ମାଟ୍ରିମୋନିଆଲରେ ବିବାହ ପ୍ରଲୋଭନ ଦେଖାଇ ନର୍ସଙ୍କଠାରୁ ୩ଲକ୍ଷ ୨୦ହଜାର ନେଇ ଫେରାର୍‌

ଭୁବନେଶ୍ୱର : ବିବାହ ପ୍ରସ୍ତାବ ଦେଇ ଜନୈକା ଯୁବତୀଙ୍କଠାରୁ ୩ ଲକ୍ଷ ୨୦ ହଜାର ଟଙ୍କା ଠକିନେଇ ଫେରାର୍ ହୋଇଯାଇଛି ସମ୍ପୃକ୍ତ ଯୁବକ । ଯୁବକ ଜଣକ ନିଜକୁ ଜଣେ ବଡ଼ ବ୍ୟବସାୟୀ ଭାବେ ପରିଚିତ କରାଇବା ସହ ନିଜର ଭୁବନେଶ୍ୱର ଏବଂ ବେଙ୍ଗାଲୁରୁରେ ଘର ଥିବା କହି ଜଣେ ଯୁବତୀଙ୍କୁ ମାଟ୍ରିମୋନିଆଲ୍ ସାଇଡ୍‌ରେ ବିବାହ ପ୍ରସ୍ତାବ ଦେଇଥିଲେ । ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ଦେଖିବାକୁ ମିଳିଛି ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରେ । ଶେଷରେ ଯୁବତୀ ଜଣକ କୌଣସି ଉପାୟ ନପାଇ ଥାନାର ଦ୍ୱାରସ୍ଥ ହୋଇଛନ୍ତି । ସୂଚନା ଅନୁଯାୟୀ,  ଅନୁଗୁଳ ଅଞ୍ଚଳର ସୁଜାତା ସାହୁ ବର୍ତ୍ତମାନ ଏକ ଘରୋଇ ହସ୍ପିଟାଲରେ ନର୍ସ ଭାବେ କାମ କରନ୍ତି ।

ମାଟ୍ରିମୋନିଆଲରେ କେନ୍ଦ୍ରାପଡ଼ା ଜିଲ୍ଲା ମାନପୁର ବ୍ଲକ୍ ଗୋନ୍ଥଳା ଗ୍ରାମର ବିକାଶ ବେହୁରା ସହ ତାଙ୍କର ବିବାହ ଠିକ୍ ହୋଇଥିଲା । ଏହାର ସୁଯୋଗ ନେଇ ବିକାଶ ବିଭିନ୍ନ ପ୍ରକାର ଆଳ ଦେଖାଇ ସୁଜାତାଙ୍କଠାରୁ କିସ୍ତି କିସ୍ତି କରି ପ୍ରାୟ ୩ ଲକ୍ଷ ୨୦ ହଜାର ଟଙ୍କା ନେଇ ଯାଇଥିଲା । ଯାହାକୁ କି ସୁଜାତା ନିଜ ଫୋନ୍ ପେ’ରେ ବିକାଶକୁ ଦେଇଥିବା ଜଣାପଡ଼ିଛି । ପର ମୁହୂର୍ତ୍ତରେ ବିକାଶ ଏକ ଠକ ବୋଲି ସୁଜାତା ଜାଣିବାକୁ ପାଇଥିଲେ । ଫଳରେ ସେ ବିକାଶକୁ ଦେଇଥିବା ଟଙ୍କା ମାଗିଥିଲେ । ଏହାକୁ ନେଇ ବିକାଶ ସୁଜାତାଙ୍କୁ ଫୋନ୍‌ରେ ଜୀବନରେ ମାରିଦେବାକୁ ଧମକ ଦେଉଥିଲା । ଶେଷରେ ସୁଜାତା ନିରାଶ ହୋଇ ଚନ୍ଦ୍ରଶେଖରପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ପୁଲିସ ଘଟଣାକୁ ଗୁରୁତ୍ୱର ସହ ନେଇ ତଦନ୍ତ କରୁଥିବା ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here