ଲକ୍ଷ୍ନୌ : ଲକ୍ଷ୍ନୌରୁ ଆବୁଧାବି ଯାଉଥିବା ଇଣ୍ଡିଗୋ ବିମାନ ଦିଲ୍ଲୀ ବିମାନ ବନ୍ଦରରେ ଜରୁରୀକାଳୀନ ଅବତରଣ କରିଛି । ହାଇଡ୍ରଲିକ୍ ଅଚଳ ହୋଇଯାଇଥିବା ସନ୍ଦେହ କରି ବିମାନ ଜରୁରୀ ଅବତରଣ କରିଥିଲା । ବିମାନରେ ୧୫୫ ଜଣ ଯାତ୍ରୀ ରହିଥିଲେ । ବିମାନ ନମ୍ବର 6E 093 ଜରୁରୀ ଅବତରଣ କରିବା ନେଇ ଇଣ୍ଡିଗୋ କୌଣସି ଅଫିସିଆଲ ବିବୃତ୍ତି ଦେଇନାହିଁ । ୨ ସପ୍ତାହ ତଳେ ଦିଲ୍ଲୀ ଅଭିମୁଖେ ଯାତ୍ରା କରୁଥିବା ଏକ ଇଣ୍ଡିଗୋ ବିମାନ ଉଡ଼ାଣ ଆରମ୍ଭ କରିବା ପରେ ଗୋଟାଏ ପକ୍ଷୀ ସହିତ ଧକ୍କା ଖାଇବାରୁ ଭୁବନେଶ୍ବର ବିମାନ ବନ୍ଦରରେ ଜରୁରୀ ଅବତରଣ କରିଥିଲା।
ସେହିପରି, ଅଗଷ୍ଟ ମାସରେ ଜଣେ ଯାତ୍ରୀ ଅସୁସ୍ଥ ହୋଇପଡ଼ିବାରୁ ଆଉ ଏକ ଇଣ୍ଡିଗୋ ବିମାନ ନାଗପୁର ବିମାନ ବନ୍ଦରରେ ଜରୁରୀ ଅବତରଣ କରିଥିଲା। ମୁମ୍ବାଇରୁ ରାଞ୍ଚି ଅଭିମୁଖେ ଯାତ୍ରା କରୁଥିବା ଉକ୍ତ ବିମାନର ଅସୁସ୍ଥ ଯାତ୍ରୀଜଣକ ରକ୍ତବାନ୍ତି କରିଥିଲେ। ଡାକ୍ତରଖାନା ନିଆଯିବା ସତ୍ତ୍ବେ ତାଙ୍କ ଜୀବନ ରକ୍ଷା କରାଯାଇ ପାରି ନ ଥିଲା। ସୂଚନାଯୋଗ୍ୟ, ଗତ ମଙ୍ଗଳବାର ଦିନ ଗୋଟିଏ ଦିନରେ ଦୁଇଟି ମାମଲା ଦେଖିବାକୁ ମିଳିଥିଲା । ବିମାନରେ ବୈଷୟିକ ତ୍ରୁଟି ଦେଖିବାକୁ ମିଳିଥିଲା । କୋଲକତାରୁ ବେଙ୍ଗାଲୁରୁ ଯାଉଥିବା ବିମାନର ଇଞ୍ଜିନ ମଝି ଆକାଶରେ ଖରାପ ହୋଇଯାଇଥିଲା । ଏହା ପରେ ମଧ୍ୟ ବିମାନଟି ସୁରକ୍ଷିତ ଅବତରଣ କରିଥିଲା ।