32.1 C
Bhubaneswar
Thursday, March 28, 2024
Homeଓଡିଶାଟଳିଲା ବନ୍ୟା ଆଶଙ୍କା : ତଳିଆ ଅଞ୍ଚଳରେ ବଢ଼ିଲା ଦୁର୍ଦ୍ଦଶା

ଟଳିଲା ବନ୍ୟା ଆଶଙ୍କା : ତଳିଆ ଅଞ୍ଚଳରେ ବଢ଼ିଲା ଦୁର୍ଦ୍ଦଶା

ଭୁବନେଶ୍ୱର: ରାଜ୍ୟରେ ବନ୍ୟା ଆଶଙ୍କା ଟଳିଛି । ହେଲେ ମହାନଦୀ ଓ ସୁବର୍ଣ୍ଣରେଖାର ଉଛୁଳା ପାଣି ଲୋକଙ୍କ ଦୁର୍ଦ୍ଦଶା ବଢାଇଦେଇଛି। ଗତ ୪ରୁ ୫ଦିନ ହେଲା ଲୋକେ ଜଳବନ୍ଦୀ ହୋଇ ରହିଛନ୍ତି । ବାଲେଶ୍ୱର, କେନ୍ଦ୍ରାପଡା, କଟକ, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଜଗତସିଂହପୁର ପରି ଜିଲ୍ଳାର ଅନେକ ସ୍ଥାନରେ ଏବେବି ବହୁ ସଂଖ୍ୟାରେ ଲୋକ ଜଳବନ୍ଦୀ ଅବସ୍ଥାରେ ଅଛନ୍ତି । ସବୁଠି ବନ୍ୟାପାଣି ଲହଡି ଭାଙ୍ଗୁଛି । ସୁବର୍ଣ୍ଣରେଖା ନଦୀ ବାଲେଶ୍ୱର ଜିଲ୍ଲାର ବାଲିଆପାଳ ଓ ଭୋଗରାଇ ବ୍ଲକ ତଳିଆ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି କରିଛି । ନଦୀର ଜଳସ୍ତର କମୁଥିଲେ ମଧ୍ୟ ବନ୍ୟାପାଣି ପଶିଥିବା ଗାଁରେ ଲୋକଙ୍କ ଦୁର୍ଦ୍ଦଶା ବଢ଼ିଛି । ବାଲେଶ୍ୱର ସଦର ବ୍ଲକ ବାହାବଳପୁର ରାସ୍ତା ଉପରେ ବନ୍ୟାପାଣି ପ୍ରବାହିତ ହେଉଛି । ବର୍ଷା କମିବା ପରେ ବ୍ରାହ୍ମଣୀରେ ଜଳସ୍ତର ବି କମିଛି ।

ହେଲେ ରେଙ୍ଗାଲି ଡ୍ୟାମରୁ ଜଳ ନିଷ୍କାସନ ପରେ ବ୍ରାହ୍ମଣୀ ଏବଂ ଖରସ୍ରୋତା ପ୍ରଭାବରେ କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା, ରାଜନଗର, ଆଳି ଓ ପଟ୍ଟାମୁଣ୍ଡାଇ ବ୍ଲକରେ ଅନେକ ଅଞ୍ଚଳ ଜଳମଗ୍ନ ହୋଇଛି । ଆଳିର ୧୦ଟି ଓ ପଟ୍ଟାମୁଣ୍ଡାଇର ୭ଟି ପଞ୍ଚାୟତ ପାଣି ଘେରରେ ରହିଛି । ମହାନଦୀରେ ବନ୍ୟା ପାଣି ପ୍ରବାହିତ ହେବା ପରେ ପୁରୀ ଜିଲ୍ଲାର ତଳିଆ ଅଞ୍ଚଳ ଲୋକଙ୍କ ଚିନ୍ତା ବଢିଛି । କଣାସ, ଗୋପ, କାକଟପୁର, ଅସ୍ତରଙ୍ଗ ଆଦି ଅଞ୍ଚଳର ଲୋକ ଭୟରେ ରହିଛନ୍ତି । ଦୟା ନଦୀର ବନ୍ୟା ଜଳ ପ୍ରଭାବରେ ପୁରୀ ଜିଲ୍ଲା କଣାସ ବ୍ଲକର ତଳିଆ ଅଞ୍ଚଳରେ ବନ୍ୟା ପାଣି ପଶିଛି । ମହାନଦୀରେ ବନ୍ୟା ବିପଦ ଟଳିଯାଇଥିଲେ ବି ଜଳସ୍ତର ବଢ଼ିବା ପରେ ବାଙ୍କୀ ଅଞ୍ଚଳର ବିଭିନ୍ନ ସ୍ଥାନରେ ପାଣି ପଶିଛି । କଟକ ଜିଲ୍ଲା ତିଗିରିଆ ଅଞ୍ଚଳରେ ଶହ ଶହ ଏକର ଚାଷ ଜମିରେ ପାଣି ମାଡି ଯାଇଛି ।

ଯାଜପୁରରେ ଗୋବରୀ ନଦୀର ବନ୍ୟାଜଳ ମାଡିଆସି ୫ଶହ ହେକ୍ଟର ଚାଷଜମି ଜଳମଗ୍ନ ହୋଇଛି । ଖୋର୍ଦ୍ଧା ଜିଲ୍ଲା ୩ ପଞ୍ଚାୟତର ୧୦ରୁ ଅଧିକ ଗାଁ ଏବେ ପାଣି ଘେରରେ ରହିଛି । ରାଜୁଆ ନଦୀରେ ବନ୍ୟା ପାଇଁ ହିରିମୂଳ, ଦିହଖଳା, ଓରବରସିଂ, ମଶାଣିଆ, ଓରାମି, ମାନପୁର ଗାଁରେ ବନ୍ୟାଜଳ ଲହଡ଼ି ଭାଙ୍ଗୁଛି । ମହାନଦୀରେ ଜଳସ୍ତର କମିବା ପରେ ମଧ୍ୟମ ଧରଣର ବନ୍ୟା ଆଶଙ୍କା ଟଳିଛି । କେବଳ ଛୋଟରୁ ସାମାନ୍ୟ ଧରଣର ବନ୍ୟା ହୋଇପାରେ । ହେଲେ ଏଥିରେ କୌଣସି ବିପଦ ନଥିବା ଜଳ ସମ୍ପଦ ବିଭାଗର ସବୋର୍ଚ୍ଚ ଯନ୍ତ୍ରୀ ଧୀରେନ ସାମଲ କହିଛନ୍ତି । ମୁଣ୍ଡଳିରେ ଶନିବାର ସନ୍ଧ୍ୟା ୬ଟା ସୁଦ୍ଧା ୬ ଲକ୍ଷ ୭୬ ହଜାର କ୍ୟୁସେକ୍ ଜଳ ନିଷ୍କାସନ ହେଉଛି । ଗତ ୧୨ ଘଣ୍ଟା ଧରି ଏପରି ସ୍ଥିତି ଲାଗି ରହିଛି । ତେଣୁ ହୀରାକୁଦରେ ଶୁକ୍ରବାର ଅପେକ୍ଷା ଶନିବାର କମ୍ ଗେଟ୍ ଖୋଲିଛି ।

ସେହିପରି ବ୍ରାହ୍ମଣୀ, ବୈତରଣୀ ଏବଂ ସୁବର୍ଣ୍ଣରେଖାରେ ବି ଜଳସ୍ତର କମୁଥିବା ସୂଚନା ମିଳିଛି । ଯାଜପୁର, ବାଲେଶ୍ୱର ଜିଲ୍ଲାରେ କିଛି ଘାଇ ସୃଷ୍ଟି ହୋଇଛି । ଯାହାର ମରାମତି ହେବା ସହ ପରିସ୍ଥିତିରେ ସୁଧାର ଆସିଛି । ସେହିପରି ସମସ୍ତ ଜଳଭଣ୍ଡାରରେ ସ୍ଥିତି ସ୍ୱାଭାବିକ ଥିବା ସର୍ବୋଚ୍ଚ ଯନ୍ତ୍ରୀ ଶ୍ରୀ ସାମଲ ସୂଚନା ଦେଇଛନ୍ତି । ମୁଣ୍ଡଳିରେ ଯେଉଁ ପରିମାଣର ଜଳ ଯାଉଛି, ତାହା ଆଗକୁ ବଢ଼ିବାର ସମ୍ଭାବନା ନାହିଁ । ମୁଣ୍ଡଳି ଦେଇ ଯାଉଥିବା ଜଳ ନଦୀ ବନ୍ଧ ଲଂଘି ନାହିଁ ଓ ଏହା ଗାଁ ଭିତରକୁ ପ୍ରବେଶ କରୁ ନାହିଁ । ତେବେ ଗାଁରେ ଜମି ଥିବା ଜଳ ବାହାରିବାରେ ଅସୁବିଧା ହେଉଛି । ବୈତରଣୀ ଆଡ଼ୁ ଆଦୌ ବିପଦ ନାହିଁ । ସୁବର୍ଣ୍ଣରେଖା ଜଳସ୍ତର ମଧ୍ୟ କମୁଛି । ହୀରାକୁଦ ଓ ରେଙ୍ଗାଳି ଜଳ ଭଣ୍ଡାରକୁ ପୂର୍ଣ୍ଣ ରଖାଯିବ । ୨ଟି ମଧ୍ୟମ ଜଳ ଭଣ୍ଡାର ପୂର୍ଣ୍ଣ ରହିଛି ବୋଲି ଯନ୍ତ୍ରୀ ଶ୍ରୀ ସାମଲ କହିଛନ୍ତି ।

ଅନ୍ୟପକ୍ଷରେ, ହୀରାକୁଦରେ ଖୋଲାଥିବା ୨୮ ଗେଟ୍‌ରୁ ୧୦ଟିକୁ ପର୍ଯ୍ୟାୟକ୍ରମେ ଶନିବାର ବନ୍ଦ କରାଯାଇଛି । ଶନିବାର ସନ୍ଧ୍ୟା ସୁଦ୍ଧା ହୀରାକୂଦର ୧୮ଟି ଗେଟ୍ ଦେଇ ଜଳ ନିଷ୍କାସିତ ହେଉଛି । ଅପ୍ ଷ୍ଟ୍ରିମ୍‌ରେ ଜଳସ୍ତର ୯୦ ଦଶମିକ ୪ ଫୁଟ ଥିବାବେଳେ ଡାଉନ ଷ୍ଟ୍ରିମରେ ଏହା ୮୮ ଦଶମିକ ୩ ଫୁଟ ରହିଛି । ମୁଣ୍ଡଳିରେ ବିପଦ ସଙ୍କେତ ୯୭ ଦଶମିକ ୨୫ ମିଟର ଥିବାବେଳେ ଜଳସ୍ତର ବିପଦ ସଙ୍କେତ ତଳେ ଅଛି । ନରାଜରେ ମଧ୍ୟ ଜଳସ୍ତର ବିପଦ ସଙ୍କେତ ତଳେ ପ୍ରବାହିତ ହେଉଛି । ନରାଜରେ ୩ ଲକ୍ଷ ୩୦ ହଜାର ୭୧୩ କ୍ୟୁସେକ୍ ଜଳ ନିଷ୍କାସନ ହେଉଥିବା ବିଭାଗୀୟ ଯନ୍ତ୍ରୀ ପ୍ରକାଶ କରିଛନ୍ତି । ସେପଟେ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଜଳସେଚନ ବିଭାଗ ଅଧୀନରେ ଥିବା ଡହ ଜଳଭଣ୍ଡାର ଫୁଲିବାରେ ଲାଗିଛି । ଆଗକୁ ଆହୁରି ବର୍ଷା ହେବା ନେଇ ମଧ୍ୟ ପାଣିପାଗ ବିଭାଗ ସତର୍କ କରିଛି ।

ଏଭଳି ସ୍ଥିତିରେ ଜଳଭଣ୍ଡାରର ସୁରକ୍ଷା ପାଇଁ ଯେକୌଣସି ମୁହୂର୍ତ୍ତରେ ଡହ ଜଳଭଣ୍ଡାରରୁ ନଦୀ ମଧ୍ୟକୁ ପାଣି ଛଡାଯାଇପାରେ । ତେଣୁ ଜଳଭଣ୍ଡାରର ନିମ୍ନ ଅବବାହିକାରେ ଥିବା ନଦୀ କୂଳରେ ବସବାସ କରୁଥିବା ଜନସାଧାରଣ ସର୍ତ୍ତକତା ଅବଲମ୍ବନ କରିବା ପାଇଁ ଶନିବାର ପ୍ରଶାସନ ପକ୍ଷରୁ ଡାକବାଜି ଯନ୍ତ୍ର ମାଧ୍ୟମରେ ସଚେତନ କରାଯାଇଛି । ଡହ ଜଳଭଣ୍ଡାରରେ ଜଳଧାରଣ କ୍ଷମତାକୁ ଦୃଷ୍ଟିରେ ରଖି ନଦୀ ମଧ୍ୟକୁ ପାଣି ଛଡାଯିବା ନେଇ ନିଷ୍ପତ୍ତି କରାଯାଇଥିବା ବେଳେ ନଦୀରେ ଗାଧୋଇବା ସମୟରେ ସାବଧାନତା ଅବଲମ୍ବନ କରିବାକୁ କୁହାଯାଇଛି । ଏଥିସହ ଗୃହପାଳିତ ପଶୁ ଓ ଛୋଟ ପିଲାମାନଙ୍କୁ ନଦୀକୁ ଯିବାକୁ ସମ୍ପୂର୍ଣ୍ଣ ବାରଣ କରିବା ପାଇଁ ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି । ସେହିପରି ଭଞ୍ଜନଗର ଜଳସେଚନ ବିଭାଜନ ଅଧିନରେ ଥିବା ଭଞ୍ଜନଗର, ସୋରଡ଼ା ଓ ବୁଗୁଡା ବ୍ଲକର ବାଘୁଆ ଜଳଭଣ୍ଡାର ଗୁଡ଼ିକ ମଧ୍ୟ ଭର୍ତ୍ତି ହେବାରେ ଲାଗିଥିବା ନଜରୁ ଆସିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking