34.1 C
Bhubaneswar
Friday, March 29, 2024
Homeଓଡିଶାଯାଜପୁର ଜିଲ୍ଲାରେ ଆଇଏପି କେନ୍ଦ୍ରୀୟ ଅନୁଦାନ ଅନିୟମିତତାର ତଦନ୍ତ ପାଇଁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ନିର୍ଦ୍ଦେଶ

ଯାଜପୁର ଜିଲ୍ଲାରେ ଆଇଏପି କେନ୍ଦ୍ରୀୟ ଅନୁଦାନ ଅନିୟମିତତାର ତଦନ୍ତ ପାଇଁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ନିର୍ଦ୍ଦେଶ

ଯାଜପୁର (ଓଏନଏ): ଅଭିଯୋଗକୁ ଦୀର୍ଘ ପାଞ୍ଚ ବର୍ଷ ବିତିଯିବା ପରେ ଦେଶର ସର୍ବୋଚ୍ଚ କାର୍ଯ୍ୟାଳୟରୁ ଏବେ ତତ୍ପରତା ପ୍ରକାଶ ପାଇଛି ଏବଂ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ୨୦୧୧ଠାରୁ ୨୦୧୫ ମସିହା ପର୍ଯ୍ୟନ୍ତ ବାମପନ୍ଥୀ ଉଗ୍ରବାଦ ପ୍ରଭାବିତ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ସାମଗ୍ରିକ ବିକାଶ ପାଇଁ ସମନ୍ୱିତ କାର୍ଯ୍ୟ ଯୋଜନା (ଆଇଏପି)ରେ ଯାଜପୁର ଜିଲ୍ଲାକୁ ଆସିଥିବା କୋଟି କୋଟି ଟଙ୍କାର କେନ୍ଦ୍ରୀୟ ଅନୁଦାନ ଅଣ ବାମପନ୍ଥୀ ଉଗ୍ରବାଦ ପ୍ରଭାବିତ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଦୁରୁପଯୋଗ କରି ବିନିଯୋଗ କରିବାକୁ ନେଇ ୨୦୧୬ମସିହା ଜୁଲାଇ ୨୭ ତାରିଖରେ ଆଇନଜୀବି ଉଦୟନାଥ ସାହୁଙ୍କ ପକ୍ଷରୁ ହୋଇଥିବା ଅଭିଯୋଗର ଗୁରୁତ୍ୱକୁ ଉପଲବ୍ଧି କରି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ତାହାର ତଦନ୍ତ କରିବା ପାଇଁ ଗତକାଲି ରାଜ୍ୟ ସରକାରଙ୍କ ଜଣେ ଯୁଗ୍ମ ସଚିବ ଅକ୍ଷୟ କୁମାର ତ୍ରିପାଠୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସେହି କେନ୍ଦ୍ରୀୟ ଅନୁଦାନର ସେତେବେଳେ ଯଦି ସଠିକ୍ ବିନିଯୋଗ କରାଯାଇଥାନ୍ତା ତେବେ ନଗଡା ପରି ଅଞ୍ଚଳ ଅବହେଳିତ ହୋଇ ପଡ଼ି ରହି ନ ଥାନ୍ତା କି ସେଠାକାର ଜୁଆଙ୍ଗ ମାନଙ୍କ କରୁଣ ଓ ବିକଳ ଚିତ୍ର ହୁଏତ ଦେଖିବାକୁ ବି ମିଳି ନ ଥାନ୍ତା ବୋଲି ସେ ତାଙ୍କ ଅଭିଯୋଗରେ ଉଲ୍ଲେଖ କରିଥିଲେ । ସେହି ଚାରି ଗୋଟି ଆର୍ଥିକ ବର୍ଷରେ ଯାଜପୁର ଜିଲ୍ଲାକୁ ସମନ୍ୱିତ କାର୍ଯ୍ୟ ଯୋଜନା (ଆଇଏପି)ରେ ୧୧୭ କୋଟି ୨୮ଲକ୍ଷ ୨୩ହଜାର ଟଙ୍କାର ଅନୁଦାନ ଆସିଥିଲା । ଏହି ଅନୁଦାନର ୬୫% ଅର୍ଥ ବାମପନ୍ଥୀ ଉଗ୍ରବାଦ ପ୍ରଭାବିତ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ବ୍ୟୟ କରିବାକୁ ନିର୍ଦ୍ଦିଷ୍ଟ ଭାବେ ନିର୍ଦ୍ଦେଶ ରହିଥିଲା । ମାତ୍ର ପ୍ରଶାସନ ତାହାକୁ ଅମାନ୍ୟ କରି ଯୋଜନାର ଅର୍ଥକୁ ଅଣ ବାମପନ୍ଥୀ ଉଗ୍ରବାଦ ପ୍ରଭାବିତ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ବ୍ୟୟ କରି ଦେଇଥିଲେ । ସେତେବେଳେ ଜିଲ୍ଲାର କେବଳ ସୁକିନ୍ଦା ଓ ଦାନଗଦି ବ୍ଳକ୍ ବାମପନ୍ଥୀ ଉଗ୍ରବାଦ ପ୍ରଭାବିତ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ରହିଥିଲା । କିନ୍ତୁ ଏହି ଅନୁଦାନରୁ ସୁକିନ୍ଦା ବ୍ଲକରେ ମାତ୍ର ୨୬କୋଟି ୪ଲକ୍ଷ ୫ହଜାର ଟଙ୍କା ଏବଂ ଦାନଗଦି ବ୍ଲକରେ ମାତ୍ର ୧୯କୋଟି ୪ଲକ୍ଷ ୨୧ହଜାର ଟଙ୍କା ବ୍ୟୟ କରି ବାକି ୬୧.୫୪% ଅର୍ଥ ଜିଲ୍ଲାର ବିଭିନ୍ନ ବ୍ଳକ୍ ଓ ମ୍ୟୁନିସିପାଲିଟି ଅଞ୍ଚଳରେ ମନଇଚ୍ଛା ଖର୍ଚ୍ଚ କରି ଦେଇଥିବା ଦର୍ଶାଇ ଏବଂ ଏଠାରେ କେନ୍ଦ୍ରୀୟ ଅନୁଦାନର ଦୁରୁପଯୋଗ ହୋଇଥିବା ଦୃଷ୍ଟିରୁ ଏହାର ତଦନ୍ତ ସିବିଆଇ ପରି କୌଣସି ଏକ ଜାତୀୟ ତଦନ୍ତକାରୀ ସଂସ୍ଥା ଦ୍ଵାରା କରାଇବାକୁ ଶ୍ରୀ ସାହୁ ତାଙ୍କ ଦରଖାସ୍ତ ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କ ସମେତ କେନ୍ଦ୍ର ଗୃହ, ଅର୍ଥ, ଆଦିବାସୀ ବ୍ୟାପାର ମନ୍ତ୍ରୀ ଏବଂ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଥିଲେ । କିନ୍ତୁ ସେହି ଅଭିଯୋଗର ଯେଉଁ ଏକକିତା ନକଲ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କୁ ସେ ପଠାଇଥିଲେ ତା ଉପରେ ତାଙ୍କ କାର୍ଯ୍ୟାଳୟ କି ପ୍ରକାର ପଦକ୍ଷେପ ଗ୍ରହଣ କରିଛି; ଏଯାଏଁ ତାଙ୍କୁ କୌଣସି ସୂଚନା ମିଳି ନ ଥିବା ଯୋଗୁଁ ଶ୍ରୀ ସାହୁ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking