40.1 C
Bhubaneswar
Thursday, April 25, 2024
Homeଓଡିଶାଚିକିତ୍ସାରେ ଅର୍ଥ ବାଧକ : ଜୀବନମରଣ ସହ ସଂଘର୍ଷ କରୁଛନ୍ତି ଛାତ୍ରୀ ଲେହା

ଚିକିତ୍ସାରେ ଅର୍ଥ ବାଧକ : ଜୀବନମରଣ ସହ ସଂଘର୍ଷ କରୁଛନ୍ତି ଛାତ୍ରୀ ଲେହା

କନ୍ଧମାଳ : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକର ବ୍ରାହ୍ମଣୀଗାଁ ବଡ଼ସାହିର ସୁଦର୍ଶନ ନାୟକଙ୍କ ଦଶମ ଶ୍ରେଣୀରେ ପଢ଼ୁଥିବା ଝିଅ ଲେହା ନାୟକ ଗତ ଏକମାସରୁ ଊର୍ଦ୍ଧ୍ୱ ହେବ ପେଟ ଯନ୍ତ୍ରଣାରେ ଛଟପଟ ହୋଇ ଜୀବନମରଣ ସହ ସଂଘର୍ଷ କରୁଛନ୍ତି । ସ୍ୱାସ୍ଥ୍ୟ ଖରାପ ଥିଲେ ବି ପାଠପଢାରେ ଆଗ୍ରହ ରଖି ଦଶମ ଶ୍ରେଣୀର ସମ୍ମେଟିଭ-୧ ପରୀକ୍ଷା ଦେଇଛନ୍ତି । ବାପା ସୁଦର୍ଶନ ନାୟକ ଜଣେ ଶ୍ରମିକ ଶ୍ରେଣୀର ଲୋକ । ସୁରଟରେ ଦାଦନ ଖଟି ନିଜ ପରିବାର ପ୍ରତିପୋଷଣ କରିବା ସହ ପିଲାଙ୍କ ପାଠପଢ଼ା କଥା ବୁଝନ୍ତି । କିନ୍ତୁ ଦୁର୍ଭାଗ୍ୟ ବଶତଃ ଏକମାସରୁ ଊର୍ଦ୍ଧ୍ୱ ସମୟ ହେବ ଝିଅ ଲେହାର ଦେହ ଖରାପ ହେବାରୁ ପ୍ରଥମେ ସ୍ଥାନୀୟ ମେଡ଼ିକାଲ ଓ ପରେ ବ୍ରହ୍ମପୁର ମେଡିକାଲକୁ ନେଇଥିଲେ ।

ଅର୍ଥ ଅଭାବରୁ ଚିକିତ୍ସା ସମ୍ପୂର୍ଣ୍ଣ ହୋଇପାରି ନଥିଲା । କିଛି ଦିନ ପରେ ପୁଣି ଥରେ ଦେହ ଖରାପ ହେବରୁ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଝଡ଼ାଫୁଙ୍କ ମଧ୍ୟ କରିଥିଲେ ପରିବାର ଲୋକେ । କିନ୍ତୁ ସ୍ୱାସ୍ଥ୍ୟ ଅବସ୍ଥାରେ କୌଣସି ପରିବର୍ତ୍ତନ ନଆସିବାରୁ ତାଙ୍କୁ ପୁଣିଥରେ ବ୍ରହ୍ମପୁରର ଏକ ଘରୋଇ ମେଡିକାଲରେ ଭର୍ତ୍ତି କରାଯାଇଛି । ହେଲେ ଉକ୍ତ ମେଡିକାଲରେ ଦୈନିକ ପ୍ରାୟ ୧୦ ହଜାର ଟଙ୍କା ଖର୍ଚ୍ଚ ହେଉଛି । ତେଣୁ ଅର୍ଥ ଅଭାବରୁ ଚିନ୍ତାରେ ଭାଙ୍ଗି ପଡିଛନ୍ତି ପରିବାର ଲୋକେ । ତାଙ୍କର ଅର୍ଥାଭାବ ଦେଖି ଗ୍ରାମର କିଛି ମହିଳା ଚାନ୍ଦା ସଂଗ୍ରହ କରି ପ୍ରାୟ ୨୦ହଜାର ଟଙ୍କା ସହାୟତା ଯୋଗାଇ ଦେଇଥିଲେ ।

ଅନ୍ୟପକ୍ଷେ ଡାକ୍ତର ଲେହାକୁ ଏମ୍‌ସ କିମ୍ବା ବିଶାଖାପାଟଣା ମେଡିକାଲକୁ ନେବା ପାଇଁ ପରାମର୍ଶ ଦେଇଛନ୍ତି । ଡାକ୍ତରଙ୍କ ପରାମର୍ଶ ଶୁଣିବା ପରେ ଦ୍ୱନ୍ଦ୍ୱରେ ପଡିଯାଇଛନ୍ତି ବାପା ସୁଦର୍ଶନ । ସେ ଅର୍ଥ ଯୋଗାଡ଼ କରିବାକୁ ଚେଷ୍ଟା କରୁଥିବା ବେଳେ ବିଭିନ୍ନ ଲୋକଙ୍କ ଦ୍ୱାରସ୍ଥ ହୋଇଛନ୍ତି, କିନ୍ତୁ ଅର୍ଥ ଯୋଗାଡ଼ କରିବାରେ ସକ୍ଷମ ହୋଇପାରିନାହାନ୍ତି । ସେପଟେ ବିଜୁ ସ୍ୱାସ୍ଥ୍ୟକାର୍ଡ ମଧ୍ୟ କାମରେ ଆସୁନଥିବା କହିଛନ୍ତି। ବର୍ତ୍ତମାନ ସେ ନିରୁପାୟ । ଏଣୁ ସରକାରୀ ସହାୟତା ପାଇଁ ପରିବାର ଲୋକେ ଆକୁଳ ନିବେଦନ କରିଛନ୍ତି । ଏଣୁ ଲେହାର ମୂଲ୍ୟବାନ ଜୀବନ ବଞ୍ଚାଇବା କ୍ଷେତ୍ରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ତୁରନ୍ତ ଆବଶ୍ୟକ ପଦକ୍ଷେପ ନେବାକୁ ସମସ୍ତ ମହଲରୁ ନିବେଦନ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking