27.1 C
Bhubaneswar
Thursday, April 25, 2024
Homeଓଡିଶା୩୦ ବର୍ଷ ହେଲା ଜମି ଆଶାରେ ଭୂମିହୀନ ପରିବାର

୩୦ ବର୍ଷ ହେଲା ଜମି ଆଶାରେ ଭୂମିହୀନ ପରିବାର

ବେଗୁନିଆ : ବସୁନ୍ଧରା ଯୋଜନା ମାଧ୍ୟମରେ ଭୂମିହୀନଙ୍କୁ ଥଇଥାନ କରାଯାଉଥିବା କୁହାଯାଉଥିଲେ ହେଁ ଅନେକ ପରିବାର ଅଦ୍ୟାବଧି ଭୂମି ପାଇନାହାନ୍ତି । ଏକ ଭୂମିହୀନ ପରିବାର ମୁଣ୍ଡ ଗୁଞ୍ଜିବା ପାଇଁ ୩୦ ବର୍ଷ ହେଲା ୪୦ ଡିସିମିଲ ଜାଗା ପାଇଁ ମୁଖ୍ୟମନ୍ତ୍ରୀ, ଜିଲ୍ଲାପାଳ, ଉପଜିଲ୍ଲାପାଳ ଓ ବେଗୁନିଆ ତହସିଲଦାରଙ୍କୁ ବାରମ୍ବାର ଜଣାଇଥିଲେ ମଧ୍ୟ କେହି ଏଥିପ୍ରତି କର୍ଣ୍ଣପାତ କରୁନଥିବା ଅଭିଯୋଗ ହୋଇଛି । ତେଣୁ ସପରିବାର ଜିଲ୍ଲାପାଳଙ୍କ ଅଫିସ ଆଗରେ ଆମରଣ ଅନଶନ ସହ ଆତ୍ମାହୁତି ଦେବା ପାଇଁ ନିଷ୍ପତ୍ତି ନେଇ ଗତ୨ ତାରିଖରେ ଜିଲ୍ଲାପାଳଙ୍କୁ ଲିଖିତ ଭାବେ ଜଣାଇଛନ୍ତି ।ସୂଚନା ଅନୁଯାୟୀ, ପୁରୀଜିଲ୍ଲା ଅନ୍ତର୍ଗତ କଣାସ ମାଟିଆପଡ଼ା ଗ୍ରାମର ଭିକାରୀ ବେହେରା(୭୦) ଦାରିଦ୍ର‌୍ୟ ଯୋଗୁଁ ନିଜର ଭିଟାମାଟି ଖଣ୍ଡକ ବିକ୍ରୟ କରି ଚାରିଝିଅଙ୍କୁ ବିବାହ ଦେଲାପରେ ଏବେ ଚାହାଳୀ ମାଡ଼ିନଥିବା ଏକ ୧୮ ବର୍ଷର ପୁଅକୁ ନେଇ ଦୀର୍ଘ ୩୦ ବର୍ଷ ହେବ ବେଗୁନିଆ ବ୍ଲକ୍ କୁଞ୍ଜୁରୀ ପଞ୍ଚାୟତ ଅନ୍ତର୍ଗତ କୋକସିଂହ ଗ୍ରାମରେ ଏକ ସରକାରୀ ଜାଗାରେ ଝାଟିମାଟି କୁଡ଼ିଆ କରି ରହୁଛନ୍ତି । ସମ୍ବଳ ବୋଲି ତାଙ୍କର ଆଉ କିଛି ନାହିଁ । ନିଜ ନାମରେ ଜାଗା ଖଣ୍ଡିଏ ନଥିବାରୁ ପାଉଥିବା ବାର୍ଦ୍ଧକ୍ୟ ଭତ୍ତାରେ ଦୈନନ୍ଦିନ ବହୁ କଷ୍ଟରେ ଚଳିଥାନ୍ତି । ସରକାରଙ୍କ ପକ୍ଷରୁ ମାଳମାଳ ଯୋଜନା କରାଯାଉଥିବାବେଳେ ଭିକାରୀ ଏବଂ ତାଙ୍କ ପରିବାର ପାଇଁ ସେସବୁ ଧୂଆଁବାଣ ସଦୃଶ ହୋଇଛି । ଏହି ପରିବାର ଦୁଃଖ ସହିନପାରି ଗତବର୍ଷ ସେପ୍ଟେମ୍ବର ୩୧ ତାରିଖରେ କୋକସିଂହର ଗ୍ରାମ କମିଟି ସଭାପତି ପରମାନନ୍ଦ ଖାଡ଼ଙ୍ଗା ଓ ସମ୍ପାଦକ ବସନ୍ତ କୁମାର ଦାଶ ଘଟଣାରେ ହସ୍ତକ୍ଷେପ କରିଥିଲେ ।
ଭିକାରୀ ବାସ କରୁଥିବା ଜାଗାର ପଟ୍ଟା ତାଙ୍କ ନାମରେ ପ୍ରଦାନ କରିବାକୁ ଗ୍ରାମ କମିଟି ପକ୍ଷରୁ ଅନୁମୋଦନ କରାଯାଇ ସରପଞ୍ଚ ମନୋରମା ସାହୁଙ୍କୁ ପ୍ରଦାନ କରାଯାଇଥିଲା । ସରପଞ୍ଚ ମଧ୍ୟ ଏହି ଘଟଣାକୁ ହୃଦୟଙ୍ଗମ କରି ଉଚ୍ଚ କର୍ତ୍ତୃପକ୍ଷ ଜଣାଇବା ସହ ସରକାରୀ ଜାଗାଟିକୁ ତାଙ୍କ ନାମରେ କରାଗଲେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସେ ଗୃହ ନିର୍ମାଣ ପାଇଁ କାର୍ଯ୍ୟାଦେଶ ପାଇପାରନ୍ତେ ବୋଲି ସୁପାରିଶ କରିଥିଲେ । ମାତ୍ର ଏଥିପ୍ରତି ଗୁରୁତ୍ୱ ଦିଆନଯିବାରୁ ଗତ ନଭେମ୍ବର ୨ରେ ବେଗୁନିଆ ତହସିଲଦାର, ଜିଲ୍ଲାପାଳ ଏବଂ ମୁଖ୍ୟମନ୍ତ୍ରୀଙ୍କୁ ଏ ସମ୍ପର୍କରେ ଅବଗତ କରାଯାଇଥିଲା । କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରୁ ବେଗୁନିଆ ତହସିଲଦାରଙ୍କ ନିକଟକୁ ଚିଠି କରାଯାଇ କାର୍ଯ୍ୟାନୁଷ୍ଠାନ ନିମନ୍ତେ ନିର୍ଦ୍ଦେଶ ଦିଆଯାଇଥିଲା । ଏହାସତ୍ତ୍ୱେ ଘଟଣାରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିଲା । ଅନ୍ୟପକ୍ଷରେ ଗତ ଜାନୁୟାରୀ ୧୩ରେ ବେଗୁନିଆରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣିରେ ମଧ୍ୟ ତାଙ୍କୁ ନିରାଶ ହେବାକୁ ପଡ଼ିଥିଲା । ଏହାପରେ ସେ ଇଚ୍ଛାମୃତ୍ୟୁ ନିମନ୍ତେ ଗୁହାରୀ କରିଥିଲେ । ଏହାପରେ ଜିଲ୍ଲାପାଳ ପତ୍ର ନମ୍ବର ୮୫୮୯ରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ଉପଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ । ତଥାପି ପ୍ରଶାସନ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବାରୁ ମାର୍ଚ୍ଚ ୨ରେ ଆୟୋଜିତ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ ଚଳିତମାସ ୨୭ ତାରିଖରେ ଆମରଣ ଅନଶନ ସହ ଆତ୍ମାହୁତି ଦେବା ପାଇଁ ଜଣାଇଛନ୍ତି । ପରେ ଜିଲ୍ଲାପାଳ ବେଗୁନିଆ ତହସିଲଦାରଙ୍କୁ ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି । ବେଗୁନିଆ ତହସିଲଦାର ବିବେକାନନ୍ଦ ପରିଡ଼ା ବାଘମାରୀ ରାଜସ୍ୱ ନିରୀକ୍ଷକଙ୍କ କାର୍ଯାଳୟର କର୍ମଚାରୀଙ୍କୁ ଘଟଣାସ୍ଥଳକୁ ପଠାଇ ତଦନ୍ତ କରୁଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking