ବ୍ରହ୍ମପୁର: ରାଜ୍ୟର ବିଭିନ୍ନ ଜିଲ୍ଳାରେ ନକଲି ଡାକ୍ତରମାନେ ସଠିକ ଯୋଗ୍ୟତା ନଥାଇ ରୋଗୀ ଚିକିତ୍ସା କରୁଥିବା ଏବଂ ସେମାନଙ୍କ ଯୋଗୁଁ ନୀରିହ ରୋଗୀମାନଙ୍କ ସ୍ୱାସ୍ଥ୍ୟହାନି ଘଟିବା ସହ ସ୍ୱାସ୍ଥ୍ୟଜନିତ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି । ଏ ନେଇ ରାଜ୍ୟର ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ନକଲି ଡାକ୍ତର ଚିହ୍ନଟ ପ୍ରକ୍ରିୟା ଚଳିତବର୍ଷ ଜାନୁଆରୀରେ ଆରମ୍ଭ ହୋଇଛି । ଚଳିତ ମାସ ଶେଷ ସୁଦ୍ଧା ଏ ସଂପର୍କିତ ରିପୋର୍ଟ ଜିଲ୍ଳା ଚିକିତ୍ସାଧିକାରୀମାନଙ୍କୁ ଦାଖଲ କରିବାକୁ ନିର୍ଦ୍ଦେଶ ରହିଛି । ତେବେ ଏହି ପ୍ରକ୍ରିୟା ଅବଧି ମଧ୍ୟରେ ସରିବା ନେଇ ନାନା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ସରକାରୀ ସ୍ତରରେ ବିଭିନ୍ନ ସରକାରୀ ହସପିଟାଲରେ କାର୍ଯ୍ୟ କରୁଥିବା ଡାକ୍ତରମାନେ ଜିଲ୍ଳା ଚିକିତ୍ସାଧିକାରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ନିଜର ସାର୍ଟିଫିକେଟ ପଞ୍ଜିକରଣ କରିବା ସହ ଅନ୍ୟାନ୍ୟ ଯାଞ୍ଚ କରିବାରେ ସହଯୋଗ କରୁଛନ୍ତି । କିନ୍ତୁ ଜିଲ୍ଳାରେ ରହିଥିବା ଘରୋଇ ହସପିଟାଲରେ କାର୍ଯ୍ୟରତ ଡାକ୍ତରମାନେ ଜିଲ୍ଳା ପ୍ରଶାସନ ନିର୍ଦ୍ଦେଶକୁ ଖାତିର କରୁନଥିବା ପରିଲକ୍ଷିତ ହୋଇଛି । ରାଜ୍ୟର ସର୍ବାଧିକ ଜନସଂଖ୍ୟା ବିଶିଷ୍ଟ ଜିଲ୍ଳା ଗଞ୍ଜାମରେ ବିିଭିନ୍ନ ସହରରେ ରହିଛି ଘରୋଇ ହସପିଟାଲ । ସେଠାରେ କାର୍ଯ୍ୟରତ ଡାକ୍ତରଙ୍କ ସଂପର୍କରେ ଜିଲ୍ଲା ସ୍ୱାସ୍ଥ୍ୟ ପ୍ରଶାସନ ପାଖରେ ସୂଚନା ନାହିଁ । ଯେଉଁ କେତେକ ହସପିଟାଲ ଅଛି ତାଙ୍କ ଅଧୀନରେ କାର୍ଯ୍ୟ କରୁଥିବା ଡାକ୍ତରଙ୍କ ସଂପର୍କରେ ସୂଚନା ଜିଲ୍ଳା ସ୍ୱାସ୍ଥ୍ୟ ପ୍ରଶାସନକୁ ଜଣାଉନଥିବା ଜଣାପଡ଼ିଛି । ଏହି ପରିପ୍ରେକ୍ଷୀରେ ଜିଲ୍ଳା ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଉମା ଶଙ୍କର ମିଶ୍ରଙ୍କୁ ସଂପର୍କ କରିବାରେ କହିଛନ୍ତି ଯେ ଏଯାବତ୍ ପ୍ରାୟ ୬୦ରୁ ୭୦ ଜଣ ଡାକ୍ତରଙ୍କ ସାର୍ଟିଫିକେଟ ଯାଞ୍ଚ ପାଇଁ ଆସିଛି । ଅବଶିଷ୍ଟଙ୍କୁ ନୋଟିସ ଜାରି କରାଯାଇଛି ।
ଅବଶ୍ୟ ଦୁର୍ଗମ ଅଞ୍ଚଳରେ କାର୍ଯ୍ୟ କରୁଥିବା ଡାକ୍ତର ଏବଂ କ୍ୱାକ୍ମାନଙ୍କ ସଂପର୍କରେ ସୂଚନା ମିଳିବା କଷ୍ଟକର ପାଠ ହୋଇ ପଡ଼ିଛି । ତଥାପି ଚେଷ୍ଟା ଜାରୀ ରହିଛି ବୋଲି ଡାକ୍ତର ମିଶ୍ର କହିଛନ୍ତି । ଅନ୍ୟ ପକ୍ଷରେ ଜିଲ୍ଳାରେ ସଂପ୍ରତି ବିଭିନ୍ନ ସରକାରୀ ହସପିଟାଲରେ ୨୦୪ ଡାକ୍ତର କାର୍ଯ୍ୟରତ ଅଛନ୍ତି । ସେମାନଙ୍କ ସାର୍ଟିଫିକେଟ ଯାଞ୍ଚ କରାଯାଇଛି, ଅଳ୍ପ କିଛି ଦିନ ମଧ୍ୟରେ ପ୍ରକ୍ରିୟା ସରିବ । ଚଳିତମାସ ଶେଷ ସୁଦ୍ଧା ସମସ୍ତ ରିପୋର୍ଟ ବିଭାଗୀୟ ଉପରିସ୍ଥ ଅଧିକାରୀଙ୍କ ଠାରେ ଦାଖଲ କରାଯିବ ବୋଲି ଡାକ୍ତର ମିଶ୍ର ସୂଚନା ଦେଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ ରାଜ୍ୟ ହାଇକୋର୍ଟ ନିର୍ଦ୍ଦେଶ ପ୍ରକାରେ ଏହି ପ୍ରକ୍ରିୟା ଚାଲୁ ରହିଛି । “କ୍ଳିନିକାଲ୍ ଏଷ୍ଟାବ୍ଳିସମେଣ୍ଟ ଆଣ୍ଡ ରେଗୁଲେସନ୍ ଆକ୍ଟ’ ଅନୁଯାୟୀ ସମସ୍ତ ଘରୋଇ କ୍ଳିନିକ୍ କାର୍ଯ୍ୟ କରୁଛି କି ନାହିଁ ସେ ନେଇ ଜିଲ୍ଳା ପ୍ରଶାସନ ପକ୍ଷରୁ ଏବଂ ଜିଲ୍ଳା ଚିକିତ୍ସାଧିକାରୀଙ୍କ ପକ୍ଷରୁ ନିୟମିତ ଭାବେ ଯାଞ୍ଚ କରିବା ବିଧାନ ରହିଛି । କିନ୍ତୁ ବେପରୁଆ ମନୋଭାବ ଯୋଗୁଁ ହେଉ କିମ୍ବା ଅନ୍ୟ କାରଣ ଯୋଗୁଁ ଏହି ଗୁରୁଦାୟିତ୍ୱକୁ କେହି ପାଳନ କରୁନାହାନ୍ତି ।
ଫଳରେ ରୋଗୀମାନେ ବିଭିନ୍ନ ସମୟରେ ତ୍ରୁଟିପୂର୍ଣ୍ଣ ଚିକିତ୍ସା ଯୋଗୁଁ ପ୍ରାଣସଙ୍କଟରେ ପଡୁଥିବା ଅଭିଯୋଗ ରହିଛି । ସଂପ୍ରତି ହାଇକୋର୍ଟ ନିର୍ଦ୍ଦେଶକୁ ଦୃଷ୍ଟିରେ ରଖି ଘରୋଇ କ୍ଳିନିକକୁ ନୋଟିସ ଜାରୀ ହେଲେ ସେମାନେ କର୍ଣ୍ଣପାତ କରୁନଥିବା ଅଭିଯୋଗ ହୋଇଛି । ସଠିକ ପ୍ରକ୍ରିୟାରେ ଯାଞ୍ଚ କରାଗଲେ ଅନେକ ନକଲି ଡାକ୍ତର ଚିହ୍ନଟ ହୋଇପାରିବେ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି । ଜିଲ୍ଳାରେ ସଂପ୍ରତି ୩ଶହରୁ ଊର୍ଦ୍ଧ୍ୱ ସରକାରୀ ଡାକ୍ତରଙ୍କ ପଦବୀ ଖାଲି ପଡ଼ିଛି । ସେହି ଅଞ୍ଚଳରେ ଜନସାଧାରଣମାନେ ଘରୋଇ ଡାକ୍ତର ମାନଙ୍କ ଉପରେ ନିର୍ଭର କରୁଛନ୍ତି । ଡାକ୍ତର ଭାବେ ସେମାନଙ୍କ ଯୋଗ୍ୟତା କେତେ ରହିଛି ତାହା ଜାଣିବା ସାଧାରଣ ରୋଗୀ ପକ୍ଷେ ସମ୍ଭବ ନୁହେଁ । ସୂଚନାଯୋଗ୍ୟ ଯେ ଏହି ଜିଲ୍ଳାରେ ଚିକିତ୍ସା କରୁଥିବା ଘରୋଇ ଡାକ୍ତରମାନେ କେଉଁ ଯୋଗ୍ୟତା ଆଧାରରେ କାର୍ଯ୍ୟ କରୁଛନ୍ତି ସେ ନେଇ ତଦାରଖ କରାଯାଉନାହିଁ ।
ଯେଭଳି ଭାବେ ବିଭିନ୍ନ ରାଜ୍ୟର ବିଶ୍ୱବିଦ୍ୟାଳୟରୁ ସାର୍ଟିଫିକେଟ ପାଇ ଜିଲ୍ଳାରେ ଜାଲ ଶିକ୍ଷକ ମାନେ କାର୍ଯ୍ୟ କରୁଛନ୍ତି ସେହିଭଳି ଭାବେ ଡାକ୍ତରମାନେ ମଧ୍ୟ କରୁଥିବା ଅଭିଯୋଗ ହୋଇଛି । ଜିଲ୍ଳା ପ୍ରଶାସନ ନ ଚେତିବା ଯାଏଁ ଏହାକୁ ରୋକିବା ସମ୍ଭବ ହେବ ନାହିଁ ବୋଲି ମତ ପ୍ରକାଶ ପାଇଛି । ଜିଲ୍ଳା ଚିକିତ୍ସାଧିକାରୀ ଡାକ୍ତର ମିଶ୍ରଙ୍କ ଠାରୁ ପ୍ରାପ୍ତ ସୂଚନା ଅନୁଯାୟୀ ଜିଲ୍ଳାରେ ମୋଟ ୧୨୦ଟି ଘରୋଇ କ୍ଳିନିକ ରହିଛି । ସେଠାରେ କାର୍ଯ୍ୟରତ ଡାକ୍ତରଙ୍କ ସାର୍ଟିଫିକେଟର ଯାଞ୍ଚ ପ୍ରକ୍ରିୟା ତ୍ୱରାନ୍ୱିତ କରାଯାଇଛି । ଅନ୍ୟ ପକ୍ଷରେ ଜିଲ୍ଳାରେ ପ୍ରଶାସନର ଦୃଷ୍ଟି ଆଢ଼ୁଆଳରେ ଅନେକ ଚିକିତ୍ସା କେନ୍ଦ୍ର କାର୍ଯ୍ୟ କରୁଥିବା ଅଭିଯୋଗ ରହିିଛି ।
ରାଜ୍ୟ ହାଇକୋର୍ଟ ସ୍ପଷ୍ଟ କରିଛନ୍ତି ଯେ ରାଜ୍ୟର ୫୧ ପ୍ରତିଶତ ଡାକ୍ତର ନକଲି ସାର୍ଟିଫିକେଟ ଯୋଗେ ଚିକିତ୍ସା କରୁଛନ୍ତି । ତେବେ ଏମାନେ କେଉଁଠି ଏବଂ କେଉଁ ବିଭାଗର ଡାକ୍ତର ଭାବେ କାର୍ଯ୍ୟ କରୁଛନ୍ତି ସେ ନେଇ ସ୍ପଷ୍ଟ ସୂଚନା ଉପଲବଧ ହୋଇନାହିଁ । ଗଞ୍ଜାମ ଜିଲ୍ଳାର ସୀମାକୁ ଲାଗି ରହିଛି କନ୍ଧମାଳ,ଗଜପତି ଆଦି ଆଦିବାସୀ ବହୁଳ,ଜଙ୍ଗଲଭରା ଦୁର୍ଗମ ଅଞ୍ଚଳ ସେହି ଅଞ୍ଚଳରେ ନକଲି ଡାକ୍ତରଙ୍କ ପ୍ରାଦୁର୍ଭାବ ରହିଛି ।