ଶତାଧିକ ଏକର ଚାଷ ଜମିରେ ମାତିଛି ସାହାରା ରୋଗପୋକ

ନୂଆପଡ଼ା : ନୂଆପଡ଼ା ଜିଲ୍ଲାର ଧାନ ଚାଷ ଜମିରେ ମାତିଛି ସାହାରା ରୋଗ ପୋକ । ଏହି ପୋକ ଶହଶହ ହେକ୍ଟର ଜମିରେ ଲାଗି ସମସ୍ତ ଧାନ ଚାଷକୁ ନଷ୍ଟ କରିଦେଇଛି । ଏହାକୁ ଦେଖି ଚାଷୀର ମେରୁଦଣ୍ଡ ଭାଙ୍ଗି ଯାଇଛି । ଆଜକୁ ୩-୪ ବର୍ଷ ହେବ ସ୍ୱଳ୍ପ ବୃଷ୍ଟିପାତ ଯୋଗୁଁ ମରୁଡ଼ି ପରିସ୍ଥିତି ଦେଖାଯାଇଥିଲା । ତେବେ ଚଳିତ ବର୍ଷ ପ୍ରଥମେ ସ୍ୱଳ୍ପ ବୃଷ୍ଟିପାତ ଚାଷୀଙ୍କ ପାଇଁ ମୁଣ୍ଡ ବ୍ୟାଥା ପାଲଟିଥିଲା । ହେଲେ ବର୍ତ୍ତମାନ ଅମଳ ସମୟରେ ଧାନରେ ସାହାରା ରୋଗପୋକ ଦେଖି ଚାଷୀ ଭାଙ୍ଗି ପଡ଼ିଛି । ଏହି ପୋକ ଜିଲ୍ଲାର ନୂଆପଡ଼ା,କୋମନା, ଖଡିଆଳ, ସିନାପାଲି, ବୋଡେନ ବ୍ଲକ୍‌ର ଶତାଧିକ ଏକର ଚାଷ ଜମିରେ ଲାଗି ଚାଷ ନଷ୍ଟ ହୋଇଯାଇଛି । ଧାନ ପାଚିଲା ବେଳେ ଏହି ରୋଗ ଯୋଗୁଁ ଧାନକେଣ୍ଡା କଳାପଡ଼ି ଶୁଖିଯାଉଛି ।
ଜିଲ୍ଲାରେ ୧.୯୮.୩୨୬ହେକ୍ଟର ଚାଷ ଉପେଯାଗୀ ଜମି ଥିବା ବେଳେ ଜିଲ୍ଲାରେ ୧.୯୦.୧୦୦ ହେକ୍ଟର ଜମିରେ ଚାଷ କରିବାକୁ କୃଷି ବିଭାଗର ଲକ୍ଷ୍ୟ ରହିଥିଲା । ସେଥିରୁ ୯୪.୫୦୦ ହେକ୍ଟର ଜମିରେ ଧାନ ଚାଷ ଓ ୯୫.୬୦୦ହେକ୍ଟର ଜମିରେ ଅଣ ଧାନ ହୋଇଥିଲା ।୭୦.୦୭୧ ହେକ୍ଟର ଚାଷ ଜମି ପାଇଁ କୃଷି ବିଭାଗ ସରକାରୀ ବିହନ ଯୋଗାଇ ଦେଇଥିଲା । ଚଳିତ ବର୍ଷ ୬୮.୮୧୮ ହେକ୍ଟର ଜମିରେ ବୁଣାଧାନ ଓ ୨୫.୬୮୨ ହେକ୍ଟର ଜମିରେ ରୁଆଧାନ କରିବାକୁ ଧାର୍ଯ୍ୟ କରାଯାଇଥିଲା । ଜିଲ୍ଲାରେ ଜଳସେଚନର ସୁବିଧା ନଥିବାରୁ ଅର୍ଦ୍ଧାଧିକ ଚାଷ ଜମି ପାଇଁ ବର୍ଷାଜଳ ଉପରେ ନିର୍ଭର କରିବାକୁ ପଡ଼ିଥାଏ । ଚଳିତବର୍ଷ ଚାଷ ଆରମ୍ଭରୁ ମୌସୁମୀର ଲୁଚକାଳି ଖେଳରେ କମ୍ ବର୍ଷାଯୋଗୁଁ ବୁଣାଧାନ ଓ ତଳି ନଷ୍ଟ ହୋଇଥିଲା । ହେଲେ ଚାଷୀ କୌଣସି ପ୍ରକାରରେ ଧାନକୁ ବଞ୍ଚାଇ ରଖିଥିଲେ । ଅଗଷ୍ଟରୁ ସ୍ୱାଭାବିକ ବର୍ଷା ହେବାରୁ ଚାଷ ଭଲ ହୋଇଥିଲା । ଧାନକେଣ୍ଡା ବହାରିବା ପୂର୍ବରୁ ଗଣ୍ଠିପୋକ ଓ ପରେ ଚକଡ଼ା ରୋଗ ପୋକ ପାଇଁ ଚିନ୍ତାର କାରଣ ସାଜିଥିଲା । ଏବେ ଧାନ ଅମଳ ସମୟରେ ସାହାରା ରୋଗ ଚାଷୀଙ୍କୁ ବେସାହାରା କରିଛି । ଏଥିରେ କୋମନା ବ୍ଲକ୍ ମହୁଲଭଟା ଗାଁର ଚାଷୀ ଚୁଡାମଣି ସାହୁ, ପୁରନ୍ଦର ଭୋଇ, ବୀର ଶବରଙ୍କ ଧାନରେ ସାହାରା ରୋଗ ଲାଗିଛି । ସେହିପରି ବ୍ଲକ୍‌ର ମହୁଲଭଟା, ଟିକ୍ରାପଡ଼ା, କୁମୁଟିମୁଣ୍ଡା, ଜଡ଼ାମୁଣ୍ଡା, ଠୋଙ୍ଗୋ, ଖମବାହୀ, ଅଞ୍ଚଳରେ ଏହି ରୋଗର ପ୍ରାର୍ଦୁଭାବ ଦେଖାଯାଇଛି । ଧାନକେଣ୍ଡାରେ କଳା ରଙ୍ଗ ଆଚ୍ଛାଦିତ ହୋଇ ଫିମ୍ପି ମାରିବା ଭଳି ଦେଖାଯାଉଛି । କୀଟନାଶକ ଔଷଧ ସିଞ୍ଚନ କଲେ ମଧ୍ୟ କାମ ଦେଉନି । ଗୋଟିଏ କେଣ୍ଡାରେ ପ୍ରାୟ ୮୦ଶତକଡା ଧାନ ହେଉଛି । ୧୦୦ବସ୍ତା ସ୍ଥାନରେ ୨୦ ବସ୍ତା ଅମଳ ହେଉଛି । ସେହିପରି ଜିଲ୍ଲାର ନୂଆପଡ଼ା, ଖଡିଆଳ, ବୋଡେନ, ସିନାପାଲି ବ୍ଲକରେ ଏହିରୋଗ ଦେଖାଯାଇଛି । ତୁରନ୍ତ କୃଷି, ରାଜସ୍ୱ ଓ ପରିସଂଖ୍ୟାନ ବିଭାଗର ମିଳିତ ଭାବେ ତଦନ୍ତ କରି ଚାଷୀଙ୍କ କ୍ଷୟକ୍ଷତି ଆକଳନ କରି କ୍ଷତିଗ୍ରସ୍ତ ଚାଷୀଙ୍କୁ ସରକାରୀ ସହାୟତା ପ୍ରଦାନ କରିବାକୁ ଚାଷୀ ଜିଲ୍ଲା ପ୍ରଶାସନ ପାଖରେ ଦାବି କରିଛି । ଏନେଇ କୃଷି ଉପନିର୍ଦ୍ଦେଶକ ଜାହେଦ ମହମ୍ମଦଙ୍କୁ ପଚାରିବାରୁ ଏହା ସାହାରା ରୋଗ । ଏହାକୁ କୀଟନାଶକ ଔଷଧ ସିଞ୍ଚନ କଲେ ମଧ୍ୟ କାମ ଆସିବ ନାହିଁ ବୋଲି କହିଥିଲେ । ଧାନ ବୁଣିବା ଆଗରୁ ବିହନକୁ ବିଶୋଧନ କରି ବୁଣନ୍ତୁ । ଆମେ ସରଜମିନ ତଦନ୍ତ କରି ଆବଶ୍ୟକ ପଦକ୍ଷେପ ନେବୁ ବୋଲି ପ୍ରକାଶ କରିଥିଲେ ।