39.1 C
Bhubaneswar
Wednesday, April 24, 2024
Homeଦେଶ ବିଦେଶଝାଡ଼ଖଣ୍ଡ ଖଣି ଦୁର୍ନୀତି ମାମଲାରେ ଇଡି ଚାର୍ଜସିଟ୍‌: ସୋରେନ୍‌ଙ୍କ ୩ ସହଯୋଗୀ ମୁଖ୍ୟ ଅଭିଯୁକ୍ତ

ଝାଡ଼ଖଣ୍ଡ ଖଣି ଦୁର୍ନୀତି ମାମଲାରେ ଇଡି ଚାର୍ଜସିଟ୍‌: ସୋରେନ୍‌ଙ୍କ ୩ ସହଯୋଗୀ ମୁଖ୍ୟ ଅଭିଯୁକ୍ତ

ରାଞ୍ଚି : ଝାଡ଼ଖଣ୍ଡରେ ଦେଖାଦେଇଥିବା ୧୦୦୦ କୋଟି ଟଙ୍କାର ଖଣି ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ବୁଧବାର ରାଞ୍ଚିସ୍ଥିତ ସ୍ୱତନ୍ତ୍ର ପିଏମ୍‌ଏଲଏ କୋର୍ଟରେ ଚାର୍ଜସିଟ୍ ଦାଖଲ କରାଯାଇଛି । ଏଥିରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ଙ୍କ ତିନିଜଣ ସହଯୋଗୀ ତଥା ଜେଏମ୍‌ଏମ୍ ନେତା ପଙ୍କଜ ମିଶ୍ର, ପ୍ରେମ ପ୍ରକାଶ ଓ ବଚ୍ଚୁ ଯାଦବଙ୍କୁ ମୁଖ୍ୟ ଅଭିଯୁକ୍ତ ଦର୍ଶାଯାଇଛି । ପୂର୍ବରୁ ଏହି ମାମଲାରେ ଅଭିଯୁକ୍ତଙ୍କ ବାସଭବନ ଉପରେ ଇଡି ପକ୍ଷରୁ ଚଢଉ କରାଯାଇଥିଲା । ସେତେବେଳେ ପ୍ରେମ ପ୍ରକାଶଙ୍କ ଘରୁ ଗୋଟିଏ ଏକେ-୪୭ ରାଇଫଲ ଓ କେତେକ ଆପତ୍ତିଜନକ କାଗଜପତ୍ର ଜବତ କରାଯାଇଥିଲା । ଭାରତୀୟ ପିଙ୍ଗଳ କୋଡ୍‌, ବିସ୍ଫୋରକ ଆଇନ, ଅସ୍ତ୍ରଶସ୍ତ୍ର ଆଇନର ବିଭିନ୍ନ ଧାରା ଅନୁଯାୟୀ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି ।

ଏହି ଦୁର୍ନୀତିରେ ପ୍ରାୟ ୧୦୦୦ କୋଟି ଟଙ୍କା ହେରଫେର କରାଯାଇଥିବାର ପ୍ରମାଣ ମିଳିଛି ବୋଲି ଇଡି ପକ୍ଷରୁ କୁହାଯାଇଛି । ପଙ୍କଜ ମିଶ୍ର ଜଣେ ବିଧାୟକ ହୋଇଥିବାବେଳେ ସୋରେନ୍‌ଙ୍କ ଅତ୍ୟନ୍ତ ଅନୁଗତ । ତେଣୁ କ୍ଷମତାର ଅପବ୍ୟବହାର କରି ପଙ୍କଜ ଖଣି ଦୁର୍ନୀତିର ମୁଖ୍ୟ ସୂତ୍ରଧର ଥିଲେ ବୋଲି ଅଭିଯୋଗ ହୋଇଛି । ପଙ୍କଜ ଏହି ଦୁର୍ନୀତିରେ ପ୍ରାୟ ୪୨ କୋଟି ଟଙ୍କା ଆତ୍ମସାତ୍ କରିଥିବା ଇହି ପକ୍ଷରୁ କୁହାଯାଇଛି । ଇଡି ପକ୍ଷରୁ ଦେଶର ୪୭ଟି ସ୍ଥାନରେ ଚଢଉ କରାଯାଇ ଏପର୍ଯ୍ୟନ୍ତ ନଗଦ ୫.୩୪ କୋଟି ଟଙ୍କା ଜବତ କରାଯାଇଥିବାବେଳେ ୧୩.୩୨ କୋଟି ଟଙ୍କାର ବ୍ୟାଙ୍କ ଆକାଉଣ୍ଟକୁ ସିଲ୍ କରାଯାଇଛି । ଏହି ମାମଲାରେ ପଙ୍କଜଙ୍କୁ ଜୁଲାଇ ୧୯ରେ, ବଚ୍ଚୁ ଯାଦବଙ୍କୁ ଅଗଷ୍ଟ ୪ରେ ଏବଂ ପ୍ରେମ ପ୍ରକାଶଙ୍କୁ ଅଗଷ୍ଟ ୨୫ରେ ଗିରଫ କରାଯାଇଛି ।

ଏମାନେ ସମସ୍ତେ ବର୍ତ୍ତମାନ ଜେଲ୍‌ରେ ଅଛନ୍ତି । ଖଣ୍ଡି ଦୁର୍ନୀତିକୁ ଦେଇ ବିଜେପି ପକ୍ଷରୁ ସୋରେନ୍‌ଙ୍କ ବିଧାୟକ ପଦ ରଦ୍ଦ କରିବାକୁ ନିର୍ବାଚନ କମିଶନଙ୍କ ନିକଟରେ ପିଟିସନ ଦାଏର କରାଯାଇଥିଲା । ଗତ ଅଗଷ୍ଟରେ ଇସିଙ୍କ ପକ୍ଷରୁ ଝାଡଖଣ୍ଡ ରାଜ୍ୟପାଳଙ୍କ ନିକଟକୁ ଏକ ଜଉମୁଦ ଲଫାପା ଆସିଥିବାବେଳେ ଏହାକୁ କେନ୍ଦ୍ରକରି ଝାଡ଼ଖଣ୍ଡରେ ରାଜନୈତିକ ହଟଚମଟ ସୃଷ୍ଟି ହୋଇଥିଲା । ଚିଠିର ବିଷୟବସ୍ତୁ ସାର୍ବଜନୀନ ହୋଇନଥିବାବେଳେ ସୋରେନ୍‌ଙ୍କ ବିଧାୟକ ପଦ ରଦ୍ଦ ସୁପାରିସ ଆସିଛି ବୋଲି ଗୁଜବ ପ୍ରସାରିତ ହୋଇଥିଲା । ମେଣ୍ଟ ସରକାର ଭାଙ୍ଗିଯିବା ଭୟରେ ସୋରେନ ତାଙ୍କର ୩୨ ଜଣ ବିଧାୟକଙ୍କୁ ସ୍ୱତନ୍ତ୍ର ବସ୍ ଯୋଗେ ଛତିଶଗଡ ରାଜଧାନୀ ରାୟପୁର ପଠାଇଦେଇଥିଲେ । କାଳେ ବିଜେପି ମେଣ୍ଟର ବିଧାୟକଙ୍କୁ କିଣିନେବ, ସେହି ଆଶଙ୍କାରେ ସୋରେନ ବିବ୍ରତ ହୋଇପଡିଥିଲେ । ତେବେ ସୌଭାଗ୍ୟବଶତଃ ଏଭଳି କୌଣସି ଅଘଟଣ ଘଟିନଥିଲା । ପରବର୍ତ୍ତୀ ସମୟରେ ସୋରେନ ବିଧାନସଭାରେ ଅନୁଷ୍ଠିତ ଆସ୍ଥାଭୋଟ୍‌ରେ ବିଜୟୀ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking