କଲମ୍ବୋ: ଦେବାଳିଆ ହୋଇ ଗଲାଣି ଶ୍ରୀଲଙ୍କା । ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଛି । ଅର୍ଥନୈତିକ ସଙ୍କଟ ଦେଇ ଗତି କରୁଥିବା ଶ୍ରୀଲଙ୍କାର ଖରାପ ସମୟ ଶେଷ ହେବାର ନାମ ଧରୁନାହିଁ। ଶ୍ରୀଲଙ୍କାରେ ପେଟ୍ରୋଲ ମୂଲ୍ୟ ୫୦ ଟଙ୍କା ଏବଂ ଡିଜେଲରେ ୬୦ ଟଙ୍କା ବୃଦ୍ଧି ହୋଇଛି। ଦେଶରେ ଇନ୍ଧନ ମୂଲ୍ୟ ଗତ ଦୁଇ ମାସ ମଧ୍ୟରେ ତୃତୀୟ ଥର ପାଇଁ ବୃଦ୍ଧି କରାଯାଇଛି। ଫଳରେ ସେଠାରେ ପେଟ୍ରୋଲ ମୂଲ୍ୟ ଲିଟର ପିଛା ୪୭୦ ଏବଂ ଡିଜେଲ ପ୍ରତି ଲିଟର ପିଛା ୪୬୦ ଟଙ୍କାକୁ ବୃଦ୍ଧି ପାଇଛି। ସୂଚନାଯୋଗ୍ୟ, ଦେଶ ବୈଦେଶିକ ମୁଦ୍ରା ସଙ୍କଟ ଦେଇ ଗତି କରୁଥିବା ଯୋଗୁଁ ନିକଟରେ ଶ୍ରୀଲଙ୍କା ସରକାର ନାଗରିକଙ୍କ ଲାଗି ବୈଦେଶିକ ମୁଦ୍ରା ଧାରଣ ସୀମା ଲାଗୁ କରିଥିଲେ।
ଘୋର ଅର୍ଥନୈତିକ ସଙ୍କଟର ସମ୍ମୁଖୀନ ହେଉଥିବା ଶ୍ରୀଲଙ୍କାକୁ ଏବେ ରୁଷ ତେଲ ଭରସା। ଶ୍ରୀଲଙ୍କା ଏବେ ରୁଷରୁ ଶସ୍ତା ତେଲ ଆମଦାନୀ ଅନୁସନ୍ଧାନ କରୁଛି। ଏ ସମ୍ପର୍କରେ ଶ୍ରୀଲଙ୍କାର ଜଣେ ବରିଷ୍ଠ ମନ୍ତ୍ରୀ କହିଛନ୍ତି ଯେ, ତୈଳ ଆମଦାନୀ ପାଇଁ ଦେଶ ଏବେ ଭାରତର କ୍ରେଡିଟ୍ ଲାଇନ୍ ବ୍ୟବହାର କରିବ। ରବିବାର ଦିନ ଅପରାହ୍ନ ୨ଟାରୁ ଶ୍ରୀଲଙ୍କାରେ ପେଟ୍ରୋଲ ଏବଂ ଡିଜେଲର ଅଭାବ ଜନିତ ସ୍ଥିତି ଅଧିକ ଗମ୍ଭୀର ହୋଇଯାଇଥିଲା। ଏହାକୁ ଦୃଷ୍ଟିରେ ରଖି ଶ୍ରୀଲଙ୍କା ସରକାର ଉଭୟ ପେଟ୍ରୋଲ ଏବଂ ଡିଜେଲ ମୂଳ୍ୟରେ ଯଥାକ୍ରମେ ୫୦ ଏବଂ ୬୦ ଟଙ୍କା ବୃଦ୍ଧି କରିଛନ୍ତି। ଏହାଫଳରେ ସେଠାରେ ପେଟ୍ରୋଲ ମୂଲ୍ୟ ଲିଟର ପିଛା ୫୦ ଟଙ୍କା ଏବଂ ଡିଜେଲରେ ୬୦ ଟଙ୍କା ବୃଦ୍ଧି ହୋଇଛି। ରାଷ୍ଟ୍ରାୟତ୍ତ ପେଟ୍ରୋଲିୟମ କମ୍ପାନୀ ସିଲନ୍ ପେଟ୍ରୋଲିୟମ କର୍ପୋରେସନ୍ ଦେଇଥିବା ସୂଚନା ପରେ ଶ୍ରୀଲଙ୍କା ସରକାର ଏହି ପଦକ୍ଷେପ ନେଇଛନ୍ତି। ଯେଉଁଥିରେ ବ୍ୟାଙ୍କିଙ୍ଗ ଏବଂ ଲଜିଷ୍ଟିକ୍ କାରଣରୁ ଇନ୍ଧନ ପରିବହନ ଶ୍ରୀଲଙ୍କାରେ ପହଞ୍ଚିବ ନାହିଁ ବୋଲି କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି।