ଭୁବନେଶ୍ୱର : ଆଜି ଇସ୍ଲାମିକ୍ ଧର୍ମାବଲମ୍ବୀମାନଙ୍କ ପବିତ୍ର ପର୍ବ ‘ଇଦ୍-ଊଲ୍-ଫିତର’ । କରୋନା କଟକଣା ମଧ୍ୟରେ ପରସ୍ପରକୁ ଜଣାଇବେ ‘ଇଦ୍ ମୁବାରକ୍’ । ଘରେ ଘରେ ପ୍ରସ୍ତୁତ ହେବ ଲଚ୍ଛା ଏବଂ ବିରିୟାନୀ । ତେବେ କୋଭିଡ୍ କଟକଣା କାରଣରୁ ମସଜିଦ୍ରେ ସମୂହ ନମାଜ ପାଠ କରାଯିବ ନାହିଁ । ଇମାମଙ୍କ ସହ କେବଳ ୫ ଜଣ ନମାଜ ପାଠ କରିବେ । ସାଧାରଣତଃ ସାଉଦିଆରବରେ ଚାନ୍ଦ ଦେଖାଯିବାର ଦ୍ୱିତୀୟ ଦିନ ଭାରତରେ ଚାନ୍ଦ ରାତିର ପରମ୍ପରା ରହିଛି । ଏଥିପାଇଁ ଭାରତରେ ଏହାର ଗୋଟିଏ ଦିନ ପରେ ଅର୍ଥାତ୍ ମେ’ ୧୪ରେ ପବିତ୍ର ଇଦ୍ ପର୍ବ ପାଳନ କରାଯିବ । ଏପ୍ରିଲ୍ ୧୩ ତାରିଖରୁ ଇସ୍ଲାମିକ ଭାଇଭଉଣୀଙ୍କ ପାଇଁ ଧର୍ମମାସ ଆରମ୍ଭ ହୋଇଥିଲା । ପୂରା ମାସ ଇସ୍ଲାମିକ ଧର୍ମୀମାନେ ନମାଜ ପାଠ କରିବା ସହ ଦାନ ଧର୍ମ ଓ ଈଶ୍ୱର ଉପାସନାରେ ସମୟ ବିତାଇଥିବା ଦେଖିବାକୁ ମିଳିଥିଲା । ପ୍ରଥମେ ରାଜଧାନୀର ବିଭିନ୍ନ ମସଜିଦ୍ରେ କରୋନା କଟକଣା ମଧ୍ୟରେ ଏକକାଳୀନ ସର୍ବାଧିକ ୧୦୦ ଜଣ ବ୍ୟକ୍ତିଙ୍କୁ ନମାଜ ପାଠ ପାଇଁ ଅନୁମତି ମିଳିଥିଲେ ମଧ୍ୟ ପରେ ଏହାକୁ ପ୍ରତ୍ୟାହାର କରିନିଆଯାଇଥିଲା ।
ପ୍ରତ୍ୟହ ଏହି ମାସରେ ସୂର୍ଯ୍ୟୋଦୟ ପୂର୍ବରୁ ସେହରୀ ସେବନରୁ ଉପବାସ ଆରମ୍ଭ କରାଯାଇଥାଏ ଏବଂ ରାତ୍ରିରେ ଇଫ୍ତାର୍ରେ ଉପବାସ ଭଙ୍ଗ କରାଯାଇଥାଏ । ଇସ୍ଲାମିକ ଧର୍ମର ସବୁ ବୟସର ବ୍ୟକ୍ତି ଏହି ଉପବାସ ରଖିବା ସହ ମସଜିଦ୍ ନଯାଇ ଅଧିକାଂଶ ବ୍ୟକ୍ତି ଘରେ ହିଁ ନମାଜ ପାଠ ସହ ଆଲ୍ଲାଙ୍କ ଉପାସନା କରିଥିଲେ । ପ୍ରତି ସନ୍ଧ୍ୟାରେ ଇସ୍ଲାମିକ୍ ଭାଇ ଭଉଣୀମାନେ ଇଫ୍ତାର ସହ ରୋଜା ଖୋଲିଥିଲେ । ମସଜିଦ୍ରେ ରମ୍ଜାନ ମାସର ଶେଷ ଦିନଟିକୁ ‘ଇଦ୍-ଊଲ୍-ଫିତର୍’ ଭାବେ ପାଳନ କରାଯିବ । ଇଦ୍-ଊଲ୍-ଫିତର ଦିନ ସକାଳୁ ଲୋକେ ନୂତନ ପୋଷାକ ପରିଧାନ କରି ନମାଜ ପାଠ କରି ଶାନ୍ତି ଏବଂ ସମୃଦ୍ଧିର ଦୁଆ ମାଗନ୍ତି । ପରସ୍ପରକୁ ଆଲିଙ୍ଗନ କରି ଭାଇଚାରା ବାଣ୍ଟନ୍ତି । ଏହି ଦିନ ମୁସଲ୍ମାନ ସମ୍ପ୍ରଦାୟରେ ଭିନ୍ନ ଭିନ୍ନ ପ୍ରକାରର ମିଷ୍ଟାନ୍ନ ପ୍ରସ୍ତୁତ କରାଯାଏ । ପ୍ରତିବର୍ଷ ଖୁବ୍ ଧୂମ୍ଧାମ୍ରେ ଏହି ପର୍ବ ପାଳନ କରାଯାଉଥିବାବେଳେ ଚଳିତ ବର୍ଷ ଲକ୍ଡାଉନ୍ କାରଣରୁ ଏହି ପର୍ବ ପାଳନ ଫିକା ପଡ଼ିଛି । ରାଜଧାନୀରେ ଥିବା ମସଜିଦ୍ଗୁଡ଼ିକୁ ସାଜସଜା କରାଯାଇନାହିଁ କିମ୍ବା ଶ୍ରଦ୍ଧାଳୁଙ୍କ ଭିଡ଼କୁ ନେଇ ସ୍ୱତନ୍ତ୍ର ପ୍ରସ୍ତୁତି ନାହିଁ । ସବୁ ମସ୍ଜିଦ୍ ଜନଶୂନ୍ୟ ।