33.1 C
Bhubaneswar
Wednesday, April 24, 2024
Homeବ୍ରେକୀଙ୍ଗପରକୀୟା ପ୍ରୀତି ସନ୍ଦେହ : ମହିଳା ଓ ଯୁବକଙ୍କୁ ବାନ୍ଧି ମାଡ଼, ଭିଡିଓ ଭାଇରାଲ

ପରକୀୟା ପ୍ରୀତି ସନ୍ଦେହ : ମହିଳା ଓ ଯୁବକଙ୍କୁ ବାନ୍ଧି ମାଡ଼, ଭିଡିଓ ଭାଇରାଲ

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଜିଲ୍ଲାର ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଜଣେ ବିବାହିତା ମହିଳାଙ୍କ ସହିତ ଜଣେ ଯୁବକଙ୍କ ମଧ୍ୟରେ ପରକୀୟା ସମ୍ପର୍କ ଥିବା ସନ୍ଦେହ କରି ଗ୍ରାମବାସୀ ଉଭୟଙ୍କୁ ଗାଁ’ଦାଣ୍ଡରେ ବାନ୍ଧି ମାଡ଼ ମାରିବାର ଏକ ଭିଡିଓ ଭାଇରାଲ୍ ହୋଇଛି ।
ସୂଚନା ଅନୁଯାୟୀ, ପଟ୍ଟାମୁଣ୍ଡାଇ ଥାନା ଅଞ୍ଚଳର ଜଣେ ମହିଳାଙ୍କ ସ୍ୱାମୀ ବିଦେଶରେ ପାଣିପାଇପ ମିସ୍ତ୍ରୀ ଭାବେ କାମକରୁଥିବା ସେ ଗାଁ’ରେ ନିଜେ ଦୁଇ ଜଣ ପିଲା ସହିତ ଏକୁଟିଆ ରହନ୍ତି । ଏହାର ସୁଯୋଗରେ ସେହି ଗ୍ରାମର ଜଣେ ଯୁବକ ଉକ୍ତ ମହିଳାଙ୍କ ଘରକୁ ବାରମ୍ବାର ଯିବା ଆସିବା କରନ୍ତି । ଏପରିକି ସେ ବିଭିନ୍ନ କାମରେ ମହିଳାଙ୍କୁ ସହାୟତା କରୁଥିବା ବେଳେ ମହିଳାଙ୍କ ସହିତ ତାଙ୍କର ଅନୈତିକ ପ୍ରେମ ସଂପର୍କ ଗଠି ଉଠିଥିବା ନେଇ ଗ୍ରାମର ଲୋକମାନେ କିଛିଦିନ ହେବ ସନ୍ଦେହ କରି ଆସୁଥିଲେ । ଯାହାକୁ ଗ୍ରାମବାସୀ ବିରୋଧ ମଧ୍ୟ କରୁଥିଲେ । ଏହା ସତ୍ତ୍ୱେ ଯୁବକ ଜଣକ ଲୁଚିଛପି ମହିଳାଙ୍କ ଘରକୁ ଯିବା ଆସିବା କରୁଥିଲେ । ତେବେ ଗତ ମଙ୍ଗଳବାର ରାତିରେ ଯୁବକ ଜଣକ ମହିଳାଙ୍କ ଘରେ ପଶିଥିବା ଜାଣି ଗ୍ରାମବାସୀ ସେମାନଙ୍କୁ ବାହାରୁ ତାଲା ପକାଇ ଦେଇ ରାତି ଅନିଦ୍ରା ହୋଇ ଜଗି ରହିଥିଲେ । ବୁଧବାର ସକାଳେ ଗ୍ରାମବାସୀ ଏନେଇ ବୈଠକ କରିବା ପରେ ସିଦ୍ଧାନ୍ତ ମୁତାବକ ଘରର ତାଲା ଖୋଲି ସଂପୃକ୍ତ ମହିଳା ଓ ଯୁବକଙ୍କୁ ଘରୁ ବାହାର କରିଥିଲେ । ଉଭୟଙ୍କୁ ସର୍ବ ସମ୍ମୁଖରେ ସେମାନଙ୍କ ମଧ୍ୟରେ ଥିବା ଅନୈତିକ ସଂପର୍କ ବିଷୟରେ ପଚାରଯିବାପରେ ସେମାନେ ଗ୍ରାମବାସୀଙ୍କ ଆଗରେ ଏହି ଅଭିଯୋଗକୁ ଅସ୍ୱୀକାର କରିଥିଲେ । ମାତ୍ର ଉତ୍ୟକ୍ତ ଲୋକମାନେ ଆଇନକୁ ହାତକୁ ନେବା ସହିତ ଉଭୟ ମହିଳା ଓ ଯୁବକଙ୍କୁ ଗାଁ ଦାଣ୍ଡରେ ରସିରେ ବାନ୍ଧିପକାଇ ମାଡ ମାରିବା ସହିତ ଶାରୀରିକ ଓ ମାନସିକ ନିର୍ଯାତନା ଦେଇଥିଲେ । ଏହି ଘଟଣାରେ ଲୋକେ ପୁଲିସକୁ ଫୋନକରି ଜଣାଇବା ପରେ ପଟ୍ଟାମୁଣ୍ଡାଇ ଆଦର୍ଶଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଦୁହିଁକୁ ଉଦ୍ଧାର କରି ଥାନାକୁ ଆଣିଥିଲେ । ପୁଲିସ ଏହି ଅଭିଯୋଗ ସଂପର୍କରେ ମହିଳାଙ୍କୁ ପଚରା ଉଚରା କରିବାପରେ ସଂପୃକ୍ତ ମହିଳା ଜଣକ ଏହି ଯୁବକଙ୍କୁ ଘରକୁ ଡାକିଥିବା କହିଥିଲେ । ମହିଳାଙ୍କ ସହମତିରେ ଉକ୍ତ ଯୁବକ ତାଙ୍କ ଘରକୁ ଆସିଥିବା ଜାଣିବା ପରେ ପୁଲିସ ଦୁହିଁକୁ ଛାଡି ଦେଇଥିବା ଜଣାପଡିଛି । ତେବେ ଏମାନଙ୍କୁ ଗାଁ ଦାଣ୍ଡରେ ବାନ୍ଧି ନିର୍ଯାତନା ଦେଇଥିବା ଲୋକମାନଙ୍କ ବିରୋଧରେ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଇନଥିବା ସୂଚନା ମିଳିଛି । ତେବେ ଏ ସଂପର୍କରେ ଗ୍ରାମବାସୀଙ୍କୁ ପଚାରିବାରୁ ମହିଳାଙ୍କ ପରକୀୟା ପ୍ରିତି ପାଇଁ ଗ୍ରାମର ଝିଅ ବୋହୁ ଖରାପ ହେବାର ଆଶଙ୍କା କରି ସେମାନଙ୍କୁ ବିରୋଧ କରାଯାଇଥିବା କଥା ସେମାନେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking