23.1 C
Bhubaneswar
Tuesday, March 19, 2024
Homeବ୍ରେକୀଙ୍ଗ୯୦ ପ୍ରତିଶତ ନଷ୍ଟ ଫୁସ୍‌ଫୁସ୍‌କୁ ଇକ୍‌ମୋ ପଦ୍ଧତିରେ ସୁସ୍ଥ କଲେ ସମ୍ ଡାକ୍ତର

୯୦ ପ୍ରତିଶତ ନଷ୍ଟ ଫୁସ୍‌ଫୁସ୍‌କୁ ଇକ୍‌ମୋ ପଦ୍ଧତିରେ ସୁସ୍ଥ କଲେ ସମ୍ ଡାକ୍ତର

ଭୁବନେଶ୍ୱର, ୦୫/୧୨ : କୋଭିଡ୍‌-୧୯ ସଂକ୍ରମିତ ହେଲେ ଅନେକ କ୍ଷେତ୍ରରେ ସଂକ୍ରମିତଙ୍କ ଫୁସ୍‌ଫୁସ୍ ଅଧିକ ମାତ୍ରାରେ ଆକ୍ରାନ୍ତ ହେଉଛି । କେତେକ କ୍ଷେତ୍ରରେ ଫୁସ୍‌ଫୁସ୍ ନଷ୍ଟ ହେବା ଦ୍ୱାରା ସଂକ୍ରମିତଙ୍କ ମୃତ୍ୟୁ ମଧ୍ୟ ଘଟୁଛି । ତେବେ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ଏଭଳି ଜଣେ କରୋନା ସଂକ୍ରମିତଙ୍କର ଚିକିତ୍ସା ଇକ୍‌ମୋ ସର୍ଭାଇଭର୍ ପଦ୍ଧତିରେ କରାଯାଇ ତାଙ୍କୁ ସଂପୂର୍ଣ୍ଣ ସୁସ୍ଥ କରାଯାଇପାରିଛି । ଏକ୍ସଟ୍ରାକର୍ପୋରିଅଲ୍ ମେମ୍ବ୍ରେମ୍ ଅକ୍ସିଜେନେସନ୍ ଅର୍ଥାତ୍ ଇକ୍‌ମୋ ସାହାଯ୍ୟରେ ସଂକ୍ରମିତଙ୍କୁ ସୁସ୍ଥ କରିବାରେ ସଫଳ ହୋଇଛନ୍ତି ସମ୍ ଡାକ୍ତର । ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବି ୟୁନିଭର୍ସିଟି) ପରିଚାଳିତ ଆଇଏମ୍‌ଏସ୍ ଆଣ୍ଡ ସମ୍‌ ହସ୍ପିଟାଲ୍‌ରେ ଓଡ଼ିଶାର ପ୍ରଥମ ଥର ପାଇଁ ଏହି ଇକ୍‌ମୋ ସର୍ଭାଇଭର ମାଧ୍ୟମରେ ସଫଳତା ମିଳି ପାରିଛି । ଏହି ଇକ୍‌ମୋ ସର୍ଭାଇଭରକୁ କୃତ୍ରିମ ଫୁସଫୁସ୍ ବୋଲି ମଧ୍ୟ ଡାକ୍ତରୀ ଭାଷାରେ କୁହାଯାଉଛି ।
୪୯ ବର୍ଷୀୟ ସୁଜିତ କୁମାର ସିଂହ ଗତ ସେପ୍ଟେମ୍ବର ୧୫ ତାରିଖରେ କରୋନା ସଂକ୍ରମିତ ହେବା ପରେ ସମ୍‌ କୋଭିଡ ହସ୍ପିଟାଲ୍‌ରେ ଭର୍ତି ହୋଇଥିଲେ । ସେଠାରେ କିଛି ଦିନ ଚିକିତ୍ସିତ ହେବା ପରେ ତାଙ୍କୁ ସମ୍‌ ହସ୍ପିଟାଲର କ୍ରିଟିକାଲ୍ କେୟାର ୟୁନିଟ୍‌କୁ ସ୍ଥାନାନ୍ତରିତ କରାଯାଇଥିଲା । ତେବେ କରୋନା
ସଂକ୍ରମଣ ହେବା ପରେ ତାଙ୍କର ଦୁଇଟି ଯାକ ଫୁସଫୁସ୍‌ର ୯୦ ଭାଗ ନଷ୍ଟ ହୋଇଯାଇଥିଲା ଏବଂ ତାଙ୍କ ଅବସ୍ଥା ଗୁରୁତର ହୋଇପଡ଼ିଥିଲା । ତୁରନ୍ତ ତାଙ୍କୁ ଭେନ୍‌ଟିଲେଟରରେ ରଖାଯାଇ ଚିକିତ୍ସା ଆରମ୍ଭ କରାଯାଇଥିଲା । ହାଇଫ୍ଲୋ ନାଜାଲ୍ ଅକ୍ସିଜେନ୍ ବ୍ୟବହାର କରାଯିବା ସତ୍ୱେ ସ୍ୱାସ୍ଥ୍ୟାବସ୍ଥାରେ
ଉନ୍ନତି ନ ଘଟିବାରୁ ତାଙ୍କୁ ଇକ୍‌ମୋ ପଦ୍ଧତିରେ ଚିକିତ୍ସା କରାଯାଇଥିଲା । ଇକ୍‌ମୋ ପଦ୍ଧତି ପ୍ରୟୋଗ ଦ୍ୱାରା ତାହା ଶରୀରରେ ଥିବା ଫୁସ୍‌ଫୁସ୍‌ର କାର୍ଯ୍ୟ କଲା ଏବଂ ସେହି ସମୟରେ କ୍ଷତିଗ୍ରସ୍ତ ଫୁସ୍‌ଫୁସ୍‌କୁ ସୁସ୍ଥ କରିବାରେ ଲାଗି ପଡ଼ିଲେ ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତରୀ ଟିମ୍ ।
ବେଶ କିଛି ଦିନ ଧରି ଏହି ପଦ୍ଧତିରେ ତାଙ୍କର ଚିକିତ୍ସା କରାଗଲା ଏବଂ ସେ ଧୀରେ ଧୀରେ ସୁସ୍ଥ ହେବାରେ ଲାଗିଲେ । ରୋଗୀ ଜଣକଙ୍କର ସ୍ୱାସ୍ଥ୍ୟାବସ୍ଥାରେ କିଛିଟା ସୁଧାର ଆସିବା ପରେ ଇକ୍‌ମୋ କଢ଼ାଯାଇ କେବଳ ଭେନ୍‌ଟିଲେଟରରେ ରଖାଗଲା । ତେବେ ତାଙ୍କୁ ସଂପୂର୍ଣ୍ଣ ସୁସ୍ଥ କରିବା ପାଇଁ ଆଇସିୟୁରେ ଫିଜିଓଥେରାପି ମଧ୍ୟ କରାଯାଇଥିଲା ବୋଲି ସୂଚନା ଦେଇଛନ୍ତି ସମ୍ ହସ୍ପିଟାଲ୍ କ୍ରିଟିକାଲ୍ କେୟାର
ବିଭାଗର ମୁଖ୍ୟ ଡଃ ଶକ୍ତିବେଦାନ୍ତ ମିଶ୍ର । ଦୀର୍ଘ ଦୁଇ ମାସ ର ଚିକିତ୍ସା ଓ ହସ୍ପିଟାଲ୍‌ର କ୍ରିଟିକାଲ୍ କେୟାର୍ ୟୁନିଟ୍‌ର ପ୍ରତ୍ୟକ୍ଷ ତତ୍ୱାବଧାନ,
ପ୍ରଚେଷ୍ଟା ଓ ଉଦ୍ୟମ ଫଳରେ ରୋଗୀ ଜଣକ ଏବେ ସୁସ୍ଥ ହୋଇଥିବା ଜଣାପଡ଼ିଛି । ସମ୍ ହସ୍ପିଟାଲ୍‌ରେ ଇକ୍‌ମୋ ପଦ୍ଧତିରେ ଚିକିତ୍ସା କରାଯାଇ କରୋନା ସଂକ୍ରମିତଙ୍କୁ ସୁସ୍ଥ କରାଯିବା ଓଡ଼ିଶାରେ ଏକ ବିରଳ ସଫଳତା ବୋଲି କହିଛନ୍ତି ସମ୍ ହସ୍ପିଟାଲ୍‌ର କାର୍ଡିଓଥୋରାସିକ୍ ଆଣ୍ଡ
ଭାସ୍କୁଲାର ସର୍ଜରୀ ବିଭାଗର ମୁଖ୍ୟ ଡଃ ଦେବାଶିଷ ସାହୁ । ହସ୍ପିଟାଲର ଏକ ୭ ଜଣିଆ ଡାକ୍ତରୀ ଟିମ୍ ଏହି ଚିକିତ୍ସା ପଦ୍ଧତିରେ ସାମିଲ୍ ଥିଲେ । ଏହି ଟିମ୍‌ରେ ଡଃ ମିଶ୍ର ଓ ଡଃ ସାହୁଙ୍କ ସମେତ କ୍ରିଟିକାଲ୍ କେୟାର ବିଭାଗର ଆସୋସିଏଟ୍ ପ୍ରଫେସର ଡଃ ଅରୁଣ ରଥ ଓ ଡଃ ଅଭିଳାଷ ଦାଶ, ଫିଜିଓଥେରାପି ବିଭାଗ ମୁଖ୍ୟ ଡଃ ସ୍ଥିତିପ୍ରଜ୍ଞା ଦଳବେହେରା,କନ୍‌ସଲ୍‌ଟାଂଟ୍ , କାର୍ଡିଆକ ଆନେସ୍‌ଥେସିଆ ଡଃ ସୁଶାନ୍ତ ଭୋଇ ଏବଂ ପର୍‌ଫ୍ୟୁଜନିଷ୍ଟ ଶ୍ରୀ
ସନାତନ ଚାନ୍ଦ ସାମିଲ୍ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking