ରାଞ୍ଚି: ଅଧାରେ ରହିଗଲା ଘର ବାହୁଡା । ଝିଅକୁ ବିଦା କରି ଘରକୁ ଫେରୁଥିବା ବେଳେ ଅଧାବାଟରେ ଡାକିନେଲା ଯମ । ବିବାହ କରାଇ ଫେରୁଥିବା ବେଳେ ନିୟନ୍ତ୍ରଣ ହରାଇ ଓଲଟିଲା ପିକଅପ ଭ୍ୟାନ । ଘଟଣାସ୍ଥଳରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୯ ଜଣ ଆହତ ହୋଇଥିବା ସୂଚନା ମିଳିଛି । ଆହତଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଝାଡଖଣ୍ଡ ଗୁମଲାର ଡୁମରୀରେ ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା ହୋଇଛି । ମୃତକଙ୍କ ମଧ୍ୟରେ କନ୍ୟାର ପିତା ମାତା ରହିଥିବା ସୂଚନା ମିଳିଛି । ତେବେ ମେଟ ଆହତ ୨୯ଜଣଙ୍କ ମଧ୍ୟରୁ ୧୧ଜଣ ଅବସ୍ଥା ସଙ୍କଟାପର୍ଣ୍ଣ ରହିଥିବା ଜଣାପଡିଛି । ସୂଚନା ଅନୁଯାୟୀ, ଦୁର୍ଘଟଣା ସମୟରେ ପିକଅପ ଭ୍ୟାନରେ ୪୫ରୁ ୫୫ଜଣ ରହିଥିଲେ ।
ଡୁମରୀର ସାରଙ୍ଗଡିହରେ ବିବାହ ଉତ୍ସରେ ଯୋଗ ଦେଇ ଘରକୁ ଫେରୁଥିଲେ । ସେହି ସମୟରେ ଜରଡା ଗ୍ରାମ ନିକଟରେ ଭାରସାମ୍ୟ ହରାଇ ପିକଭ୍ୟାନ ଓଲଟିପଡିଥିଲା । ଫଳରେ ପିକଅପ ଭ୍ୟାନରେ ରହିଥିବା ଯାତ୍ରୀଙ୍କ ମଧ୍ୟରୁ ୪ ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ୨୯ଜଣ ଆହତଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ହୋଇଥିବା ଜଣାପଡିଛି । ଆହତଙ୍କୁ ପ୍ରଥମେ ଉଦ୍ଧାର କରାଯାଇ ଚେନପୁର ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସ୍ୱାସ୍ଥ୍ୟବସ୍ଥା ଠିକ ନଥିବା ଯୋଗୁଁ ସଦର ଡାକ୍ତର ଖାନାକୁ ସ୍ଥାନାନ୍ତର କରାଯାଇଛି । ଖବରପାଇ ଜିଲ୍ଲାର ବରିଷ୍ଠ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ । ଜାରି ପୋଲିସ ସମସ୍ତ ଆହତଙ୍କୁ ଉଦ୍ଧାର କରି ଏକ ବସରେ ସମସ୍ତଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଅନ୍ୟପଟେ ଦୁର୍ଘଟଣା ଖବର ପାଇବା ପରେ ସଦର ହସ୍ପିଟାଲରେ ମଧ୍ୟ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା । ଆହତମାନେ ପହଞ୍ଚିବା କ୍ଷଣି ସମସ୍ତ ପ୍ରକାର ଚିକିତ୍ସା ସୁବିଧା ଯୋଗାଇ ଦିଆଯାଇଥିଲା ।