କରୋନା କାଳରେ ବନ୍ଦ ହେବନି ଦୁର୍ଗା ପୂଜା

durga puja with corona precaution

ଭୁବନେଶ୍ୱର :ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ବଢିଚାଲିଛି । ଏହାରି ମଧ୍ୟରେ ପାଖେଇ ଆସୁଛି ପାର୍ବଣ ଋତୁ । ଭାରତରେ ପ୍ରତିବର୍ଷ ଦୁଇଥର ଦେବୀ ଦୁର୍ଗାଙ୍କର ପୂଜା ଅନୁଷ୍ଠିତ ହୁଏ । ଶରତ ଋତୁରେ ଆଶ୍ୱିନ ମାସ ଶୁକ୍ଳ ପକ୍ଷର ପୂଜାକୁ ‘ଦେବୀ ପୂଜା’ ଏବଂ ବସନ୍ତ ଋତୁରେ ଚୈତ୍ରମାସ ଶୁକ୍ଳ ପକ୍ଷର ପୂଜାକୁ ‘ବାସନ୍ତୀ ପୂଜା’ କୁହାଯାଏ । ଯେଉଁ ମା’ର ଶସ୍ୟ ଆହାର କରି ମାନବ ଜୀବିକା ନିର୍ବାହ କରେ, ସେହି ଧରିତ୍ରୀ ରାଣୀର ବୟଃପ୍ରାପ୍ତିରେ ଉତ୍ଫୁଲ୍ଲ ହୋଇ ଜନ-ମାନସ ବାସନ୍ତୀ ଦୁର୍ଗାଙ୍କ ପୂଜାର ଆୟୋଜନ କରେ, ମାତ୍ର ଏକ ସାର୍ବଜନୀନ ପୂଜା ରୂପେ ଶାରଦୀୟ ଦେବୀପୂଜା ହିଁ ଅଧିକ ଲୋକପ୍ରିୟତା ଅର୍ଜନ କରିଅଛି । ଏହି ଶାରଦୀୟ ପର୍ବ ଭାରତର ପୁରପଲ୍ଲୀରେ ଦଶହରା ପର୍ବରୂପେ ପାଳନ କରାଯାଏ । ଏହି ପର୍ବର ମୂଳ ଲକ୍ଷ୍ୟ ହେଉଛି ଦେବୀ ଉପାସନା । ଦୁର୍ଗାପୂଜା ପରି ଦଶହରା ପର୍ବ ମଧ୍ୟ ବର୍ଷକରେ ଦୁଇଥର ପାଳନ କରାଯାଏ । ଜ୍ୟେଷ୍ଠମାସ ଶୁକ୍ଳଦଶମୀ ହେଉଛି ଗଙ୍ଗାମାତାଙ୍କର ଜନ୍ମଦିବସ । ଏହିଦିନ ଗଙ୍ଗାପୂଜା କରି ଗଙ୍ଗାନଦୀରେ ସ୍ନାନ କଲେ ତ୍ରିବିଧ ପାପ ଖଣ୍ଡନ ହୁଏ ବୋଲି ଏହି ତିଥିକୁ ‘ଦଶହରା’ ବା ‘ଦଶବିଧ’ ପାପହରଣ ଦିବସ କୁହାଯାଏ । ଏହି ତିଥିଟି ଲୋକମୁଖରେ ‘ଗଙ୍ଗା ଦଶହରା’ ନାମରେ ପରିଚିତ । ଅନ୍ୟ ଦଶହରା ପର୍ବଟି ଆଶ୍ୱିନ ମାସ ଶୁକ୍ଳପକ୍ଷ ଦଶମୀ ତିଥିରେ ପାଳିତ ହୁଏ । ଏହି ଦୁର୍ଗାପୂଜାର ଶେଷ ଦିବସ । ଏହି ଦଶହରା ପର୍ବ ଭାରତରେ ସର୍ବଜନବିଦିତ ପର୍ବ । ତେଣୁ ‘ଦଶହରା’ କହିଲେ ସମସ୍ତେ ଆଶ୍ୱିନ ଶୁକ୍ଳ ଦଶମୀକୁ ହିଁ ବୁଝନ୍ତି । ଏହି ଦଶହରା ଦିବସରେ ରାମଚନ୍ଦ୍ର ମାତୃଶକ୍ତି ବନଦୁର୍ଗାଙ୍କୁ ସ୍ତୁତି କରି ରାବଣର ନିଧନ ଉଦ୍ଦେଶ୍ୟରେ ଲଙ୍କା ଅଭିମୁଖେ ବିଜୟଯାତ୍ରା କରିଥିବାରୁ ଏହି ତିଥିକୁ ‘ବିଜୟା ଦଶମୀ’ କୁହାଯାଏ ।
କରୋନା ମହାମାରୀ ପାଇଁ ସମସ୍ତ ଧାର୍ମିକ ସ୍ଥାନ ପାଖାପାଖି ୬ମାସ ହେବ ବନ୍ଦ ହୋଇ ରହିଛି । ଆଉ ସେଇଥିପାଇଁ ଚଳିତ ବର୍ଷ ଅନୁଷ୍ଠିତ ହେବାକୁ ଥିବା ସମସ୍ତ ଧାର୍ମିକ ପୂଜାକାର‌୍ୟ୍ୟ ଉପରେ ମୋଟାମୋଟି ଭାବେ ରୋକ୍ ଲଗାଯାଇଛି । ପୂର୍ବରୁ ମହାବିନାୟକଙ୍କ ପୂଜା ବି ଅନେକ ରାଜ୍ୟ ଓ ଜିଲ୍ଲା ମାନଙ୍କରେ ସ୍ଥଗିତ କରାଯାଇଥିଲା । ଆଡମ୍ବର ସହାକାରେ ପାଳନ ନ କରି କେବଳ ଅଳ୍ପ ଲୋକଙ୍କ ଭିତରେ ଗଣେଷ ପୂଜା କିଛିକାଂଶରେ ସମ୍ଭବ ହୋଇଥିଲା । ଆଉ ଗଣେଷ ପୂଜା ଭଳି ମହା ଆଡମ୍ବରରେ ପାଳନ କରାଯାଉଥିବା ଦୁର୍ଗାପୂଜା ବିଷୟରେ ବି ଖୁବ୍ ଆଲୋଚନା ହେଉଥିଲା । ଏବର୍ଷ ରାଜ୍ୟରେ ସମସ୍ତ ମୂର୍ତ୍ତି ୪ ଫୁଟ ଉଚ୍ଚର ହେବା ସହିତ ମେଲୋଡି, ଲାଇଟ ସଜ୍ଜା କିଛି ହେବନାହିଁ । ମେଲଣ କି ଦୋଳି କିଛି ପଡିବ ନାହିଁ କି ଡେକୋରେସନ ବି ହେବ ନାହିଁ । ମଣ୍ଡପରେ ୭ ରୁ ୧୦ ଲୋକ ରହିବେ । ସମସ୍ତେ ସାମାଜିକ ଦୂରତା ବଜାୟ ରଖିବା ସହିତ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ରହିଛି । ପ୍ରତିବର୍ଷ ଭଳି ଶ୍ରଦ୍ଧାଳୁ ବାହାରେ ବୁଲୁ ବୁଲି ମାଙ୍କ ଦର୍ଶନ କରିପାରିବେନି । ଦୁର୍ଗାପୂଜାରେ ପ୍ରତିବର୍ଷ ଯେପରି ମାହୋଲ ସୃଷ୍ଟି ହୁଏ ଚଳିତ ଥର ସେମିତି ହେବ ନାହିଁ । ଏହାକୁ ନେଇ ମଧ୍ୟ କୋଉଠି ନା କୋଉଠି ଭକ୍ତଙ୍କ ମନ ଫିକା ପଡିଯାଇଛି ।

LEAVE A REPLY

Please enter your comment!
Please enter your name here