କବିସୂର୍ଯ୍ୟନଗର : ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅଢ଼େଇବର ଗ୍ରାମରେ ସାପ କାମୁଡାରେ ମା’ ବାସନ୍ତୀ ପାତ୍ର ଓ ଝିଅ ଦେବସ୍ମିତାଙ୍କ ମୃତ୍ୟୁ ଘଟଣାରେ ଭିନ୍ନ ମୋଡ ନେଇଛି । ମୃତା ବାସନ୍ତୀଙ୍କ ବାପା ଖଲି ପାତ୍ର ଥାନାରେ ଦେଇଥିବା ଏତଲାକୁ ନେଇ ପୁଲିସ୍ ତଦନ୍ତ କରି ବାସନ୍ତୀଙ୍କ ସ୍ୱାମୀ ଗଣେଶ ପାତ୍ରଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିବା ଥାନାଧିକାରୀ ପ୍ରଭାତ ସାହୁ କହିଛନ୍ତି । ବାସ୍ତବରେ ବାସନ୍ତୀଙ୍କ ମୃତ୍ୟୁର କାରଣ ନିଜେ ସ୍ୱାମୀ ବୋଲି ଜଣାପଡିଛି । ପାରିବାରିକ କଳହ ଯୋଗୁଁ ସ୍ୱାମୀ ନିଜ ସ୍ତ୍ରୀ ବାସନ୍ତୀଙ୍କୁ ରାସ୍ତାରୁ ହଟାଇବା ପାଇଁ ନିଜେ ସାପ ନେଇ ସ୍ତ୍ରୀ ଓ ଝିଅକୁ ଦଂଶନ କରାଯାଇଥିବା ପୁଲିସ୍ ତଦନ୍ତରୁ ଜଣାପଡ଼ିଛି ।
ଗତ ତିନି ବର୍ଷ ପୂର୍ବେ ଅଢେଇବର ଗ୍ରାମର ଖଲି ପାତ୍ର ନିଜ ଭଣଜା ଗଣେଶ ପାତ୍ର ସହିତ ଝିଅ ବାସନ୍ତୀଙ୍କ ବିବାହ କରାଇଥିଲେ । ଗତ ଦୁଇ ବର୍ଷ ପୂର୍ବେ ବାସନ୍ତୀଙ୍କ ଏକ କନ୍ୟା ସନ୍ତାନ ଜନ୍ମ ହୋଇଥିଲା । ଏହାକୁ ନେଇ ଗଣେଶ ଅସନ୍ତୋଷ ପ୍ରକାଶ କରିଥିଲା । ଉଭୟ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଏହି ବିଷୟକୁ ନେଇ ତିକ୍ତତା ଲାଗି ରହିଥିଲା । ପରିଶେଷରେ ସ୍ୱାମୀ ଗଣେଶ ଯୋଜନା ମୁତାବକ ଚଳିତ ବର୍ଷ ଅକ୍ଟୋବର ୬ ତାରିଖରେ ବାସନ୍ତୀ ଓ ଝିଅ ଘରେ ଶୋଇଥିବା ବେଳେ ଗଣେଶ ଅଞ୍ଚଳର କୌଣସି ବ୍ୟକ୍ତିଙ୍କ ଠାରୁ ବିଷଧର କୋଳଥିଆ ନାଗ ସଂଗ୍ରହ କରି ବାସନ୍ତୀ ଶୋଇଥିବା କୋଠରୀ ଭିତରେ ଛାଡି ଦେଇଥିଲା । ଫଳରେ ଉଭୟ ବାସନ୍ତୀ ଓ କନ୍ୟା ସନ୍ତାନ ସର୍ପ ଦଂଶନର ଶିକାର ହୋଇ ମୃତ୍ୟୁବରଣ କରିଥିବା ଜଣାପଡିଛି । ବିଳମ୍ବରେ ହେଲେ ବି ପୁଲିସ୍ ତଦନ୍ତରୁ ଜାଣିପାରିଛି ଯେ ବାସନ୍ତୀଙ୍କ ମୃତ୍ୟୁ ସ୍ୱାଭାବିକ ସର୍ପଦଂଶନ ଯୋଗୁଁ ନୁହେଁ ବରଂ ବାସନ୍ତୀଙ୍କ ସ୍ୱାମୀ ଗଣେଶ ସୁଚିନ୍ତିତ ଯୋଜନାରେ ସ୍ତ୍ରୀକୁ ହତ୍ୟା କରିଥିବା ଅଭିଯୋଗ ହୋଇଛି । ପ୍ରକାଶ ଯୋଗ୍ୟ ଯେ ବାସନ୍ତୀଙ୍କ ମୃତ୍ୟୁକୁ ନେଇ ପୁଲିସ୍ ଏକ ଅପମୃତ୍ୟୁ ମାମଲା ରୁୁଜୁ କରି ତଦନ୍ତ କରୁଥିଲା । ସଂପ୍ରତି ଏହି କେସ୍ର ମୋଡ ବଦଳିବା ସମ୍ଭାବନା ରହିଛି ।