ପବିତ୍ର ସମ୍ପର୍କରେ ଦାଗ

ଯାଜପୁର: ପ୍ରତିଦିନ କୋଣ ଅନୁକୋଣରୁ ଦୁଷ୍କର୍ମ, ଧର୍ଷଣ, ଅସଦାଚରଣ ଭଳି ଘଟଣା ସାମ୍ନାକୁ ଆସୁଛି । ତେବେ ଏହି ଦୁଷ୍କର୍ମ ଭଳି ଘଟଣା ଥମିବାର ନାଁ ଧରୁନି । ଏହା ଦିନକୁ ଦିନ ବଢି ଚାଲିଛି । ଝିଅଟିଏ କେଉଁଠି ବି ନିଜକୁ ସୁରକ୍ଷିତ ବୋଲି ଭାବୁନାହିଁ । ଘରେ ନୁହେଁ କି ବାହାରେ ମଧ୍ୟ ନୁହେଁ । ତେବେ ଏଭଳି ଏକ ଅତି ଲଜ୍ଜା ଏବଂ ନିନ୍ଦନୀୟ ଘଟଣା ଯାଜପୁର ସୁକିନ୍ଦା ଅଞ୍ଚଳରେ ଦେଖିବାକୁ ମିଳିଛି । ବାପା ଝିଅର ପବିତ୍ର ସମ୍ପର୍କରେ ଲାଗିଛି ଦାଗ । ପବିତ୍ର ସମ୍ପର୍କକୁ ଭୁଲିଗଲା ବାପା ପାଲଟିଗଲା ଯୌନ ପିପାସୁ । ନିଜର ନାବାଳିକା ଝିଅ ସହ କଲା ଦୁଷ୍କର୍ମ ।
ସୂଚନା ଅନୁସାରେ, ପୀଡ଼ିତାଙ୍କ ବାପା ମଦ୍ୟପାନ କରି ଘରକୁ ଆସି ନିଜ ସ୍ତ୍ରୀକୁ ମାଡ ମାରି ଘରୁ ବାହାର କରି ଦେଇଥିଲା । ପରେ ଘରେ ଥିବା ନାବାଳିକା ଝିଅକୁ ଜୋର ଜବରଦସ୍ତ ମାଡ ମାରି ବାପା ଦୁଷ୍କର୍ମ କରିଥିଲା।ଫଳରେ ନାବାଳିକା ଝିଅ ଜୀବନ ବିକଳରେ ଘରୁ ପଳାଇ ଯାଇ ଗ୍ରାମବାସୀଙ୍କୁ ଜଣାଇଥିଲେ । ଏହାପରେ ଗ୍ରାମବାସୀ ଏହି ବିଷୟରେ ଅଙ୍ଗନବାଡି ଦିଦିଙ୍କୁ ଜଣାଇବା ପରେ ସେ ସିଡିପିଓଙ୍କୁ ଫୋନ ଯୋଗେ କହିଥିଲେ । ସିଡିପିଓ ସୁକିନ୍ଦା ଥାନାକୁ ଜଣାଇବା ପରେ ପୋଲିସ ପହଞ୍ଚି ନାବାଳିକା ଝିଅକୁ ଉଦ୍ଧାର କରିଥିଲା । ଘଟଣାରେ ବାପାକୁ ଗିରଫ କରି ଡାକ୍ତରୀ ମାଇନା କରିବା ସହ ବିଚାର ବିଭାଗୀୟ ହାଜତକୁ ପଠାଇଛି ପୋଲିସ ।