27.1 C
Bhubaneswar
Thursday, April 25, 2024
Homeଓଡିଶାପୂର୍ବତନ ପୋଲିସ୍ ମହାନିର୍ଦ୍ଦେଶକ ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ରଙ୍କର ପରଲୋକ

ପୂର୍ବତନ ପୋଲିସ୍ ମହାନିର୍ଦ୍ଦେଶକ ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ରଙ୍କର ପରଲୋକ

କଟକ : ଓଡିଶା ପୋଲିସ୍‌ର ପୂର୍ବତନ ମହାନିର୍ଦ୍ଦେଶକ ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ରଙ୍କର ୮୫ ବର୍ଷ ବୟସରେ ଆଜି ତାଙ୍କ କଟକ ସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି । ହୃଦ୍‌ଘାତ ଜନିତ ସ୍ୱାସ୍ଥ୍ୟଗତ କାରଣରୁ ଆଜି ମଧ୍ୟାହ୍ନରେ ତାଙ୍କର ଅକାଳ ବିୟୋଗ ଘଟିଥିଲା । ତାଙ୍କର ମୃତ୍ୟୁ ସମଗ୍ର ପୋଲିସ୍ ବିଭାଗରେ ଏକ ଶୂନ୍ୟ ସ୍ଥାନ ସୃଷ୍ଟି କରିଥିବା ବେଳେ ସ୍ତମ୍ଭୀଭୂତ ହୋଇଯାଇଥିଲା ଓଡିଶାର ପୁରା ପୋଲିସ୍ ବିଭାଗ । ଶ୍ରୀ ମିଶ୍ର ତାଙ୍କ କଟକ ସ୍ଥିତ ବାସଭବନରେ ସପତ୍ନୀକ ବସବାସ କରୁଥିବା ବେଳେ ମୃତ୍ୟୁ ସମୟରେ ତାଙ୍କର ଦୁଇ ପୁଅ ଏବଂ ଦୁଇ ଝିଅ ଉପସ୍ଥିତ ଥିଲେ । କର୍ତବ୍ୟନିଷ୍ଠ ଭାବରେ ଶ୍ରୀ ମିଶ୍ର ଦୀର୍ଘ ୩୬ ବର୍ଷ କାଳ ଓଡିଶା ପୋଲିସର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ ଅବସ୍ଥାପିତ ହୋଇ ଅନେକ ଦୃଷ୍ଟାନ୍ତମୂଳକ କାର୍ଯ୍ୟକ୍ରମମାନ ସୁଚାରୁ ରୂପରେ ସମ୍ପନ୍ନ କରିଥିଲେ । ୧୯୩୪ ମସିହା ଅକ୍ଟୋବର ୨୧ ତାରିଖରେ ଜନ୍ମିତ ଶ୍ରୀ ମିଶ୍ର ଜଣେ ଅତ୍ୟନ୍ତ ଦକ୍ଷତା ସମ୍ପନ୍ନ ଓ ମେଳାପୀ ଅଧିକାରୀ ଥିଲେ ।
ତାଙ୍କର ଅକାଳ ବିୟୋଗରେ ଗଭୀର ଦୁଃଖ ବ୍ୟକ୍ତ କରି ପୂର୍ବତନ ପୋଲିସ୍ ମହାନିର୍ଦ୍ଦେଶକ ଶ୍ରୀଯୁକ୍ତ ଗୋପାଳ ଚନ୍ଦ୍ର ନନ୍ଦ କହିଥିଲେ ଯେ ଶ୍ରୀ ମିଶ୍ରଙ୍କର ନିଧନରେ ମୁଁ ଗଭୀର ଭାବରେ ମର୍ମାହତ । ତାଙ୍କର ମୃତ୍ୟୁ ସମଗ୍ର ଓଡିଶା ନିମନ୍ତେ ଏକ ଅପୂରଣୀୟ କ୍ଷତି । ସେ ଆହୁରି ମଧ୍ୟ କହିଥିଲେ ଯେ ଜଣେ ଭଲ ବନ୍ଧୁ ଏବଂ ପଡୋଶୀ ଭାବରେ ମୋର ତାଙ୍କ ସହ ବନ୍ଧୁତା ଅତି ନିବିଡ । ସେ ଜଣେ ଅତ୍ୟନ୍ତ ସରଳ, ମେଳାପୀ ଓ ଦରଦୀ ଅଧିକାରୀ ଥିଲେ । ଆଜିର ଯୁବପୀଢିଙ୍କ ନିମନ୍ତେ ସେ ଏକ ପ୍ରେରଣାର ଉତ୍ସ । ତାଙ୍କର ଏମିତି ହଠାତ୍ ମୃତ୍ୟୁରେ ମୁଁ ହତବାକୁ ବୋଲି ମଧ୍ୟ ସେ କହିଥିଲେ ।
ମାତ୍ର ୨୦ ବର୍ଷ ବୟସରେ ସର୍ବ ଭାରତୀୟ ପୋଲିସ୍ ସେବା ପରୀକ୍ଷାରେ କୃତକାର୍ଯ୍ୟ ହୋଇ ସେ ସ୍ୱର୍ଗତଃ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ କଂଗ୍ରେସ ସରକାର ଏବଂ ଦିବଂଗତ ବିଜୁ ପଟ୍ଟନାୟକଙ୍କ ଜନତା ଦଳ ସରକାରରେ ଓଡିଶା ପୋଲିସର ନେତୃତ୍ୱ ବହନ କରିଥିଲେ । ସେବାନିବୃତି ପରେ ସେ କଟକ ମହାନଗର ନିଗମ ବିକାଶ ସଂସ୍ଥାର ଉପ ସଭାଧ୍ୟକ୍ଷ ଭାବରେ କାର୍ଯ୍ୟ କରିଥିଲେ । ତାଙ୍କ ଜୀବନ କାଳ ଭିତରେ ସେ ଓଡିଶା ପୋଲିସ୍ ପ୍ରକରଣ ପୁସ୍ତିକା (୧ମ ଓ ୨ୟ ଭାଗ), ଓଡିଶା ଅପରାଧିକ ମାଇନର୍ ଅଧିନିୟମ ଏବଂ ନିୟମ, ଓଡିଶା ଜେଲ୍ ପ୍ରକରଣ ପୁସ୍ତିକା, ଓଡିଶା ନାରକୋଟିକ୍ ଅଧିନିୟମ, ଓଡିଶା ଅବକାରୀ ନିୟମ ପରି ଅନେକ ପୁସ୍ତକ ସଙ୍କଳନ କରିଥିଲେ । ତାଙ୍କର ଶେଷକୃତ୍ୟ କଟକ ସ୍ଥିତ ସତୀଚଉରାଠାରେ ସମ୍ପନ୍ନ ହୋଇଥିଲା ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking