43 C
Bhubaneswar
Tuesday, April 16, 2024
Homeଓଡିଶାସରକାରଙ୍କ ନୀତି ବିଭ୍ରାଟ : ଧାନ ବିକ୍ରିନେଇ ଅନିଶ୍ଚିତତାରେ ଚାଷୀ

ସରକାରଙ୍କ ନୀତି ବିଭ୍ରାଟ : ଧାନ ବିକ୍ରିନେଇ ଅନିଶ୍ଚିତତାରେ ଚାଷୀ

ପାଲଲହଡ଼ା : ଅନୁଗୁଳ ଜିଲ୍ଲାର ପାଲଲହଡ଼ା ବ୍ଲକ ଏକ କୃଷିପ୍ରଧାନ ଅଞ୍ଚଳ ହୋଇଥିବାରୁ ଧାନଚାଷୀ ଯେଭଳି ଉଚିତ୍ ମୂଲ୍ୟରେ ଧାନ ସରକାରଙ୍କୁ ସିଧାସଳଖ ବିକ୍ରି କରିପାରିବେ ସେ ନେଇ ପାଲଲହଡ଼ା ବ୍ଲକରେ ୧୧ଟି ଧାନମଣ୍ଡି ଖୋଲାଯାଇଛି । ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ସରକାରଙ୍କ ତରଫରୁ ପାଲଲହଡ଼ା ବ୍ଲକର ନିଜିଗଡ଼, ଡ଼ିମିରିଆ, ଝାରବେଡ଼ା, ସଲଡ଼ା, ଚଷାଗୁରୁଜଙ୍ଗ,ବଡ଼ସଡ଼ା, ଖମାର, ଶଙ୍ଖମୁର, କୁଞ୍ଜାମ, ମୁଣ୍ଡୁରିଦେଡ଼ା ଓ ଇଞ୍ଜିଡ଼ ପଞ୍ଚାୟତର ସୋସାଇଟି ଅଫିସରେ ମୋଟ ୧୧ଟି ମଣ୍ଡି ଖୋଲାଯାଇଛି । ଉକ୍ତ ୧୧ଟି ଧାନମଣ୍ଡିରୁ ନିଜିଗଡ଼ ସୋସାଇଟି ଧାନମଣ୍ଡିରେ ସର୍ବାଧିକ ଚାଷୀ ଧାନ ବିକ୍ରି କରିବାକୁ ରେଜିଷ୍ଟ୍ରେସନ କରିଛନ୍ତି । ତେବେ ଗତବର୍ଷ ସପ୍ତାହରେ ଦୁଇଦିନ ଧାନମଣ୍ଡି ଖୋଲାଯିବାକୁ ସମୟ ଧାର୍ଯ୍ୟ ହୋଇଥିଲାବେଳେ ଚଳିତବର୍ଷ ସପ୍ତାହକୁ ଗୋଟିଏ ଦିନ ଏହା ଖୋଲିବ ବୋଲି ସ୍ଥିର କରାଯାଇଥିବାରୁ ବହୁ ଚାଷୀ ଧାନ ବିକ୍ରି କରିବାରୁ ବଞ୍ଚିତ ହେବେ ବୋଲି ଆଶଙ୍କା କରାଯାଉଛି ।
ସୂଚନା ଅନୁଯାୟୀ, ଗତବର୍ଷ ୪୫୦ଜଣ ଚାଷୀ ଧାନବିକ୍ରି ପାଇଁ ସରକାରଙ୍କଠାରେ ରେଜିଷ୍ଟ୍ରେସନ କରିଥିଲେ । ତେବେ ସେଥିମଧ୍ୟରୁ ୫୦ରୁ ୬୦ଜଣ ଚାଷୀ ଧାନ ବିକିବାରୁ ବଞ୍ôଚତ ହୋଇଥିଲେ । ମାତ୍ର ଚଳିତବର୍ଷ ନିଜିଗଡ଼ ପଞ୍ଚାୟତ ଅଧୀନରେ ମୋଟ ୫୦୫ଜଣ ଚାଷୀ ଧାନ ବିକ୍ରି ପାଇଁ ରେଜିଷ୍ଟ୍ରେସନ କରିଥିବା ଜଣାପଡ଼ିଛି । ହେଲେ ସପ୍ତାହକୁ ଗୋଟିଏ ଦିନ ଧାନମଣ୍ଡି ଖୋଲିବାର ଧାର୍ଯ୍ୟ ହୋଇଥିବାରୁ ସପ୍ତାହକୁ ଏକହଜାର କ୍ୱିଣ୍ଟାଲ ଧାନ ୨୦ରୁ ୨୫ଜଣ ଚାଷୀଙ୍କଠାରୁ କିଣାଯିବାର ବ୍ୟବସ୍ଥା ରହିଛି । ଉକ୍ତ ମଣ୍ଡିରେ ଧାନ କିଣା ମାର୍ଚ୍ଚମାସରେ ଶେଷ ହେବାର ଧାର୍ଯ୍ୟ ହୋଇଥିବାରୁ ଗଣନା କଲେ ମାର୍ଚ୍ଚମାସ ସୁଦ୍ଧା ମାତ୍ର ୧୩ରୁ ୧୪ଥର ମଣ୍ଡି ଖୋଲାଯାଇପାରିବ । ଫଳରେ ପାଖାପାଖି ୧୪୦୦୦ କ୍ୱିଣ୍ଟାଲ ଧାନ ସରକାର ଚାଷୀଙ୍କଠାରୁ ଗ୍ରହଣ କରିବେ ଓ ମାତ୍ର ୩୦୦ ଚାଷୀ ଧାନ ବିକ୍ରି କରିପାରିବେ । ଏହାଦ୍ୱାରା ଧାନ ବିକ୍ରି କରିବାକୁ ରେଜିଷ୍ଟ୍ରେସନ କରିଥିବା ୨୦୦ରୁ ଊର୍ଦ୍ଧ୍ୱ ଚାଷୀ ଧାନ ବିକ୍ରି କରିବାରେ ବିଫଳ ହେବେ । ଗତବର୍ଷ ସପ୍ତାହକୁ ଦୁଇଥର ମଣ୍ଡି ଖୋଲି ୪୦୦ଜଣ ଚାଷୀଙ୍କଠାରୁ ୧୪୨୦୦ କ୍ୱିଣ୍ଟାଲ ଧାନ ଖରିଦ୍ କରାଯାଇଥିଲା । ଚଳିତବର୍ଷ ସପ୍ତାହକୁ ଥରେ ମଣ୍ଡି ଖୋଲୁଥିବାରୁ ଆହୁରି ୨୦୦ ଧାନଚାଷୀ ବାଦ୍ ପଡ଼ିବେ ବୋଲି ସରକାରୀ ହିସାବ ଦର୍ଶାଉଛି । ଏସମ୍ପର୍କରେ ନିଜିଗଡ଼ ସୋସାଇଟିର ସମ୍ପାଦକ ଡିଲେଶ୍ୱର ପ୍ରଧାନଙ୍କୁ ପଚାରିବାରୁ ସେ କହିଲେ ଯେ ଧାନବିକ୍ରି ନେଇ ସରକାରୀ ହିସାବ ଅନୁସାରେ ୨୦୦ଚାଷୀ ଧାନ ବିକ୍ରି କରିବାରୁ ବଞ୍ôଚତ ହେବେ । ଏହି ସମସ୍ୟା ନେଇ ସେ ଜିଲ୍ଲା ଯୋଗାଣ ବିଭାଗ ଅଧିକାରୀଙ୍କୁ ଅବଗତ କରାଇସାରିଛନ୍ତି । ଅନ୍ୟପକ୍ଷରେ ଜିଲ୍ଲା ଯୋଗାଣ ବିଭାଗ ଅଧିକାରୀ ଉମାଶଙ୍କର ପତି ଖୁବଶୀଘ୍ର ଉକ୍ତ ସମସ୍ୟା ଉପରେ ଅନୁଧ୍ୟାନ କରାଯାଇ ଚାଷୀଙ୍କ ସ୍ୱାର୍ଥରକ୍ଷା ନିମନ୍ତେ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି । ତେବେ ସପ୍ତାହରେ ଦୁଇଥର ପରିବର୍ତ୍ତେ ଥରେ ମଣ୍ଡି ଖୋଲିବାକୁ ସରକାର ନିଷ୍ପତ୍ତି ନେଇଥିବାରୁ ଏହା ଚାଷୀ ମହଲରେ ତୀବ୍ର ଅସନ୍ତୋଷ ସୃଷ୍ଟି କରିଛି । ଚାଷୀ ଧାନ ବିକି ପୁରୁଣା ଋଣ ସୁଝିବା ସହ ପରବର୍ତ୍ତୀ ଫସଲ ପାଇଁ ପୁଞ୍ଜି ଯୋଗାଡ଼ କରିଥାଏ । ଏହାବାଦ ପରିବାର ଚଳିବା ପାଇଁ ଆବଶ୍ୟକ ଅର୍ଥ ଏଥିରୁ ଖର୍ଚ୍ଚ କରେ । ଏବେ ସରକାରଙ୍କ ବିଭ୍ରାଟପୂର୍ଣ୍ଣ ନୀତି କାରଣରୁ ଚାଷୀ ଧାନ ବିକିବା ନେଇ ଅନିଶ୍ଚିତତା ଘେରରେ ରହିଛି । ପୂର୍ବପରି ସପ୍ତାହକୁ ୨ଥର ମଣ୍ଡି ଖୋଲାନଗଲେ ଚାଷୀମାନେ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking