39.1 C
Bhubaneswar
Wednesday, April 24, 2024
Homeଓଡିଶାଛୁଆକୁ ଅଲୋଡ଼ା କଲା ମା' ହାତୀ 

ଛୁଆକୁ ଅଲୋଡ଼ା କଲା ମା’ ହାତୀ 

ରଙ୍ଗେଇଲୁଣ୍ଡା : ସୋରଳ ତାମ୍ପରା ହ୍ରଦ ପଙ୍କ କାଦୁଅରେ ଫସିଥିବା ଛୁଆ ହାତୀକୁ ଛାଡ଼ି ଚାଲି ଯାଇଥିଲେ ହାତୀପଲ । ମାଆ ହାତୀ ମଧ୍ୟ ଛୁଆକୁ ଗ୍ରହଣ କରିନଥିଲା । ଏହାର କାରଣ ଏବେ ବି ଅସ୍ପଷ୍ଟ । ତେବେ ବନ ବିଭାଗ ଏହି ଛୁଆ ହାତୀକୁ ଉଦ୍ଧାର କରିଛି । ଘଟଣାସ୍ଥଳରେ ଡିଏଫ୍‌ଓ ଅମ୍ଲାନ ନାୟକ ଓ ୪୦ରୁ ଊର୍ଦ୍ଧ୍ୱ ବନ କର୍ମଚାରୀ ଉପସ୍ଥିତ ରହି ରାତ୍ର ସମୟରେ ଛୁଆ ହାତୀକୁ ଉଦ୍ଧାର କରିଥିଲେ। ମଙ୍ଗଳବାର ମଧ୍ୟରାତ୍ରରେ ଟାମଣା ବିଟ୍ ହାଉସ୍‌ରେ ରଖିଥିଲେ । କୁକୁଡ଼ାଖଣ୍ଡି ବ୍ଲକର ପ୍ରାଣୀ ଚିକିତ୍ସାଧିକାରୀ ତିନିଥର ହାତୀର ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରିଛନ୍ତି । ଛୁଆ ହାତୀକୁ ଦେଖିବା ପାଇଁ ଲୋକଙ୍କ ଗହଳି ଦେଖାଯାଇଥିଲା । ହାତୀର ସ୍ୱାସ୍ଥ୍ୟ ଭଲ ରହିଛି । ଏହି ହାତୀକୁ ନନ୍ଦନକାନନ କିମ୍ବା ଅନ୍ୟ ଚିଡ଼ିଆଖାନାକୁ ନିଆଯିବ ବୋଲି ଡିଏଫ୍‌ଓ ଅମ୍ଲାନ ନାୟକ ସୂଚନା ଦେଇଛନ୍ତି । ଅନ୍ୟପଟେ ସେଠାରୁ ୧୪ଟିକିଆ ହାତୀପଲ ଏରେଣ୍ଢ୍ରା ଓ କୃଷ୍ଣନଗର ଅଞ୍ଚଳରେ ରହିଥିବା ଜଣାପଡ଼ିଛି ।

ଗତ କିଛିଦିନ ହେଲା ଦକ୍ଷିଣ ଘୁମୁସର ଲଖାରୀ ଜଙ୍ଗଲରୁ ଆସିଥିବା ହାତୀପଲ ରଙ୍ଗେଇଲୁଣ୍ଡା ଓ ଚିକିଟି ବ୍ଲକରେ ବ୍ୟାପକ ଧାନ ଓ ପନିପରିବା ଫସଲ ନଷ୍ଟ କରିଛନ୍ତି । ଏନେଇ ବନ ବିଭାଗ ହାତୀପଲ ଘଉଡ଼ାଇବା ପାଇଁ ପ୍ରୟାସ ଜାରି ରହିଛି । ସୋମବାର ମଧ୍ୟରାତ୍ରରେ ପ୍ରଥମ କରି ୧୫ ଟିକିଆ ହାତୀପଲ ଗୋଳନ୍ଥରା ଥାନା ଅନ୍ତର୍ଗତ ସୋରଳ ଗ୍ରାମର ବାହୁଦା ହ୍ରଦ ତଥା ଚିଲିକାରେ ପଶି ଚିଙ୍ଗୁଡ଼ି ଚାଷ ପାଇଁ ବ୍ୟବହୃତ ଜାଲ, ଦୁଇଟି ଡ଼ଙ୍ଗା ଓ ଅନ୍ୟାନ୍ୟ ସରଞ୍ଜାମ ବ୍ୟାପକ ନଷ୍ଟ କରିବା ସହ ହ୍ରଦ ଭିତରେ ଫସି ଯାଇଥିଲେ । ଏହି ସମୟରେ ଏକ ୩ ମାସର ଛୁଆ ହାତୀ ପଙ୍କ ଭିତରେ ପଶି ଯାଇଥିଲା । ପଙ୍କ କାଦୁଅରୁ ଛୁଆ ହାତୀ ବାହାରି ନପାରିବାରୁ ମଙ୍ଗଳବାର ମତ୍ସ୍ୟଜୀବୀ ଓ ସ୍ଥାନୀୟ ଲୋକ ଡଙ୍ଗାରେ ଯାଇ ଛୁଆ ହାତୀକୁ ଉଦ୍ଧାର କରିଥିଲେ । ଉଦ୍ଧାର ହାତୀକୁ ହାତୀପଲରେ ମିଶାଇବା ପାଇଁ ବନ ବିଭାଗ ପକ୍ଷରୁ ଅକ୍ଲାନ୍ତ ପରିଶ୍ରମ କରିଥିଲେ ମଧ୍ୟ ମାଆ ହାତୀ ଛୁଆକୁ ଆପଣାଉଥିବା ବେଳେ ଦୁଇଟି ଦନ୍ତାହାତୀ ତାକୁ ଘଉଡ଼ାଉ ଥିଲେ । ଏହି ଦୃଶ୍ୟ ଅଞ୍ଚଳବାସୀଙ୍କୁ ଭାବବିହ୍ୱଳ କରି ଦେଇଥିଲା । ଛୁଆ ହାତୀଟି ମା’ର ନିକଟ ହେଉଥିଲେ ମଧ୍ୟ ହାତୀପଲରେ ନମିଶାଇବା ଯୋଗୁଁ ତା’ର ଆଖି ଛଳଛଳ ହୋଇପଡ଼ିଥିଲା । ପରବର୍ତ୍ତୀ ସମୟରେ ଛୁଆ ହାତୀକୁ ମା’ ନନେଇ ଚାଲି ଯାଇଥିଲା । ପଙ୍କ କାଦୁଅରେ ଫସି ରହିଥିବା ଛୁଆ ହାତୀ ଆହତ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking