30.1 C
Bhubaneswar
Thursday, April 25, 2024
Homeଓଡିଶା୨ୟ ବିବାହକୁ ବିରୋଧ କରିବାରୁ ପ୍ରଥମ ସ୍ତ୍ରୀକୁ ନିସ୍ତୁକ ମାଡ଼ ଘଟଣା : ଥାନାରେ ମାମଲା

୨ୟ ବିବାହକୁ ବିରୋଧ କରିବାରୁ ପ୍ରଥମ ସ୍ତ୍ରୀକୁ ନିସ୍ତୁକ ମାଡ଼ ଘଟଣା : ଥାନାରେ ମାମଲା

ଦାରିଙ୍ଗବାଡ଼ି : ସ୍ୱାମୀର ୨ୟ ବିବାହକୁ ବିରୋଧ କରିବାରୁ ପ୍ରଥମ ସ୍ତ୍ରୀକୁ ମାଡ଼ ମାରିବା ଘଟଣାରେ ସ୍ୱାମୀ ସୂର୍ଯ୍ୟ ନାରାୟଣ ତ୍ରିପାଠୀ ଓ ତାଙ୍କ ପରିବାର ନାମରେ ଲିଖିତ ଅଭିଯୋଗ କରିଛନ୍ତି ପ୍ରଥମ ସ୍ତ୍ରୀ ମିନତୀ ଦିଗାଳ । ସୂର୍ଯ୍ୟନାରାୟଣ ତ୍ରିପାଠୀ ବର୍ତ୍ତମାନ ଦାରିଙ୍ଗବାଡ଼ି ବ୍ଲକ୍ କାଟ୍ଟିଙ୍ଗିଆ ପଞ୍ଚାୟତର ମିଞ୍ଜାପଙ୍କା ବିଦ୍ୟାଳୟର ଶିକ୍ଷକ ଭାବେ କାର୍ଯ୍ୟରତ ଅଛନ୍ତି । ତେବେ ସେ ୨ୟ ବିବାହ କରିଥିବା ଖବରପାଇ ପ୍ରଥମ ସ୍ତ୍ରୀ ମିନତୀ ଗୁରୁବାର ଦାରିଙ୍ଗବାଡ଼ି ବ୍ଲକ୍ ବୁଡ଼ାଗୁଡ଼ା ଗ୍ରାମକୁ ଯାଇଥିଲେ । ସ୍ୱାମୀ ଘରଲୋକେ ସଂଘବଦ୍ଧ ଭାବରେ ମିନତୀ ଏବଂ ତାଙ୍କ ସାଥିରେ ଥିବା ତାଙ୍କ ଭାଇଙ୍କୁ ନିସ୍ତୁକ ମାଡ଼ ମାରିଥିଲେ । ଏମିତିକି ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ । ଏହି ଘଟଣାକୁ ନେଇ ଶୁକ୍ରବାର ରାତିରେ ବାଲିଗୁଡ଼ା ଥାନାରେ ମିନତୀ ଦିଗାଳ ଲିଖିତ ଅଭିଯୋଗ କରିଥିଲେ । ପୁଲିସ ମାମଲା ରୁଜୁ କରି ତଦନ୍ତ କରୁଥିବା ବାଲିଗୁଡ଼ା ଥାନା ଅଧିକାରୀ ପ୍ରଶାନ୍ତ ବେହେରା ସୂଚନା ଦେଇଛନ୍ତି । ପ୍ରକାଶ ଥାଉକି, ବୁଡ଼ାଗୁଡ଼ା ଗ୍ରାମର ସୂର୍ଯ୍ୟନାରାୟଣ ତ୍ରିପାଠୀ ଘୁ-ଉଦୟଗିରି ଅଞ୍ଚଳର ମିନତୀ ଦିଗାଳଙ୍କୁ ବିବାହ କରିଥିଲେ । ଉଭୟଙ୍କର ଏକ କନ୍ୟା ସନ୍ତାନ ଅଛି । ତଥାପି ସେ ପୂର୍ବରୁ ୨ୟ ବିବାହ କରିବାପାଇଁ ଚେଷ୍ଟା କରିଥିବାବେଳେ ମିନତୀ ବିବାହକୁ ବନ୍ଦ କରିଥିଲେ । ସେବେଠାରୁ ମିନତୀ ଏବଂ ତାଙ୍କ କନ୍ୟା ସନ୍ତାନ ନିଜର ନୁହେଁ ବୋଲି କହି ମିନତୀଙ୍କ ଠାରୁ ସୂର୍ଯ୍ୟ ଦୂରେଇ ରହୁଥିଲେ । ମିନତୀ ନିଜର ଭରଣପୋଷଣ ଏବଂ କନ୍ୟାସନ୍ତାନକୁ ନ୍ୟାୟ ପ୍ରଦାନ କରିବାପାଇଁ ରାଜ୍ୟ ମହିଳା କମିଶନଙ୍କ ନିକଟରେ ଅଭିଯୋଗ କରିଥିଲେ । ସେହି ମାମଲା ବର୍ତ୍ତମାନ ବିଚାରାଧୀନ ରହିଛି । ତେବେ ଗତ ବୁଧବାର ଦିନ ସୂର୍ଯ୍ୟ ପୁରୀରେ ଜଣେ ଯୁବତୀଙ୍କୁ ବିବାହ କରି ଗୁରୁବାର ଭୋର ୪ଟା ସମୟରେ ନିଜ ବୁଡ଼ାଗୁଡ଼ାସ୍ଥିତ ଘରକୁ ଆଣିଥିବା ପ୍ରଥମ ସ୍ତ୍ରୀ ମିନତୀ ଜାଣିବା ପରେ ଗୁରୁବାର ସନ୍ଧ୍ୟାରେ ବୁଡାଗୁଡ଼ା ଗ୍ରାମକୁ ଯାଇଥିଲେ । ସେହି ସମୟରେ ସୂର୍ଯ୍ୟ ଏବଂ ତାଙ୍କ ସାନଭାଇ ଓ ପିତା, ମାତା ମିଶି ମିନତୀଙ୍କୁ ଏବଂ ସାଥିରେ ଯାଇଥିବା ତାଙ୍କ ଭାଇ ଅନୀଲଙ୍କୁ ନିସ୍ତୁକ ମାଡ଼ ମାରିବା ସହିତ ବିଭିନ୍ନ ଜାତିଆଣ ଆକ୍ଷେପ କରି ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରି ଜୀବନରେ ମାରିଦେବାକୁ ଧମକ ଦେଇଥିଲେ । ଏହାପରେ ମିନତୀ ଏବଂ ତାଙ୍କ ଭାଇ ସେଠାରୁ ପ୍ରାଣ ବିକଳରେ ପଳାଇ ଆସିଥିଲେ । ଏନେଇ ବାଲିଗୁଡ଼ା ଥାନାରେ ଶୁକ୍ରବାର ବଳମ୍ବିତ ରାତିରେ ମାମଲା ରୁଜୁ ହୋଇଥିବାବେଳେ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ଜାରି ରହଛି ଏବଂ ତଦନ୍ତ ପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ତଦନ୍ତକାରୀ ଅଫିସର ଶିବଶଙ୍କର ଆଲ୍ଦା ପ୍ରକାଶ କରିଛନ୍ତି । ଥାନାରେ ମାମଲା ରୁଜୁ ହେବାପରେ ଅଭିଯୋଗ ପ୍ରତ୍ୟାହାର କରିନେବା ପାଇଁ ମିନତୀ ଏବଂ ତାଙ୍କ ଭାଇଙ୍କୁ ବାରମ୍ବାର ଫୋନ୍ କରି ଚାପ ପକାଉଥିବା ନେଇ ମିନତୀ ଦିଗାଲ ଅଭିଯୋଗ କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking