31.1 C
Bhubaneswar
Friday, March 29, 2024
Homeଓଡିଶାଚାଷୀଙ୍କ ଆଇନ ଅମାନ୍ୟ ଆନ୍ଦୋଳନ : ଅନିର୍ଦ୍ଦିଷ୍ଟ କାଳ ରାସ୍ତା ଅବରୋଧ

ଚାଷୀଙ୍କ ଆଇନ ଅମାନ୍ୟ ଆନ୍ଦୋଳନ : ଅନିର୍ଦ୍ଦିଷ୍ଟ କାଳ ରାସ୍ତା ଅବରୋଧ

ଜମନକିରା : ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡ ଚାଷୀଙ୍କୁ ୨୦୧୮ ମସିହାର ଖରିଫ ଧାନ ଚାଷର ବୀମା ରାଶି ପ୍ରଦାନ କରାଯାଇ ନାହିଁ । ସେଥିପାଇଁ ଶୁକ୍ରବାର ପୂର୍ବ ନିଷ୍ପତିକ୍ରମେ କୁଚିଣ୍ଡା ସମେତ ବାମରା ଓ ଜମନକିରା ବ୍ଲକ୍ ସଦର ମହକୁମା ଗୁଡ଼ିକରେ ଆଇନ ଅମାନ୍ୟ ଆନ୍ଦୋଳନ ସାଙ୍ଗକୁ ଦାବି ପୂରଣ ନହେବା ଯାଏଁ ରାଜରାସ୍ତା ୪୯ ଓ ୫୩କୁ ଅବରୋଧ କରାଯିବ ବୋଲି ମିଳିତ ଚାଷୀ ସଂଗଠନ ପକ୍ଷରୁ କୁହାଯାଇଛି । ବ୍ଲକ୍ ଗୁଡ଼ିକରେ ଥିବା ସମସ୍ତ ସ୍କୁଲ, କଲେଜ, ବ୍ୟାଙ୍କ, ଦୋକାନ ବଜାର, ସରକାରୀ ଓ ବେସରକାରୀ ଅନୁଷ୍ଠାନ ଗୁଡ଼ିକୁ ଚାଷୀଙ୍କ ପକ୍ଷରୁ ପିକେଟିଂ କରାଯାଇ ବନ୍ଦ କରାଯାଇଛି । ତେବେ ଲୋକେ ନିଜ ନିଜ ଦୋକାନ ଓ ବ୍ୟବସାୟିକ ସଂସ୍ଥା ବନ୍ଦ କରିଛନ୍ତି । ୪୯ ଓ ୫୩ନଂ ରାଜରାସ୍ତା ବନ୍ଦ ଫଳରେ ଶହସ୍ରାଧିକ ଯାନ ରାସ୍ତାର ଉଭୟପଟେ ଛିଡ଼ା ହୋଇ ରହିଛି । ଦୋକାନ ବଜାର ବନ୍ଦ ଯୋଗୁଁ ଯାତାୟତ କରୁଥିବା ଚାଳକ, ଖଲାସି, ଯାତ୍ରୀ ନାହିଁ ନଥିବା ସମସ୍ୟାରେ ପଡ଼ିଛନ୍ତି । ଚାଳକ ଓ ଖଲାସିମାନେ ଖାଦ୍ୟ ନପାଇ ଭୋକ ଉପାସରେ ରହିଛନ୍ତି । ଖବର ଲେଖାଯିବା ପର୍ଯ୍ୟନ୍ତ ଧାରଣାସ୍ଥଳକୁ କୌଣସି ଅଧିକାରୀ ଆସିନଥିବା ଦେଖାଯାଇଛି ।
ସୂଚନା ଅନୁଯାୟୀ, କୃଷି ଆର୍ଥିକ ବର୍ଷ ୨୦୧୮-୧୯ରେ ଜମନକିରା ତଥା କୁଚିଣ୍ଡା ଉପଖଣ୍ଡର ଚାଷୀ ଭୟାଭୟ ମରୁଡ଼ିର ଶିକାର ହୋଇଥିଲେ । କିନ୍ତୁ ସରକାରଙ୍କ ପକ୍ଷରୁ ୨୦୧୮-୧୯ ସମୟର ବୀମାରାଶି ପ୍ରଦାନ କରାଯାଇନଥିଲା । ଏନେଇ ସରକାର ଓ ପ୍ରଶାସନକୁ ବାରମ୍ବାର ଜଣାଇବା ସତ୍ୱେ ବୀମା ସହାୟତା ରାଶି ପ୍ରଦାନ କରାଯାଇ ନାହିଁ । କିଛି ଦିନ ପୂର୍ବରୁ କୁଚିଣ୍ଡା ଉପଖଣ୍ଡର ଚାଷୀ ଏକତ୍ରିତ ହୋଇ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ୩୩ ଦିନ ଧରି ଧାରଣାରେ ବସିଥିଲେ । ପ୍ରଶାସନ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବାରୁ ଗତ ଅକ୍ଟୋବର ମାସ ୧୧ ତାରିଖ ଦିନ ମହାବନ୍ଦ ଡାକରା ଦିଆଯାଇଥିଲା । ଏଥିସହ ବାମରାରେ ରେଳ ରୋକ ମଧ୍ୟ କରାଯାଇଥିଲା ।
ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ୪୨ଦିନ ଧରି ୨୪ ଘଂଟିଆ ରିଲେ ଅନଶନ କରାଗଲା । କେନ୍ଦ୍ର, ରାଜ୍ୟ ତଥା ବୀମା କମ୍ପାନୀ ଚାଷୀଙ୍କ ଦୁଃଖ ନଶୁଣିବାରୁ ବାଧ୍ୟହୋଇ ମିଳିତ ଚାଷୀ ସଂଗଠନର ନିଷ୍ପତିକ୍ରମେ ଗତ ଡିସେମ୍ବର ୧୧ ତାରିଖରୁ ୨୫ ତାରିଖ ପର୍ଯ୍ୟନ୍ତ ଜମନକିରା ବ୍ଲକର ୨୧ଟି ପଂଚାୟତରେ ତାଲା ପକେଇଥିଲେ । ଜମନକିରା ବ୍ଲକରେ ଥିବା କସଡ଼ା ପଂଚାୟତର ଚାଷୀଙ୍କୁ କେବଳ ବୀମା ରାଶି ପ୍ରଦାନ କରାଯାଇଛି । ତେବେ କସଡ଼ା ଚାଷୀମାନେ ଅନ୍ୟ ପଂଚାୟତର ଚାଷୀଙ୍କୁ ସହଯୋଗ କରିବା ପାଇଁ ଗତ ୨୭ ତାରିଖରେ ପଂଚାୟତରେ ତାଲା ପକେଇ ଅନ୍ୟ ପଂଚାୟତର ଚାଷୀଙ୍କୁ ଏକତାର ବାର୍ତା ଦେଇଥିଲେ । କୁଚିଣ୍ଡା ଉପଖଣ୍ଡରେ ଥିବା ୫୫ଟି ପଂଚାୟତରେ ଚାଷୀମାନେ ତାଲା ପକେଇଥିବା ବେଳେ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇ ନାହିଁ ।
କୁଚିଣ୍ଡା କୃଷକ ସୁରକ୍ଷା ସଂଗଠନର ଆବାହକ କୁଷଧ୍ୱଜ ଚୌଧୁରୀଙ୍କ ଆବାହକତ୍ୱରେ ଶନିବାର ଜମନକିରା ବ୍ଲକ୍ କାର୍ଯ୍ୟାଳୟସ୍ଥିତ ରାଜରାସ୍ତା ୫୩ ଅବରୋଧ କରାଯାଇଛି । ଏଥିରେ ଜିଲ୍ଲା ସଂଗଠନର ଚାଷୀନେତା ମଧ୍ୟ ସାମିଲ ହୋଇ ଦାବି ଜଣାଇଛନ୍ତି । ଜମନକିରା ବ୍ଲକ୍‌ର ୯ଟି କୃଷକ ସୁରକ୍ଷା ସଂଗଠନର ୪ହଜାରରୁ ଅଧିକ ଚାଷୀ ସାମିଲ ହୋଇଛନ୍ତି । ଦାବି ପୂରଣ ନେଇ ପ୍ରଶାସନ, ସରକାରଙ୍କ ପକ୍ଷରୁ ସବୁଜ ସଂକେତ ନମିଳିବା ଯାଏ ଆନ୍ଦୋଳନ ଜାରି ରହିବ ବୋଲି ଚାଷୀ ସଂଗଠନ ପକ୍ଷରୁ କୁହାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking