34.1 C
Bhubaneswar
Friday, March 29, 2024
Homeଓଡିଶାକଳାହାଣ୍ଡିରେ ମଣ୍ଡିରେ ପଡିଛି ଧାନ, ଅଘୋଷିତ ମଣ୍ଡି ବନ୍ଦ, ଚାଷୀ ମୁଣ୍ଡରେ ଚଡକ

କଳାହାଣ୍ଡିରେ ମଣ୍ଡିରେ ପଡିଛି ଧାନ, ଅଘୋଷିତ ମଣ୍ଡି ବନ୍ଦ, ଚାଷୀ ମୁଣ୍ଡରେ ଚଡକ

କଳାହାଣ୍ଡି –  କଳାହାଣ୍ଡି ଜିଲ୍ଲାର ବିଭିନ୍ନ ମଣ୍ଡିରେ ଚାଷୀଙ୍କ କଷ୍ଟ ଉପାର୍ଜିତ ଧାନ ଗଦା ହୋଇଥିବା ବେଳେ ମଣ୍ଡି ଗୁଡିକ ଅଚଳ ହୋଇପଡିଥିବା ଯୋଗୁଁ ଚାଷୀ ମୁଣ୍ଡରେ ଚଡକ ପଡିଯାଇଛି । ଗତ ୨୦୦୫ ମସିହାରୁ ସରକାର ଯୋଗାଣ ବିଭାଗ ପକ୍ଷରୁ ରାଜ୍ୟ ଯୋଗାଣ ନିଗମ ଦ୍ୱାରା ସମବାୟ ସମିତି ମାଧ୍ୟମରେ ଧାନ କିଣୁଥିଲେ । ଗତ ଦୁଇ ବର୍ଷ ହେବ ଧାନ କିଣାରେ ସ୍ୱୟଂ ସହାୟକ ଗୋଷ୍ଠୀ ଗୁଡିକୁ ସାମିଲ କରାଯାଇଛି । ଦୀର୍ଘ ଦିନ ହେବ ସରକାର ଚାଷୀଙ୍କ ଧାନ କିଣୁଥିବା ବେଳେ ପ୍ରତି ବର୍ଷ କୌଣସି ନା କୌଣସି ବିଷୟରେ ସରକାରୀ ବିଧି ବ୍ୟବସ୍ଥାରେ ତୃଟି ରହିଯାଉଛି ଏବଂ ଧାନ କିଣା ବ୍ୟବସ୍ଥାରେ ଅନେକ ସମସ୍ୟା ଦେଖାଦେଉଥିବା ବେଳେ କେବଳ ଚାଷୀ ହିଁ ଶୋଷିତ ହେଉଥିବା ଅଭିଯୋଗ ହୋଇଆସୁଛି ।
ସରକାର ଯୋଗାଣ ବିଭାଗୀୟ ପଦାଧିକାରୀ ମାନଙ୍କ ତଥ୍ୟକୁ ଆଧାରକରି ନୀତି ନିୟମ ପ୍ରଣୟନ କରୁଥିବା ବେଳେ ଚାଷୀଙ୍କ ମତାମତକୁ ଗୁରୁତ୍ୱ ଦିଆଯାଉନଥିବା ଚାଷୀ ମହଲରେ ଅଭିଯୋଗ ହୋଇଆସୁଛି । ମଣ୍ଡି ମାନଙ୍କରେ ସ୍ଥାନୀୟ ମିଲର୍ସ ଟେଗିଂ କରାନଯାଇ ଅନ୍ୟ ଅଂଚଳର ମିଲର୍ସ ଟେଗିଂ ବ୍ୟବସ୍ଥା କରାଯିବା ସହିତ ସଂପୃକ୍ତ ମିଲର୍ସଙ୍କୁ ନିର୍ଦ୍ଦିଷ୍ଟ ମଣ୍ଡି ମାନଙ୍କରୁ ହିଁ ଧାନ ଉଠାଣ ପାଇଁ ଟାର୍ଗେଟ ଦିଆଗଲେ ସଂପୃକ୍ତ ମିଲର୍ସ ଧାନ ଉଠାଣ କରିବାକୁ ବାଧ୍ୟ ହୋଇପାରନ୍ତା ବୋଲି ଚାଷୀ ନେତା ମାନେ ମତାମତ ଦେଉଥିବା ବେଳେ ତାହା ବିଭାଗୀୟ ସ୍ତରରେ ଗ୍ରହଣୀୟ ହେଉନାହିଁ । ପ୍ରଶାସନ ପକ୍ଷରୁ ଗୋଟିଏ ମିଲର୍ସକୁ ନିର୍ଦ୍ଦିଷ୍ଟ ପରିମାଣର ଟେର୍ଗେଟ ଦେଇ ସାତ / ଆଠ ଗୋଟି ମଣ୍ଡିରେ ଟେଗିଂ କରିଦିଆଯାଉଥିବା ହେତୁ ନିଜକୁ ସୁହାଉଥିବା ମଣ୍ଡିରୁ ଉକ୍ତ ମିଲର୍ସ ଧାନ ଉଠାଣ କରିବା ଫଳରେ ଅନ୍ୟ ମଣ୍ଡିି ମାନଙ୍କରେ ଉଠାଣ ହୋଇନପାରି ଧାନ ଗଦା ହୋଇ ରହିଯାଉଥିବା ଜଣାପଡିଛି ।
ଚଳିତ ବର୍ଷ ଟୋକନ ପ୍ରଦାନ ବ୍ୟବସ୍ଥାରେ ବ୍ୟତିକ୍ରମ ହେବା ଫଳରେ ଚାଷୀ ଠିକ ସମୟରେ ଧାନ ବିକ୍ରୀ କରିପାରିନଥିବା ଅଭିଯୋଗ ହେଉଛି । ପୂର୍ବରୁ ଜଣେ ଚାଷୀ ଦୈନିକ ଶହେ କ୍ୱିଂଟାଲ ଧାନ ବିକିବା ବ୍ୟବସ୍ଥା ଥିବା ବେଳେ ପ୍ରାୟ ସମସ୍ତ ଚାଷୀ କିଛିନାକିଛି ଧାନ ବିକି କରାଯାଇ ପାରୁଥିଲା । ଚଳିତ ବର୍ଷ ଏକସଙ୍ଗେ ଚାଷୀର ସମସ୍ତ ଧାନ ପାଇଁ ଟୋକନ ଆସୁଥିବା ହେତୁ ବିକ୍ରୀ ଯୋଗ୍ୟ ଧାନ ବିକିବା ପରେ ବଳକା ଟୋକନ ମାଧ୍ୟମରେ ଅନ୍ୟର ଧାନ କିମ୍ବା ଦଲାଲ ଧାନ ମଧ୍ୟ ଉଠାଣ ହୋଇଥିବା ଅନେକ ଅଭିଯୋଗ ହେଉଛି । ଅନ୍ୟ ପକ୍ଷରେ ରାଜସ୍ୱ ବିଭାଗ, ପାକ୍ସ କର୍ମଚାରୀଙ୍କୁ ହାତ କରି ଚାଷୀ ପଂଜୀକରଣରେ ବ୍ୟାପକ ହେରାଫେରୀ କରାଯାଉଥିବା ହେତୁ ପ୍ରକୃତ ଚାଷୀ ହଇରାଣରେ ପଡୁଥିବା ଅଭିଯୋଗ ହେଉଛି । ଅନ୍ୟପକ୍ଷରେ ସରକାର ହଜାର ହଜାର ଚାଷୀଙ୍କ ସ୍ୱାର୍ଥ ଅପେକ୍ଷା ହାତଗଣତି ମିଲର୍ସକୁ ସୁହାଇବା ଭଲି ବ୍ୟବସ୍ଥା କରୁଥିବା ହେତୁ ଧାନ ଉଠାଣରେ ଅଯଥା ବିଲମ୍ବ ହେଉଥିବା ଚାଷୀ ମହଲରେ ଅଭିଯୋଗ ହୋଇ ଆସୁଛି ।
ଚଳିତ ଖରିଫ ରେ କଳାହାଣ୍ଡି ଜିଲ୍ଲାରେ ୭୧୩୦୪ ଜଣ ଚାଷୀ ଧାନ ବିକିବା ପାଇଁ ପଂଜୀକରଣ କରିଥିବା ବେଳେ ସେମାନଙ୍କ ମଧ୍ୟରୁ ୬୨୯୨୯ ଜଣ ଚାଷୀଙ୍କ ଠାରୁ ୪୩ ଲକ୍ଷ ୫୪ ହଜାର ୩୨୦ କ୍ୱିଂଟାଲ ଧାନ ସଂଗ୍ରହ କରାଯାଇଥିବା ବିଭାଗୀୟ ସୂତ୍ରରୁ ପ୍ରକାଶ । ଅଦ୍ୟାବଧି ୮୪୭୫ ଜଣ ଚାଷୀଙ୍କ ଠାରୁ ଧାନ ଉଠାଣ ହୋଇନପାରି ବିଭିନ୍ନ ମଣ୍ଡିରେ ପଡିରହିଛି । ଚାଷି ହାତରେ ଟୋକନ ଧରି ଧାନ ଉଠାଣ ପାଇଁ ମଣ୍ଡିରେ ଅପେକ୍ଷା କରିଥିବା ବେଳେ ପ୍ରଶାସନ କିମ୍ବା କୌଣସି ପଦାଧିକାରୀଙ୍କ ଦେଖା ମିଳୁନଥିବା କୁହାଯାଉଛି । ଗତ କିଛିଦିନ ତଳେ ହୋଇଥିବା ଲଘୁଚାପ ଜନିତ ବର୍ଷା ଯୋଗୁଁ ଅନେକ ଚାଷୀଙ୍କ ଧାନ ଭିଜିଯାଇ ନଷ୍ଟ ହୋଇଯାଇଥିବା ବେଳେ ମଧ୍ୟ କାହାର ଦୃଷ୍ଟି ପଡୁନଥିବା ଚାଷୀ ମହଲରେ ଅଭିଯୋଗ ହେଉଛି । ସମଗ୍ର ଜିଲ୍ଲାରେ ବିଶେଷ କରି ଧର୍ମଗଡ ଉପଖଣ୍ଡ ଅଂଚଳରେ ଚାଷି ବ୍ୟାପକ ବାବେ ପ୍ରଭାବିତ ହେଉଥିବା ଅଭିଯୋଗ ହେଉଛି । ଏସଂପର୍କରେ ଏକ ଉଚ୍ଚ ସ୍ତରୀୟ ତଦନ୍ତ କରିବାକୁ ଚାଷୀ ମହଲରେ ଦାବୀ ହେଉଛି ।
 

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking