ବୀମାରାଶି ପ୍ରଦାନ ଦାବୀରେ ଚାଷୀଙ୍କ ଗଣଧାରଣା

ତିହିଡ଼ି : ଭଦ୍ରକ ଜିଲା ତିହିଡ଼ି ବ୍ଲକ୍ କାଁପଡ଼ା ପଞ୍ଚାୟତ ଅଧୀନ ଦପା ଗ୍ରାମର କ୍ଷତିଗ୍ରସ୍ତଙ୍କୁ ବୀମା ରାଶି ପ୍ରଦାନ ଦାବିରେ ବାଲେଶ୍ୱର-ଭଦ୍ରକ କେନ୍ଦ୍ର ସମବାୟ ବ୍ୟାଙ୍କ ସାମ୍ନାରେ ଚାଷୀମାନେ ଗଣଧାରଣା ଦେଇଥିଲେ । ପ୍ରକାଶ ଯେ, ଗତବର୍ଷ ବାତ୍ୟା ଓ ବନ୍ୟାରେ କାଁପଡ଼ା ପଞ୍ଚାୟତରେ ଖରିଫ୍ ଧାନଚାଷ ନଷ୍ଟ ହୋଇଥିଲା । ଗ୍ରାମର ୨୦୯ ଜଣ ଚାଷୀ ଶ୍ୟାମସୁନ୍ଦରପୁର ସମବାୟ ସମିତିରୁ ଋଣ କରି ଚାଷ କରିଥିଲେ । ଚାଷ ଉଜୁଡ଼ି ଯିବାରୁ ସେମାନେ ଋଣ ପ୍ରଦାନ କରିବା ନେଇ ଚିନ୍ତାରେ ପଡ଼ିଥିଲେ । ପରେ କୃଷିବିଭାଗ ଓ ରାଜସ୍ୱ ନିରୀକ୍ଷକଙ୍କ ଯୁଗ୍ମ ତଦନ୍ତରେ ପଞ୍ଚାୟତରେ ୭୬ ପ୍ରତିଶତ କ୍ଷତି ହୋଇଥିବା ରିପୋର୍ଟ ପ୍ରଦାନ କରାଯାଇଥିଲା । ତେବେ ସେହି ଋଣୀ ଚାଷୀଙ୍କ ମଧ୍ୟରୁ ୧୩୨ଜଣ ଚାଷୀ ବୀମାରାଶି ପାଇଥିଲେ । ଅନ୍ୟ ୭୭ଜଣ ଚାଷୀଙ୍କ ମଧ୍ୟରୁ ୧୩ଜଣଙ୍କ ନାଁ ତାଲିକାରେ ନଥିବା ବେଳେ ୬୪ଜଣ ଚାଷୀ ଶ୍ୟାମସୁନ୍ଦରପୁର ପଞ୍ଚାୟତ ଚାଷୀଙ୍କ ତାଲିକାଭୁକ୍ତ ହୋଇ ଯାଇଥିଲେ । ଶ୍ୟାମସୁନ୍ଦରପୁର ପଞ୍ଚାୟତରେ ୩୪ପ୍ରତିଶତ କ୍ଷତି ହୋଇଥିବା ଦର୍ଶା ଯାଇଥିବାରୁ ଏହି ଚାଷୀମାନେ ବୀମାରାଶି ପାଇବାରୁ ବଞ୍ôଚତ ହୋଇଥିଲେ । ଦପା ଗ୍ରାମର ୧୩୨ ଜଣ ଚାଷୀ ବୀମାରାଶି ପାଇଥିଲା ବେଳେ ଅବଶିଷ୍ଟ କାହିଁକି ନପାଇବେ ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଗ୍ରାମର ଚାଷୀମାନେ ଗତ ମାସ ୨୩ ତାରିଖରେ ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀ, କୃଷି ମନ୍ତ୍ରୀ, ଜିଲାପାଳଙ୍କ ସମେତ ଓରିଏଣ୍ଟାଲ ଶଶ୍ୟବୀମାର ଜୋନାଲ ମ୍ୟାନେଜର ପ୍ରମୁଖଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏହାର ତଦନ୍ତ କରି କ୍ଷତିଗ୍ରସ୍ତ ଚାଷୀଙ୍କୁ ଶଶ୍ୟ ବୀମା ପ୍ରଦାନ କରିବାକୁ ସେମାନେ ଦାବି ଜଣାଇଥିଲେ । ମାତ୍ର କୌଣସି ପଦକ୍ଷେପ ନିଆନଯିବାରୁ ଭାଗିରଥି ଦାସ, ନିରଞ୍ଜନ ଦାସ, ଚକ୍ରଧର ଦାସ, ଗଣେଶ ଦାସ, ତ୍ରିଲୋଚନ ଦାସ, ମହେନ୍ଦ୍ର ଦାସ, କନକ ଦାସ, ସାବ ଦାସ, ବୈଲୋଚନ ଦାସ ପ୍ରମୁଖ ଚାଷୀମାନେ ବ୍ୟାଙ୍କ ସାମ୍ନାରେ ଧାରଣା ଦେଇଥିଲେ । ବ୍ୟାଙ୍କ ପରିଚାଳକ ମହେନ୍ଦ୍ର ନାୟକ ଚାଷୀମାନଙ୍କ ସହ ଆଲୋଚନା କରିବା ପରେ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଅବଗତ କରାଇ ସମସ୍ୟାର ସମାଧାନ ପାଇଁ ଉଦ୍ୟମ କରିବେ ବୋଲି କହିବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା ।