଜାତୀୟ ଆଇନ ସେବା ପ୍ରାଧିକରଣ (ଏନଏଏଲଏସଏ) ପକ୍ଷରୁ ଜାତୀୟସ୍ତରୀୟ ସମ୍ମିଳନୀ ଜିଲ୍ଲା ଆଇନ ସେବା ପ୍ରାଧିକରଣ (ଡିଏଲଏସଏଏସ) ଜୁଲାଇ ୩ଠ ଓ ୩୧ ତାରିଖ ଦୁଇଦିନ ଧରି ବିଜ୍ଞାନ ଭବନରେ ଆୟୋଜିତ ହେଉଛି । ଦେଶରେ ମୋଟ ୬୭୬ ଜିଲ୍ଲା ଆଇନସେବା ପ୍ରାଧିକରଣ ଥିବାବେଳେ ଜିଲ୍ଲା ଜଜ୍ ଏହାର ମୁଖ୍ୟ ଏବଂ ପ୍ରାଧିକରଣ ଅଧ୍ୟକ୍ଷ ଅଟନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking