29.1 C
Bhubaneswar
Friday, April 26, 2024
Homeଓଡିଶାମଣ୍ଡିରେ ପଡ଼ିରହିଛି ଶହ ଶହ କ୍ୱିଂଟାଲ ଧାନ : ଜଗି ବସିଛନ୍ତି ଚାଷୀ

ମଣ୍ଡିରେ ପଡ଼ିରହିଛି ଶହ ଶହ କ୍ୱିଂଟାଲ ଧାନ : ଜଗି ବସିଛନ୍ତି ଚାଷୀ

ମୁନିଗୁଡ଼ା : ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ବ୍ଲକର ଅଧିକାଂଶ ମଣ୍ଡିରେ ପଡ଼ିରହିଛି ଶହ ଶହ କ୍ୱିଂଟାଲ ଧାନ । ଅଦିନିଆ ବର୍ଷାରେ ଧାନ ଭିଜୁଥିବାବେଳେ ବିଭାଗୀୟ ଅଧିକାରୀଙ୍କ ଦେଖାଦର୍ଶନ ନାହିଁ । ରାଜ୍ୟର ବିଭିନ୍ନ ଅଂଚଳର ଅଦିନିଆ ବର୍ଷା ହୋଇଥିବାବେଳେ ଆସନ୍ତା ୫ ତାରିଖ ପର୍ଯ୍ୟନ୍ତ ଏହା ଜାରିରହିବ ବୋଲି ବିଭିନ୍ନ ମଣ୍ଡିରେ ପଲିଥିନ ଘୋଡ଼େଇ ହୋଇ ଜଗିବସିଛନ୍ତି ଚାଷୀମାନେ । ମଣ୍ଡି ଖୋଲିବାରେ ୨୫ଦିନ ବିତିଗଲାଣି । ବିଭାଗୀୟ ଅଧିକାରୀଙ୍କ ବେପରୁଆ ମନୋଭାବ ନେଇ ମଣ୍ଡିରୁ ଧାନ ଉଠୁନି କି ତା’ପ୍ରାପ୍ୟ ପାଉନି ଚାଷୀ ।
ସୂଚନା ଅନୁଯାୟୀ, ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ବ୍ଲକର କୁମୁଡ଼ାବାଲି, ମୁନିଖୋଲ, ଅମ୍ବାଦଳା ଓ ଜଗଦଲପୁର ଅଂଚଳର ଶହ ଶହ ଚାଷୀ ଧାନ ବିକ୍ରୟକୁ ନେଇଥିବା ବ୍ୟବସ୍ଥା ଉପରେ ଘୋର ଅସନ୍ତୋଷ ବ୍ୟକ୍ତ କରିଛନ୍ତିି । କୁମୁଡ଼ାବାଲିର ଚାଷୀ ରୁଦ୍ର ମୁଦୁଲି ଓ ସନ୍ତୋଷ ସାଙ୍କେରୀ ପ୍ରମୁଖ ମଣ୍ଡିରେ ପଡ଼ିରହିଥିବା ଧାନ ଲଗାଣବର୍ଷାରେ ଭିଜିଯାଉଥିବା ଓ ପଲିଥିନ କାମ ଦେଉନଥିବା କହିବା ସହ ଚାଷୀଙ୍କ ବର୍ଷକ ପରିଶ୍ରମ ମାଟିରେ ମିଶିଯିବ ବୋଲି କହିଥିଲେ । କିଛି ଚାଷୀ ସାହୁକାରଙ୍କ ପାଖରୁ ଧାର କରି ଧାନ ଚାଷ କରିଥିବା କହିବା ସହ ମଣ୍ଡିରେ କାହାରି ଦେଖାନାହିଁ ବୋଲି କହୁଥିଲେ ।
ଅଦିନିଆ ବର୍ଷା ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗିଦେଉଥିବାବେଳେ ସରକାରୀ କ୍ରୟ ବ୍ୟବସ୍ଥା ଚାଷୀଙ୍କୁ ହତାଶ କରୁଛି । କିଛି କିଛି ଚାଷୀ ବାଧ୍ୟହୋଇ ବେପାରୀଙ୍କୁ କମଦାମରେ ଧାନ ବିକ୍ରୟ କରିବାକୁ ବାଧ୍ୟହେଉଛନ୍ତି । କେତେଦିନ ସରକାରୀ ବାବୁଙ୍କୁ ଆଉ ଅପେକ୍ଷା କରିବ ଏ ଶୀତ ଆଉ ବର୍ଷାରେ । ଏ ବିଷୟକୁ ନେଇ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟାକରି ବାରମ୍ବାର ବିଫଳ ହୋଇଥିଲେ ଚାଷୀମାନେ । ଚାଷୀଙ୍କ ହିତଦୃଷ୍ଟିରୁ ଶୀଘ୍ର୍ର ମଣ୍ଡିରୁ ଧାନ ଉଠାଇବାର ବ୍ୟବସ୍ଥା ବିଭାଗୀୟ କର୍ତୃପକ୍ଷ କରିବାକୁ ସେମାନେ ଦାବି କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking