ପ୍ରଥମ ଦିନରେ ନର୍ଥ ଜୋନ୍ ୩୦୬/୬
ବେଙ୍ଗାଲୁରୁ : ସ୍ଥାନୀୟ ଏମ୍ ଚିନ୍ନାସ୍ୱାମୀ ଷ୍ଟାଡିୟମ୍ରେ ବୁଧବାରଠାରୁ ନର୍ଥ ଜୋନ୍ ଓ ନର୍ଥ-ଇଷ୍ଟ୍ ଜୋନ୍ ମଧ୍ୟରେ ଦ୍ୱିତୀୟ କ୍ୱାର୍ଟର୍ ଫାଇନାଲ୍ ମ୍ୟାଚ୍ ଆରମ୍ଭ ହୋଇଛି । ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ନର୍ଥ ଜୋନ୍ ଧ୍ରୁବ ଶୋରେଙ୍କ ଶତକ (୧୩୫) ଏବଂ ନିଶାନ୍ତ ସିନ୍ଧୁ (୭୬) ଅପରାଜିତ ଅର୍ଦ୍ଧଶତକ ସହାୟତାରେ ପ୍ରଥମ ଦିନ ଷ୍ଟମ୍ପ୍ସ ବେଳକୁ ୬ ୱିକେଟ୍ ବିନିମୟରେ ୩୦୬ ରନ୍ କରି ଦୃଢ଼ ସ୍ଥିତିରେ ରହିଛି । ଦିଲ୍ଲୀ ଖେଳାଳି ଶୋରେ ନିଜର ଶତକୀୟ ଇନିଂସ୍ରେ ୨୧୧ ବଲ୍ର ସମ୍ମୁଖୀନ ହୋଇ ୨୨ଟି ବାଉଣ୍ଡାରୀ ଲଗାଇଥିଲେ ।
ଆଉଟ୍ ହେବା ପୂର୍ବରୁ ସେ ପ୍ରଥମ ୱିକେଟ୍ ପାଇଁ ପ୍ରଶାନ୍ତ ଚୋପ୍ରା (୩୨)ଙ୍କ ସହିତ ୮୦, ପ୍ରଭଶିମ୍ରନ୍ ସିଂହ (୩୧)ଙ୍କ ସହିତ ଦ୍ୱିତୀୟ ୱିକେଟ୍ରେ ୫୯ ଏବଂ ପ୍ରଶାନ୍ତ ଚୋପ୍ରା (୭୨³)ଙ୍କ ସହିତ ପଞ୍ଚମ ୱିକେଟ୍ ପାଇଁ ୮୦ ରନ୍ ଯୋଗ କରିଥିଲେ । ବାମହାତୀ ସ୍ପିନର୍ କିଶନ୍ ସିଂହ ତାଙ୍କୁ ଜୋନାଥନ୍ ଆର୍’ଙ୍କ ହାତରେ କ୍ୟାଚ୍ ଆଉଟ୍ କରାଇ ପ୍ୟାଭିଲିୟନ୍ ଫେରାଇଥିଲେ । ପ୍ରଥମ ୧୫ ଓଭର୍ରେ ନର୍ଥ ଜୋନ୍ ମାତ୍ର ୨୯ ରନ୍ କରିଥିବା ବେଳେ ଲଞ୍ଚ୍ ବେଳକୁ ୨ ୱିକେଟ୍ ବିନିମୟରେ ୧୧୫ ରନ୍ ସଂଗ୍ରହ କରିନେଇଥିଲା । ଲଞ୍ଚ୍ ପରେ ନର୍ଥ-ଇଷ୍ଟ୍ ଜୋନ୍ ପ୍ରଭସିମ୍ରନ୍ଙ୍କ ସମେତ ଦୁଇଟି ଗୁରୁତ୍ୱପୂର୍ଣ୍ଣ ୱିକେଟ୍ ନେବା ଫଳରେ ନର୍ଥ ଜୋନ୍ ସ୍କୋର୍ ୪୬ ଓଭର୍ ସୁଦ୍ଧା ୧୬୨/୪ରେ ପହଞ୍ଚିଥିଲା ।
ଏହାପରେ ନିଶାନ୍ତଙ୍କ ସହିତ ଶୋରେ ୨୨ ଓଭର୍ରେ ୮୦ ରନ୍ ଯୋଡ଼ି ନର୍ଥ ଜୋନ୍ର ଚାପ କିଛିଟା କମାଇ ଦେଇଥିଲେ । ତେବେ ତାଙ୍କ ଆଉଟ୍ ପରେ ଜୟନ୍ତ ଯାଦବ ମଧ୍ୟ ଖାତା ଖୋଲିବା ପୂର୍ବରୁ କିଶନ୍ ସିଂଘାଙ୍କ ଶିକାର ହୋଇଥିଲେ । କ୍ରିଜ୍କୁ ଆସିଥିବା ପୁଲକିତ ନାରଙ୍ଗ (୨୩³)ଙ୍କ ସହିତ ନିଶାନ୍ତ ସପ୍ତମ ୱିକେଟ୍ ୬୪ ରନ୍ ଯୋଗ କରିବା ସହିତ ନର୍ଥ ଜୋନ୍କୁ ଦୃଢ଼ ସ୍ଥିତିରେ ପହଞ୍ଚିଥିଲେ । ନିଶାନ୍ତ ୧୧୩ ବଲ୍ରୁ ୯ ଚୌକା ଓ ଦୁଇଟି ଛକା ସହାୟତାରେ ୭୬ ରନ୍ରେ ଅପରାଜିତ ଥିବା ବେଳେ ପୁଲକିତ ୬୬ ବଲ୍ରୁ ୩ ଚୌକା ସହାୟତାରେ ୨୩ ରନ୍ କରି ଷ୍ଟମ୍ପ୍ସ ବେଳକୁ ଖେଳୁଥିଲେ । ନର୍ଥ-ଇଷ୍ଟ୍ ଜୋନ୍ ପକ୍ଷରୁ ଫେଇରୋଇଜାମ ଜତିନ୍ ଓ ଏଲ୍. କିଶନ୍ ସିଂଘା ଦୁଇଟି ଲେଖାଏଁ ୱିକେଟ୍ ନେଇଥିବା ବେଳେ ଦିପୁ ସାଙ୍ଗ୍ମା ଓ ଇମ୍ଲିୱତି ଲେମ୍ତୁର୍ ଗୋଟିଏ ଲେଖାଏଁ ସଫଳତା ପାଇଛନ୍ତି ।