ପୂଜାରାଙ୍କ ଶତକ: ଦୃଢ଼ ସ୍ଥିତିରେ ୱେଷ୍ଟ୍ ଜୋନ୍
ବେଙ୍ଗାଲୁରୁ: ଚଳିତ ଦୁଲୀପ ଟ୍ରଫିର ସେମିଫାଇନାଲ୍ ପର୍ଯ୍ୟାୟରେ ଣୁକ୍ରବାର ୱେଷ୍ଟ୍ ଜୋନ୍ ଚେତେଶ୍ୱର ପୂଜାରାଙ୍କ ଶତକୀୟ ଇନିଂସ ଆଧାରରେ ତୃତୀୟ ଦିନର ଖେଳ ଶେଷ ସୁଦ୍ଧା ମୋଟ ୩୮୪ ରନ୍ରେ ଆଗୁଆ ରହି ବେଶ୍ ଦୃଢ଼ ସ୍ଥିତିରେ ପହଞ୍ଚିଯାଇଛି । ସେଣ୍ଟ୍ରାଲ୍ ଜୋନ୍ ବିପକ୍ଷ ପ୍ରଥମ ସେମିରେ ଦଳ ତା’ର ଦ୍ୱିତୀୟ ଇନିଂସରେ ଶୁକ୍ରବାର ଷ୍ଟମ୍ପ୍ସ ଅପସାରଣ ବେଳକୁ ୯ଟି ୱିକେଟ୍ ହରାଇ ୨୯୨ ରନ୍ କରିଛି । ଅନ୍ୟପକ୍ଷରେ ସାଉଥ୍ ଜୋନ୍ ଦ୍ୱିତୀୟ ସେମିରେ ତୃତୀୟ ଦିନର ଖେଳ ଶେଷ ସୁଦ୍ଧା ୧୯୪ ରନ୍ରେ ଆଗୁଆ ରହିଛି ।
ପ୍ରଥମ ସେମିରେ ଗୁରୁବାର ଖେଳ ଶେଷ ବେଳକୁ ୱେଷ୍ଟ୍ ଜୋନ୍ ୩ଟି ୱିକେଟ୍ ହରାଇ ୧୪୯ ରନ୍ କରିଥିଲା । ଏହିଠାରୁ ଶୁକ୍ରବାର ସକାଳେ ଦଳର ଦୁଇ ଅପରାଜିତ ବ୍ୟାଟ୍ସମ୍ୟାନ୍ ପୂଜାରା (୫୦) ଓ ସର୍ଫରାଜ୍ ଖାନ୍ (୬) ଖେଳ ଆରମ୍ଭ କରିଥିଲେ । ତେବେ ପୂର୍ବ ଦିନର ନିଜର ବ୍ୟକ୍ତିଗତ ସ୍କୋର୍ରେ କିଛି ବି ଯୋଡ଼ିବା ପୂର୍ବରୁ ସର୍ଫରାଜ୍ ଆଉଟ୍ ହୋଇଥିଲେ । କିନ୍ତୁ ପୂଜାରା ତାଙ୍କ ବ୍ୟାଟିଂ ଜାରି ରଖି ପ୍ରଥମ ଶ୍ରେଣୀ କ୍ରିକେଟ୍ରେ ତାଙ୍କର ୬୦ତମ ଶତକ ପୂରଣ କରି ଏ କ୍ଷେତ୍ରରେ ବିଜୟ ହଜାରେଙ୍କ ସମକକ୍ଷ ହୋଇଥିଲେ । ଅନ୍ୟ ପଟରୁ ୱିକେଟ୍ମାନ ପଡ଼ିଚାଲିଥିଲେ ମଧ୍ୟ ସେ ଧୈର୍ଯ୍ୟ ସହକାରେ ବ୍ୟାଟିଂ କରିଥିଲେ । ସେ ୨୭୮ ବଲ୍ ଖେଳି ୧୪ଟି ଚୌକା ଓ ଗୋଟିଏ ଛକା ଜରିଆରେ ୧୩୩ ରନ୍ କରିଥିଲେ । ତାଙ୍କ ବ୍ୟତୀତ ହେତ୍ ପଟେଲ୍ ୩ଟି ଚୌକା ସହ ୨୭ ରନ୍ର ଯୋଗଦାନ ଦେଇଥିଲେ । ଦିନର ଶେଷ ବଲ୍ରେ ପୂଜାରା ଆଉଟ୍ ହେବା ବେଳକୁ ଅନ୍ୟ ପଟରେ ଅର୍ଜନ୍ ନଗସୱାଲା ୧ ରନ୍ରେ ଅପରାଜିତ ଥିଲେ । ସେଣ୍ଟ୍ରାଲ୍ ଜୋନ୍ ପକ୍ଷରୁ ସୌରଭ କୁମାର ୪ଟି, ସାରାଂଶ ଜୈନ୍ ୩ଟି ଓ ୟଶ୍ ଠାକୁର ଗୋଟିଏ ୱିକେଟ୍ ନେଇଛନ୍ତି ।
ଦ୍ୱିତୀୟ ସେମିରେ ପ୍ରଥମ ଇନିଂସ ଭିତ୍ତିରେ ୩ ରନ୍ରେ ଆଗୁଆ ରହିଥିବା ନର୍ଥ ଜୋନ୍ ଶୁକ୍ରବାର ସକାଳେ ପୂର୍ବ ଦିନର ସ୍କୋର୍ ୫୧/୨ରୁ ଖେଳ ଆରମ୍ଭ କରିଥିଲା । ଅଙ୍କିତ କାଲ୍ସୀ (୨୧) ଓ ପ୍ରଭସିମରନ୍ ସିଂହ (୬) ମାତ୍ର ୧୭ ରନ୍ ଯୋଡ଼ିବା ପରେ କାଲ୍ସୀ ୬ଟି ଚୌକା ଜରିଆରେ ୨୯ ରନ୍ କରି ଆଉଟ୍ ହୋଇଥିଲେ । କିନ୍ତୁ ପ୍ରଭସିମରନ୍ ୧୧ଟି ଚୌକା ସହ ୬୩ ରନ୍ କରିଥିଲେ । ଏଥିସହ ସେ ଅଙ୍କିତ କୁମାରଙ୍କ ସାଥୀରେ ଚତୁର୍ଥ ୱିକେଟ୍ରେ ୮୫ ରନ୍ର ଭାଗୀଦାରୀ ମଧ୍ୟ କରିଥିଲେ । ଅଙ୍କିତ ୩ଟି ଚୌକା ସହ ୨୬ ରନ୍ କରିଥିବା ବେଳେ ଶେଷ ଭାଗରେ ହର୍ଷିତ ରାଣା ୪ଟି ଚୌକା ସହ ୩୮ ରନ୍ର ଯୋଗଦାନ ଦେଇଥିଲେ । ଦଳ ୫୬.୪ ଓଭର୍ରେ ୨୧୧ ରନ୍ କରି ଅଲ୍ଆଉଟ୍ ହେବା ଫଳରେ ମୋଟ ୨୧୪ ରନ୍ରେ ଆଗୁଆ ରହିଥିଲା । ସାଉଥ୍ ଜୋନ୍ ପକ୍ଷରୁ ବିଜୟ କୁମାର ବିଶକ୍ ୫ ୱିକେଟ୍ର ସଫଳତା ପାଇଥିବା ବେଳେ ସାଇ କିଶୋର ୩ଟି ଓ ବିଦ୍ୱତ କାଭେରପ୍ପା ୨ଟି ୱିକେଟ୍ ନେଇଥିଲେ । ଦିନର ଅନ୍ତିମ ଭାଗରେ ନିଜର ଦ୍ୱିତୀୟ ଇନିଂସ ଆରମ୍ଭ କରି ସାଉଥ୍ ଜୋନ୍ ୬.୩ ଓଭର୍ରେ ବିନା କୌଣସି କ୍ଷତିରେ ୨୧ ରନ୍ କରିଛି । ଦୁଇ ଓପନର ସାଇ ସୁଦର୍ଶନ ୫ ଓ ମୟଙ୍କ ଅଗରୱାଲ୍ ୧୫ ରନ୍ରେ ଅପରାଜିତ ଅଛନ୍ତି ।