28.1 C
Bhubaneswar
Wednesday, April 24, 2024
Homeଓଡିଶାକରୋନା ଭାଇରସ ପାଇଁ କ’ଣ କ’ଣ ସବୁ ବନ୍ଦ ଜାଣି ରଖନ୍ତୁ.....

କରୋନା ଭାଇରସ ପାଇଁ କ’ଣ କ’ଣ ସବୁ ବନ୍ଦ ଜାଣି ରଖନ୍ତୁ…..

ଭୁବନେଶ୍ୱର : ସାରା ବିଶ୍ୱରେ ଆତଙ୍କ ରଚାଇଥିବା କରୋନା ଭାଇରସ କାରଣରୁ ମୃତ୍ୟୁସଂଖ୍ୟା ଧିରେ ଧିରେ ବଢି ଚାଲିଛି । ୫,୮୩୩ରେ ମୃତ୍ୟୁସଂଖ୍ୟା ପହଁଞ୍ଚିଲାଣି । ସାରା ବିଶ୍ୱରେ ଏହି ମହାମାରୀରେ ୧ ଲକ୍ଷ ୫୫ ହଜାରରୁ ଅଧିକ ଲୋକ ଆକ୍ରନ୍ତ ହୋଇସାରିଥିବା ଜଣାପଡିଛି । ଆମ ଦେଶ ଭାରତରେ ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ ଅତିକ୍ରମ କରିସାରିଥିବା ବେଳେ ଦୁଇ ଜଣ ରୋଗୀଙ୍କ ମୃତ୍ୟୁ ମଧ୍ୟ ହୋଇସାରିଥିବା ଜଣାପଡିଛି ।
ରାଜଧାନୀ ଭୁବନେଶ୍ୱରସ୍ଥିତ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଜଣେ ରୋଗୀଙ୍କ ନିଟକରେ କରୋନା ଭାଇରସ ଥିବା ଜଣାପଡ଼ିବା ପରେ ଏବେ ସବୁଆଡେ ଭୟର ବାତାବରଣ ସୃଷ୍ଟି ହୋଇଛି । ତେବେ ଏନେଇ ବିଭିନ୍ନ ଜନଗହଳି ପୂର୍ଣ୍ଣ ସ୍ଥାନ ଗୁଡିକୁ ବନ୍ଦ କରିବା ନେି ନିର୍ଦ୍ଦେଶ ଦିଆଯାଇଛି । କେନ୍ଦ୍ର ସରକାରଙ୍କ ତରଫରୁ ମହାମାରୀ କୋରୋନାକୁ ଦୃଷ୍ଟିରେ ରଖି ସତର୍କତା ରହିବାକୁ ପରାମର୍ଶ ଦିଆଯାଉଛି ।
ଜାଣନ୍ତୁ କ’ଣ ସବୁ ବନ୍ଦ ରହିଛି:-
କରୋନାକୁ ଦୃଷ୍ଟିରେ ରଖି ପୂର୍ବରୁ ଭୁବନେଶ୍ୱର ଓ କଟକର ସମସ୍ତ ସ୍କୁଲ୍, କଲେଜ୍, ସମସ୍ତ କୋଚିଂ ସେଣ୍ଟର, ଜିମ୍, ଫିଲ୍ମ ହଲ୍ ଓ ଅନେକ ପର୍ଯ୍ୟଟନ ସ୍ଥଳୀକୁ ବନ୍ଦ କରିଦିଆଯାଇଥିବା ବେଳେ ଆଜି ଭୁବନେଶ୍ୱର ,କଟକ , ବ୍ରହ୍ମପୁର ଓ ସମ୍ବଲପୁରର ସବୁ ସପିଂ ମଲ୍, ଶୋ ରୁମ୍ ବନ୍ଦ କରି ଦିଆଯାଇଛି ।
– ପ୍ରଥମରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କ ପରୀକ୍ଷା ଚାଲିଥିବା ବେଳେ ସେ ସମସ୍ତ ପରୀକ୍ଷାକୁ ମଧ୍ୟ ସ୍ଥଗିତ ରଖିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ବିଭାଗ । ସ୍କୁଲ ଗୁଡିକ ସମ୍ପୂର୍ଣ୍ଣ ବନ୍ଦ ହେବା ସହ ଶିକ୍ଷକ ମାନେ ମଧ୍ୟ ଘରେ ରହିବା ନେଇ ପରାମର୍ଶ ଦେଇଛନ୍ତି ସରକାର । ଶିକ୍ଷକ ମାନେ ଘରେ ରହିଲେ ମଧ୍ୟ ସତର୍କ ରହିବା ନେଇ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ଏହା ସହ ଦଶମ ଓ ଦ୍ୱାଦଶ ଶ୍ରେଣୀ ପିଲାମାନଙ୍କ ପରୀକ୍ଷା ଖାତା ଯେଉଁଭଳି ମୂଲ୍ୟାଙ୍କାନ ଚାଲିଥିଲା ସେହିଭଳି ଚାଲୁ ରହିବା ନେଇ ପରାମର୍ଶ ଦିଆଯାଇଛି ।
-ଆଜି ଠାରୁ ଉତ୍କଳ ବିଶ୍ୱବିଦ୍ୟାଳୟ ହଷ୍ଟେଲ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ୨୪ ଘଣ୍ଟା ମଧ୍ୟରେ ହଷ୍ଟେଲ ଖାଲି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ପିଜି କାଉନସିଲ୍ ଅଧ୍ୟକ୍ଷା । ମାର୍ଚ୍ଚ ୧୭ ତାରିଖ ସଂଧ୍ୟା ୫ଟା ସୁଦ୍ଧା ହଷ୍ଟେଲ୍ ଛାଡ଼ିବାକୁ କୁହାଯାଇଛି । ସେହିପରି ୧୭ ତାରିଖ ମଧ୍ୟାହ୍ଣ ସୁଦ୍ଧା ମେସ୍ ବନ୍ଦ କରାଯିବାକୁ ନିର୍ଦ୍ଦେଶ ଦିଆଯାଇଛି । ହଷ୍ଟେଲ୍ କେବେ ଖୋଲିବ ତାହା ପରବର୍ତ୍ତୀ ସମୟରେ ଘୋଷଣା ହେବ । ଏଥିସହ ବିଶ୍ବବିଦ୍ୟାଳୟ ଅଧିନରେ ଚାଲିଥିବା ସମସ୍ତ ମିଡଟର୍ମ ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଛି । ଓୟୁଏଟି ହଷ୍ଟେଲ ମଧ୍ୟ ବନ୍ଦ ଘୋଷଣା କରାଯାଇଛି ।ସ୍କୁଲ, ଅଫିସ୍‌ ସବୁ ଛୁଟି ।
– ଆସନ୍ତାକାଲି ଠାରୁ ପୁରୀକୁ ଆସୁଥିବା ସମସ୍ତ ଗାଡ଼ି, ଯାନବାହାନ ପିପିଲି ଠାରେ କଡ଼ାକଡ଼ି ଯାଞ୍ଚ କରାଯିବ । ପରିବହନ କର୍ମଚାରୀ, ପୁଲିସ ଓ ସ୍ବାସ୍ଥ୍ୟ ବିଭାଗର ଅଧିକାରୀଙ୍କୁ ନେଇ ଗଠିତ ଟିମ୍ ପୁରୀର ପ୍ରବେଶ ପଥ ପିପିଲି ନିକଟରେ ଗାଡ଼ିଗୁଡ଼ିକୁ ଯାଞ୍ଚ କରିବେ । ଯଦି ଆବଶ୍ୟକ ପଡ଼େ ତେବେ ଏହି ଗାଡ଼ି ଓ ଗାଡ଼ିରେ ଥିବା ଯାତ୍ରୀମାନଙ୍କୁ ଏହି ଅଧିକାରୀମାନେ ପିପିଲି ଠାରୁ ଫେରାଇ ଦେଇ ପାରିବେ ବୋଲି ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।
– ଶ୍ରୀଜଗନ୍ନାଥ ମନ୍ଦିରରେ କରୋନା ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଛତିଶା ନିଯୋଗ ସେବକଙ୍କ ସହ ଆଲୋଚନା ପରେ ଠାକୁରଙ୍କ ଦର୍ଶନ ଉପରେ କଟକଣା ଜାରି କରିଛି ପ୍ରଶାସନ । ଅରୁଣସ୍ତମ୍ଭ ଏବଂ ଗରୁଡସ୍ତମ୍ଭ ସମେତ ଠାକୁରଙ୍କୁ ସ୍ପର୍ଶ ଉପରେ ନିଷେଧାଦେଶ ଜାରି କରାଯାଇଛି ।
-କୋଣାର୍କର ସୂର୍ଯ୍ୟମନ୍ଦିର ପରିସର ଫାଟକରେ ତାଲା ପକାଇ ବନ୍ଦ କରାଯାଇଛି । ପ୍ରଶାସନ ଠାରୁ ପରବର୍ତ୍ତୀ ଆଦେଶନାମା ନ ମିଳିବା ଯାଏଁ କୋଣାର୍କ ପରିଦର୍ଶନ ବନ୍ଦ ରହିବ ବୋଲି ଫାଟକରେ ବିଜ୍ଞପ୍ତି ଲାଗିଛି । କାକଟପୁର ମା’ ମଙ୍ଗଳା ମନ୍ଦିର ଟ୍ରଷ୍ଟ୍ ବୋର୍ଡ ପକ୍ଷରୁ ମଧ୍ୟ ଦର୍ଶନାର୍ଥୀଙ୍କ ଆଗମନ ଉପରେ କଟକଣା ଲାଗିଛି । ମା’ ମଙ୍ଗଳା ମନ୍ଦିର ଟ୍ରଷ୍ଟ୍ ବୋର୍ଡ ପକ୍ଷରୁ ନୋଟିସ୍ ଜାରି ହୋଇଛି । ଜଗତସିଂହପୁର ଜିଲ୍ଲାରେ ଥିବା ମା’ ଶାରଳାଙ୍କ ମନ୍ଦିର ଦର୍ଶନ ପାଇଁ ମଧ୍ୟ ଯାତ୍ରୀଙ୍କ ପ୍ରତି କଟକଣା ଲାଗୁ କରାଯାଇଛି । କରୋନାଭାଇରସ୍ ସଂକ୍ରମଣ ସଂକ୍ରାନ୍ତରେ ଜନସାଧାରଣଙ୍କୁ ସଚେତନ କରିବା ଲାଗି ଜିଲ୍ଲା ପ୍ରଶାସନ ପକ୍ଷରୁ ସେଠାରେ ମାଇକ୍ ଯୋଗେ ପ୍ରଚାର କରାଯାଉଛି ।
-ଗଞ୍ଜାମର ଅନ୍ୟତମ ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ସାନଖେମୁଣ୍ଡିସ୍ଥିତ ଉଷ୍ଣପ୍ରସ୍ରବଣ ତପ୍ତପାଣି ଏବଂ ମୃଗବିହାରକୁ ପୋଡ଼ାମାରି ବନ ବିଭାଗ ପର୍ଯ୍ୟକଟଙ୍କ ନିମନ୍ତେ ବନ୍ଦ କରିଛି । ଏହାଛଡ଼ା ତପ୍ତପାଣି ପାନ୍ଥ ନିବାସକୁ ମଧ୍ୟ ପ୍ରଶାସନର ଆଦେଶକ୍ରମେ ବନ୍ଦ ରଖାଯାଇଥିବା କଥା ମ୍ୟାନେଜର କହିଛନ୍ତି । ଜିଲ୍ଲା ପ୍ରଶାସନ ବ୍ରହ୍ମପୁରରେ ଥିବା ବିଭିନ୍ନ ମାର୍କେଟ୍ କମ୍ପ୍ଲେକ୍ସ ମଧ୍ୟ ବନ୍ଦ କରିଛି ।
-ଯାଜପୁରରେ କରୋନା ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନର ବଡ଼ ନିଷ୍ପତ୍ତି । ଆସନ୍ତା ୨୧ତାରିଖରେ ଅନୁଷ୍ଠିତ ହେବାକୁ ଥିବା ମହାବାରୁଣୀ ସ୍ନାନକୁ ରଦ୍ଦ କରିଛି ପ୍ରଶାସନ । ଏହାଛଡ଼ା ସଂପୃକ୍ତ ଅଞ୍ଚଳରେ ୧୪୪ ଧାରା ଜାରି କରିଛି ପ୍ରଶାସନ । ସମଗ୍ର ଜିଲ୍ଲାରେ ମଧ୍ୟ ଏହି ୧୪୪ ଧାରା ବଳବତ୍ତର ରହିବ ବୋଲି ଜଣାଯାଇଛି ।ଢେଙ୍କାନାଳରେ ମଧ୍ୟ ୧୪୪ ଧାରା ଜାରି ହୋଇଛି । 
-ବସ୍ ଗୁଡ଼ିକ ପାଇଁ ମଧ୍ୟ ଗାଇଡ୍ଲାଇନ୍ ଜାରି କରାଯାଇଛି । ବସରେ ଆଦୌ ଓଭରଲୋଡିଂ ନ କରିବାକୁ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ନିର୍ଦ୍ଦେଶ ଜାରି କରିଛନ୍ତି । ତାଙ୍କ ସୂଚନା ଅନୁଯାୟୀ ବସ ସିଟ୍ ଠାରୁ ଅଧିକ ଲୋକ ଯାଇପାରିବେ ନାହିଁ । କେହି ଛିଡ଼ା ହୋଇ ଯାଇ ପାରିବେ ନାହିଁ । ସେହିଭଳି ବସ୍ ଗୁଡ଼ିକୁ ସଫାସୁତର ରଖିବାକୁ କୁହାଯାଇଛି । ଡ୍ରାଇଭରଙ୍କ ସହିତ ସମସ୍ତ କର୍ମଚାରୀଙ୍କୁ ମାସ୍କ ପିନ୍ଧିବାକୁ କୁହାଯାଉଛି । ଯାତ୍ରୀମାନେ ମଧ୍ୟ ଟିକେ ପରସ୍ପର ଠାରୁ ଦୂରେଇ ରହିଲେ ଭଲ ବୋଲି ସେ କହିଛନ୍ତି ।
-ପର୍ଯ୍ୟଟନ ସ୍ଥଳୀ ଆଗରେ ବାଡ଼ । ଖୋର୍ଧା ଜିଲ୍ଲାପାଳଙ୍କ ନିର୍ଦେଶ କ୍ରମେ ଧଉଳି, ଖଣ୍ଡଗିରି ଭଳି ପର୍ଯ୍ୟଟନ କ୍ଷେତ୍ର , ନନ୍ଦନକାନନ ମଧ୍ୟ ବନ୍ଦ ।ପଞ୍ଚାୟତ ଉପ ନିର୍ବାଚନ ସ୍ଥଗିତ ରଖାଯାଇଛି ।ମାର୍ଚ୍ଚ ୨୪ ତାରିଖରେ ଏହି ଉପନିର୍ବାଚନ ହୋଇଥା’ନ୍ତ। ୨୦ଟି ଜିଲ୍ଲାରେ ୨ଟି ଜିଲ୍ଲା ପରିଷଦ ସଭ୍ୟ, ୬ ସରପଞ୍ଚ, ୮ ସମିତି ସଭ୍ୟ ଓ ୮୪ଟି ୱାର୍ଡ ସଭ୍ୟ ପଦବୀ ପୂରଣ ପାଇଁ ଏହି ଉପନିର୍ବାଚନ ହୋଇଥା’ନ୍ତା। ତେବେ ଏହି ଉପନିର୍ବାଚନ ପାଇଁ ପରବର୍ତ୍ତୀ ସମୟରେ ନିଷ୍ପତ୍ତି ନିଆଯିବ ବୋଲି ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ଜାରି କରାଯାଇଥିବା ବିଜ୍ଞପ୍ତିରେ କୁହାଯାଇଛି।
-ଗଞ୍ଜାମ ଓ ରାୟଗଡ଼ା ଜିଲ୍ଲା ପ୍ରଶାସନ ତରଫରୁ ୧୪୪ ଧାରା ଜାରି କରି ଦିଆଯାଇଛି । ଏଥି ସହିତ ପ୍ରଶାସନ ସତର୍କତା ମୂଳକ ପଦକ୍ଷେପ ମଧ୍ୟ ଗ୍ରହଣ କରିଛନ୍ତି । ଜନସମାଗମ ରୋକିବାକୁ ଜିଲ୍ଲା ପ୍ରଶାସନ ତରଫରୁ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ନିଆଯାଇଛି । ସେପଟେ କୋରୋନା ପାଇଁ ଭଦ୍ରକ ଜିଲ୍ଲାର ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି । ଛୁଟି ବାତିଲ ନେଇ ଟ୍ଵିଟ୍ କରି ସୂଚନା ଦେଲେ ଜିଲ୍ଲାପାଳ ।
– ପୁରୀ ସମୁଦ୍ର କୂଳରେ କଟକଣା ଜାରି କରାଯାଇଛି । ପୁରୀ ସମୁଦ୍ର କୂଳରେ ପର୍ଯ୍ୟଟକଙ୍କ ପାଇଁ ବିଭିନ୍ନ କଟକଣା ଜାରି କରାଯାଇଛି । ପର୍ଯ୍ୟଟକଙ୍କୁ ହୋଟେଲ ଭିତରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଉଠା ଦୋକାନୀମାନଙ୍କୁ ସମୁଦ୍ର କୂଳ ଛାଡ଼ି ଚାଲିଯିବାକୁ ନିର୍ଦ୍ଦେଶ ଦିଆଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking