39.1 C
Bhubaneswar
Wednesday, April 24, 2024
Homeଦେଶ ବିଦେଶତାଲିବାନ ଭୟ: ଦଳାଚକଟାରେ ବାପା-ମା’ଙ୍କଠୁ ଅଲଗା ହୋଇଗଲା ୭ ମାସର ଶିଶୁ

ତାଲିବାନ ଭୟ: ଦଳାଚକଟାରେ ବାପା-ମା’ଙ୍କଠୁ ଅଲଗା ହୋଇଗଲା ୭ ମାସର ଶିଶୁ

କାବୁଲ: ଆଫଗାନିସ୍ତାନର ଚିତ୍ର ଦେଖିଲେ ଆପଣଙ୍କ ମନ ମଧ୍ୟ ଡହଳବିକଳ ହେବ । ଲୋକମାନଙ୍କର ସ୍ଥିତି ଏମିତି ଯେ, ମରିବେ କି ବଞ୍ଚିବେ ତାହା ଜାଣନ୍ତି ନାହିଁ । ତାଲିବାନ କ୍ଷମତାକୁ ଆସିବା ପରଠାରୁ ଆଫଗାନିସ୍ତାନର ରାଜଧାନୀ କାବୁଲରୁ ଅନେକ ହୃଦୟ ବିଦାରକ ଚିତ୍ର ଏବେ ଦେଖିବାକୁ ମିଳୁଛି । ଆଫଗାନିସ୍ତାନରେ ପୁଣି ତାଲିବାନୀ ଶାସନ ଫେରିବା ପରେ ଅନେକ ଛାତି ଥରାଇ ଦେବା ଭଳି ଦୃଶ୍ୟ ସାମ୍ନାକୁ ଆସିଛି । କିଏ ଭୟଭୀତ ଅବସ୍ଥାରେ ଅଛନ୍ତି ତ ଆଉ କିଏ ଜୀବନ ବଞ୍ଚାଇବା ଲାଗି ଦେଶ ଛାଡ଼ି ଚାଲି ଯାଉଛନ୍ତି । ଆଉ କିଏ ତାଲିବାନଙ୍କ ଗୁଳିମାଡ଼ ଖାଇ ସବୁଦିନ ପାଇଁ ଦୁନିଆକୁ ଅଲ୍‌ବିଦା କହିଛନ୍ତି । କାହାର ସଂସାର ଉଜୁଡ଼ି ଯାଇଛି ତ ଆଉ କିଏ ଅନାଥ ହୋଇଯାଇଛି । ଏଭଳି ଅନେକ ଦୁଃଖଦ ଘଟଣା ଗୋଟିଏ ପରେ ଗୋଟିଏ ସାମ୍ନାକୁ ଆସୁଛି । ଲୋକଙ୍କୁ ଆତଙ୍କିତ କରି ରଖିଥିବା ତାଲିବାନୀଙ୍କ ଶାସନରେ ରହିବା ଅପେକ୍ଷା ଦେଶ ଛାଡ଼ି ଚାଲିଯିବା ଶ୍ରେୟସ୍କର ବୋଲି ଲୋକେ ଭାବି ନେଇଛନ୍ତି । ଏପରିକି ଜୀବନ ଜିଇଁବାର ଆଶାରେ ଲୋକମାନେ ବିମାନରେ ଓହଳି ଯାଉଥିବା ଭଳି ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଛି ।

କାବୁଲ ବିମାନ ବନ୍ଦରେ ଏତେ ଲୋକଭିଡ ହୋଇଛି ଯେ ଦଳାଚକଟା ପରିସ୍ଥିତି ସୃଷ୍ଟି ହୋଇଛି । ଏସବୁ ଭିତରେ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । କାବୁଲ ବିମାନ ବନ୍ଦରରେ ଲୋକଙ୍କ ଦଳାଚକଟା ମଧ୍ୟରେ ଏକ ୭ ମାସର ଶିଶୁ ବାପାମା’ଙ୍କ ଠାରୁ ଅଲଗା ହୋଇଯାଇଛି । ଏୟାରପୋର୍ଟରେ ବାପାମା’ଙ୍କ ଠାରୁ ଅଲଗା ହୋଇଯାଇଥିବା ଏହି ଶିଶୁର ଦେଖାଶୁଣା ଏବେ ଏୟାରପୋର୍ଟ ଷ୍ଟାଫ୍ କରୁଛନ୍ତି । ଶିଶୁଟିର ପରିବାରକୁ ଖୋଜିବା ଲାଗି ପ୍ରାୟସ ଜାରି ରହିଛି । ସୂଚନା ଅନୁଯାୟୀ, ଶିଶୁଟିର ପରିବାର ସଦସ୍ୟ କାବୁଲର ପିଡି-୫ରେ ରୁହନ୍ତି । ଶିଶୁଟିର ଫଟୋ ସୋସିଆଲ ମିଡିଆରେ ଅନେକ ଲୋକ ଶେୟାର କରିଛନ୍ତି । ଶିଶୁଟିକୁ ତାଙ୍କର ବାପାମା’ଙ୍କ ସହ ଭେଟ କରାଇବା ଲାଗି ଲୋକମାନେ ଅପିଲ୍ କରିଛନ୍ତି । ଏଭଳି ଘଟଣାକୁ ନେଇ ଅନେକ ଲୋକ ତାଲିବାନକୁ ଦାୟୀ କରିଛନ୍ତି । ଆଫଗାନିସ୍ତାନ ଉପରେ କବଜା କରିବା ପରେ ପ୍ରଥମ ଥର ପାଇଁ ସାମ୍ବାଦିକ ସମ୍ମିଳନୀ କରି ଅନ୍ତର୍ଜାତୀୟ ସମୂହଠାରୁ ସ୍ୱୀକୃତି ଚାହିଁଛି । ତାଲିବାନ ମୁଖପାତ୍ର ଜବିହୁଲ୍ଲା ମୁଜାହିଦ୍ଦି କହିଛନ୍ତି, ତାଲିବାନକୁ ସମସ୍ତ ଦେଶ ବିଶ୍ୱାସକୁ ନେବା ଉଚିତ । ଆଫଗାନିସ୍ତାନରେ ଥିବା ସମସ୍ତ ଦେଶର ଦୂତାବାସ ଉପରେ ବିପଦ ନଥିବା ସ୍ପଷ୍ଟ କରିଛି ତାଲିବାନ । ଖାଲି ସେତିକି ନୁହେଁ, ଆଫଗାନିସ୍ତାନରେ ମହିଳାଙ୍କ ଉପରେ କୌଣସି ପ୍ରକାରର ନିର୍ଯାତନା ହେବାକୁ ଦେବନି ତାଲିବାନ । ସ୍କୁଲ ଏବଂ ହସପିଟାଲରେ ମହିଳାଙ୍କୁ କାମ କରିବାକୁ ଅଧିକାର ମିଳିବ । ସେମାନଙ୍କ ମଧ୍ୟରେ କୌଣସି ଭେଦଭାବ କରାଯିବନି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking