ଅତିରିକ୍ତ ବଜେଟ ଉପସ୍ଥାପିତ

ଭୁବନେଶ୍ୱର: ବିଧାନସଭାରେ ଆଜି ଉପସ୍ଥାପିତ ହୋଇଛି ରାଜ୍ୟ ଅତିରିକ୍ତ ବଜେଟ । ବଜେଟ ଉପସ୍ଥାପନ ବେଳେ ବିରୋଧୀ ହୋହଲ୍ଲା ପ୍ରଦର୍ଶନ କରିଥିଲେ । ତା ଭିତରେ ଅତିରିକ୍ତ ବଜେଟ ଉପସ୍ଥାପିତ ହୋଇଛି । ୨୦୨୦-୨୧ ପାଇଁ ମୋଟ ୧୧,୨୦୦ କୋଟିର ଅତିରିକ୍ତ ବଜେଟ ପାରିତ ହୋଇଛି । ଅର୍ଥମନ୍ତ୍ରୀ ନିରଂଜନ ପୂଜାରୀ ବଜେଟ ଉପସ୍ଥାପନ କରିଛନ୍ତି । ତେବେ ବଜେଟ ଉପସ୍ଥାପନ ହେବା ପରେ ରାଲି ପର୍ଯ୍ୟନ୍ତ ଗୃହ ମୁଲତବୀ ରଖାଯାଇଛି । ଏହି ବଜେଟରେ ସ୍ୱାସ୍ଥ୍ୟ, ପଂଚାୟତରାଜ ବିଭାଗକୁ ଗୁରୁତ୍ୱ ଦିଆଯାଇଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗକୁ ୧୭୬୮.୭୭ କୋଟି ମଂଜୁର ହୋଇଥିବା ବେଳେ ପଂଚାୟତିରାଜ ଓ ପାନୀୟ ଜଳ ବିଭାଗକୁ ୨୦୪୬.୧୧ କୋଟି ଟଙ୍କା ମଂଜୁର ହୋଇଛି । ସେହିଭଳି ଅର୍ଥ ବିଭାଗକୁ ସର୍ବାଧିକ ୨୩୬୩.୦୪ କୋଟିର ବ୍ୟୟବରାଦ ରହିଥିବା ବେଳେ ବିପର୍ଯ୍ୟୟ ପରିଚାଳନା ପାଇଁ ୧୪୮୪.୨୨ କୋଟି ଟଙ୍କା ବ୍ୟୟବରାଦ ହୋଇଛି । ଖାଦ୍ୟ ଯୋଗାଣ ବିଭାଗକୁ ୧୦୭୮.୩୦ କୋଟିର ବ୍ୟୟବରାଦ ହୋଇଛି । ସେହିଭଳି ବଜେଟରେ ଶକ୍ତି ବିଭାଗକୁ ୯୫୬.୮୦ କୋଟି ଟଙ୍କା ବ୍ୟୟବରାଦ ହୋଇଥିବା ବେଳେ ସ୍କୁଲ ଓ ଗଣଶିକ୍ଷା ବିଭାଗକୁ ୪୫୬.୫୦ କୋଟି ବ୍ୟୟ ଅଟକଳ ହୋଇଛି । ଅନ୍ୟପଟେ ରାଜ୍ୟ ଉପରେ ମୋଟ ଋଣଭାର ୯୭,୮୨୩ କୋଟି ରହିଛି । ଅତିରିକ୍ତ ବଜେଟ ଉପସ୍ଥାପନ ବେଳେ ଅର୍ଥମନ୍ତ୍ରୀ ଏନେଇ ସୂଚନା ପ୍ରଦାନ କରିଛନ୍ତି । ଲକଡାଉନ ପାଇଁ କେନ୍ଦ୍ରୀୟ ହସ୍ତାନ୍ତର କମିବାରୁ ରାଜସ୍ୱ ପ୍ରାପ୍ତି ୬.୫ ପ୍ରତିଶତ ହ୍ରାସ ପାଇଛି । ମହାମାରୀ ପ୍ରଭାବ ସତ୍ତ୍ୱେ ରାଜ୍ୟର ନିଜସ୍ୱ ରାଜସ୍ୱ ୧.୭ ପ୍ରତିଶତ ବୃଦ୍ଧି ପାଇଛି ।

LEAVE A REPLY

Please enter your comment!
Please enter your name here