32.1 C
Bhubaneswar
Thursday, March 28, 2024
Homeଓଡିଶାପାଣିପାଇଁ ମାଆସହ ଆସି ଗାତରେ ପଡ଼ିଲା ହାତୀଛୁଆ

ପାଣିପାଇଁ ମାଆସହ ଆସି ଗାତରେ ପଡ଼ିଲା ହାତୀଛୁଆ

ମୟୂରଭଞ୍ଜ – ଜଳ ହିଁ ଜୀବନ।ମଣିଷ ହେଉକି ପହୁପକ୍ଷୀ, ବୃକ୍ଷଲତା ହେଉକି ସରୀସୃପ ସୃଷ୍ଟିର ସମସ୍ତଙ୍କ ପାଇଁ ଜୀବନର ଆଧାର ଜଳ। ଏଭଳି ସ୍ଥିତିରେ ସରକାରୀ ବ୍ୟବସ୍ଥା ଥାଇ ମଧ୍ୟ ଜଳ ସୁବିଧା ଯୋଗାଇ ଦେବାରେ ବିଫଳ ପ୍ରଶାସନ।ଯୋଉଥିପାଇଁ ଶୋଷ ମେଣ୍ଟାଇବାକୁ ମାଆହାତୀ ସହ ଆସି ଗାତରେ ଖସି ପଡ଼ିଲା ୧୫ଦିନର ଛୁଆହାତୀ। ଏଭଳି ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ରେଞ୍ଜ ଅଧିନ ବାଲେଶ୍ବର- ମୟୂରଭଞ୍ଜ ସୀମାନ୍ତ ଝାଟିଅଡ଼ା ପଞ୍ଚାୟତ ଅନ୍ତର୍ଗତ ଘାସମାରି ଠାରେ। ଏଠାରେ ଥିବା ଏକ ଡ଼ାଗୱେଲ ଗାତରେ ଖସି ପଡ଼ିଥିଲା ହାତୀଛୁଆ। ତେବେ ବୃଦ୍ଧି
ପାଉଥିବା ଗ୍ରୀଷ୍ମପ୍ରବାହ ଅସହ୍ୟ ହେଉଥିବା ବେଳେ ଜଙ୍ଗଲରେ ଜଳାଶୟ ଅଭାବରୁ ଶୋଷ ମେଣ୍ଟାଇବା ପାଇଁ ପାଣି ପିଇବାକୁ ମାଆହାତୀ ସହ ଆସି ହାତୀଛୁଆଟି ଗାତରେ ଖସିପଡିଥିଲା । ଖବରପାଇ ବନବିଭାଗ ପହଞ୍ଚି ଜେସିବିରେ ମାଟି ତାଡିବା ପରେ ହାତୀଛୁଆକୁ ମାଆହାତୀ ଶୁଣ୍ଡରେ ଟାଣି ଗାତରୁ କାଢି ଆଣିଥିଲା । ପରେ ଛୁଆହାତୀ ଅନ୍ୟ ହାତୀମାନଙ୍କ ସହିତ ମିଶି ବେଶ ଖୁସିରେ ଜଙ୍ଗଲକୁ ଚାଲିଯାଇଥିଲା । ତେବେ ଘାସମାରି ଜଙ୍ଗଲରେ ଡେରା ପକାଇଥିବା ସମସ୍ତ ହାତୀ ଶିମିଳିପାଳ ଅଭୟାରଣ୍ୟର ବୋଲି ବନବିଭାଗ ସୂତ୍ରରୁ ଜଣାପଡିଛି । ଅନ୍ୟପଟେ ହାତୀଛୁଆ ଉଦ୍ଧାର କରିବା ପାଇଁ ମୋରଡ଼ା ରେଞ୍ଜରଙ୍କୁ ବେଶ ନୟାନ୍ତ ହେବାକୁ ପଡିଥିଲା ବେଳେ ଫରେଷ୍ଟଗାର୍ଡ ଅଶୋକ ସାହୁ ଏବଂ ଅନ୍ୟ କର୍ମଚାରୀମାନେ ସହଯୋଗ କରିଥିଲେ। ରାସଗୋବିନ୍ଦପୁର ରେଞ୍ଜର ବିଭିନ୍ନ ଅଞ୍ଚଳରେ ବର୍ଷତମାମ ହାତୀପଲ ରହୁଥିବାନେଇ ନେତା, ମନ୍ତ୍ରୀ, ପ୍ରଶାସନ କାହାକୁ ଅଛପା ନାହିଁ। ଏଭଳି ସ୍ଥିତିରେ ରାଜ୍ୟ ସରକାର ହୁଅନ୍ତୁ କି ବନବିଭାଗ ଅଥବା ପ୍ରଶାସନ ଜଙ୍ଗଲ ଭିତରେ ଜଳାଶୟ ସୃଷ୍ଟି କରି ବନ୍ୟପ୍ରାଣୀଙ୍କ ପାଇଁ ପାନୀୟଜଳ ସୁବିଧା ନ କରିବା ଆଶ୍ଚର୍ଯ୍ୟଜନକ ହୋଇଥିଲା ବେଳେ କାହିଁକି କରାଯାଉ ନାହିଁ ତାକୁନେଇ ଉଠୁଛି ପ୍ରଶ୍ନବାଚୀ। ସେହିପରି ବନ୍ୟପ୍ରାଣୀ ସୁରକ୍ଷା ଦିଗରେ ସରକାର ବନବିଭାଗ ଦ୍ବାରା ବିଭିନ୍ନ ଯୋଜନା ପ୍ରସ୍ତୁତ କରି କାର୍ଯ୍ୟକାରୀ କରୁଥିବା ବେଳେ ଏଠାରେ ତାର ବ୍ୟତିକ୍ରମ କାହିଁକି, ଏଥିପାଇଁ ଦାୟୀ କିଏ, ଯୋଉମାନଙ୍କର ଦାୟିତ୍ବହୀନତା ଯୋଗୁଁ ଜଙ୍ଗଲରେ ଜଳ ଅଭାବରୁ ମାଆ ସହ ଛୁଆହାତୀ ଜଳ ପିଇ ଶୋଷ ମେଣ୍ଟାଇବାକୁ ଆସି ଗାତରେ ପଡି ମୃତ୍ୟୁ ମୁହଁକୁ ଟାଣି ହୋଇ ଯାଇଥିଲା ସେମାନଙ୍କ ବିରୋଧରେ ସରକାର କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ଦେଖିବାକୁ ବାକିରହିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking