38.1 C
Bhubaneswar
Saturday, April 20, 2024
Homeଦେଶ ବିଦେଶଉତ୍ତରପ୍ରଦେଶରେ ଜଳିଗଲା ଦୁର୍ଗାପୂଜା ମଣ୍ଡପ: ୫ ମୃତ, ୬୦ରୁ ଊର୍ଦ୍ଧ୍ବ ଆହତ

ଉତ୍ତରପ୍ରଦେଶରେ ଜଳିଗଲା ଦୁର୍ଗାପୂଜା ମଣ୍ଡପ: ୫ ମୃତ, ୬୦ରୁ ଊର୍ଦ୍ଧ୍ବ ଆହତ

ଲକ୍ଷ୍ନୌ: ପାର୍ବଣରେ ଅଘଟଣ । ଦୁର୍ଗା ମଣ୍ଡପରେ ନିଆଁ ଲାଗିଯିବାରୁ ୫ ଜଣ ପ୍ରାଣ ହରାଇବା ସହ ପ୍ରାୟ ୬୦ରୁ ଊର୍ଦ୍ଧ୍ବ ଶ୍ରଦ୍ଧାଳୁ ଆହତ ହୋଇଛନ୍ତି । ଗତକାଲି (ରବିବାର) ରାତିରେ ଉତ୍ତର ପ୍ରଦେଶ ଭଦୋହୀ ଜିଲ୍ଲା ଅନ୍ତର୍ଗତ ଅରାଇ ପୋଲିସ ଷ୍ଟେସନ ନିକଟ ପୋଖରା ନିକଟରେ ଥିବା ଏକ ଦୁର୍ଗା ମଣ୍ଡପରେ ଏହି ଅଘଟଣ ଘଟିଛି । ମୃତକଙ୍କ ମଧ୍ୟରେ ୨ ଶିଶୁ ଓ ୩ ମହିଳା ଶ୍ରଦ୍ଧାଳୁ ରହିଛନ୍ତି । ପ୍ରାଥମିକ ତଦନ୍ତରୁ ଏହି ଅଗ୍ନିକାଣ୍ଡ ସର୍ଟ ସର୍କିଟ ଯୋଗୁଁ ହୋଇଥିବା ଅନୁମାନ କରାଯାଉଛି ।

ସ୍ଥାନୀୟ ଜିଲ୍ଲାଧିକାରୀ ଗୌରାଙ୍ଗ ରାଠୀ ସୂଚନା ଦେଇ କହିଛନ୍ତି, ‘‘ଅଘଟଣ ସମୟରେ ପୂଜା ମଣ୍ଡପରେ ପ୍ରାୟ ୧୫୦ ଲୋକ ଉପସ୍ଥିତ ଥିଲେ । ଅଗ୍ନିକାଣ୍ଡ ଯୋଗୁ ଦଳାଚକଟା ପରିସ୍ଥିତି ସୃଷ୍ଟି ହୋଇଥିଲା । ସେଠାରେ ଉପସ୍ଥିତ ପୋଲିସ ଓ ସ୍ଥାନୀୟ ଲୋକେ ଆହତଙ୍କୁ ତୁରନ୍ତ ଉଦ୍ଧାର କରି ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି । ସେମାନଙ୍କ ମଧ୍ୟରେ କିଛି ଗୁରୁତରଙ୍କୁ ବାରଣାସୀ ଟ୍ରୋମା ସେଣ୍ଟରକୁ ରେଫର କରାଯାଇଛି ।’’

ପ୍ରଥମେ ଦୁଇ ଶିଶୁଙ୍କ ସମେତ ମୋଟ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପରବର୍ତ୍ତୀ ସମୟରେ ମୃତ୍ୟୁ ସଂଖ୍ୟା ୫କୁ ବୃଦ୍ଧି ପାଇଛି । ଅଘଟଣ ସମ୍ପର୍କରେ ସୂଚନା ପାଇ, ବାରାଣାସୀ ଏଡିଜି, କମିଶନର ଯୋଗେଶ୍ୱର ରାମ ମିଶ୍ର, ଜିଲ୍ଲା ଅଧିକାରୀ, ପୋଲିସ ଅଧୀକ୍ଷକ ତଥା ଅନ୍ୟ ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ମୃତଦେହ ଗୁଡିକୁ ଜବତ କରାଯାଇ ବ୍ୟବଚ୍ଛେଦ ପାଇଁ ହସ୍ପିଟାଲକୁ ପଠାଯାଇଛି । ଅଘଟଣର କାରଣ ଖୋଜିବା ପାଇଁ ଜିଲ୍ଲା ପ୍ରଶାସନ ମଧ୍ୟ ତଦନ୍ତ ନିର୍ଦ୍ଦେଶ ଦେଇଛି । ଏକ ବୈଷୟିକ ଟିମ ଘଟଣାସ୍ଥଳରେ ପହଞ୍ଚି ତଥ୍ୟ ସଂଗ୍ରହ କରିବା ଜାରି ରଖିଥିବା ବେଳେ ଫଳାଫଳ ଆଧାରରେ କାରଣ ସ୍ପଷ୍ଟ ହେବା ନେଇ ଆଶା କରାଯାଉଛି । ତେବେ ପାର୍ବଣ ସମୟରେ ଏପରି ଅଘଟଣରେ ୫ ଶ୍ରଦ୍ଧାଳୁଙ୍କ ପ୍ରାଣହାନୀ ସାଙ୍ଗକୁ ଏକାଧିକ ଗୁରୁତର ହେବା ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking