28.1 C
Bhubaneswar
Friday, March 29, 2024
Homeଓଡିଶାଲଗାଣ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ

ଲଗାଣ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ

ଭୁବନେଶ୍ୱର: ଲଘୁଚାପ ବର୍ଷା ଛାଡ଼ିବାର ନାଁ ନେଉନି । ଦକ୍ଷିଣରୁ ପଶ୍ଚିମ ଓଡ଼ିଶା ସବୁଠି ବର୍ଷା ଲାଗି ରହିଛି । ଲଗାଣ ବର୍ଷା ଯୋଗୁଁ କେଉଁଠି ନଦୀ କୂଳ ଲଂଘି ଗାଁରେ ପଶିଲାଣି ତ କେଉଁଠି ବର୍ଷାରେ ପୋଲ ଭାସିଲାଣି । ସେମିତି କିଛି ସ୍ଥାନରେ ଭୁସ୍ଖଳନ ମଧ୍ୟ ହୋଇଛି । ଲଗାଣ ବର୍ଷା ସାଙ୍ଗକୁ ଜଳବନ୍ଦୀ ସ୍ଥିତିରେ ଜନଜୀବନ ଅସ୍ତବ୍ୟସ୍ତ ହେଉଥିବାବେଳେ ଆସନ୍ତା ୧୩ରୁ ପୁଣି ଏକ ବଡ଼ ଲଘୁଚାପ ଆସୁଥିବା ପାଣିପାଗ ବିଭାଗ ସୂଚନା ଦେଇଛି । ୪ଦିନ ହେଲା ବର୍ଷା ଅହରହ ଲାଗି ରହିଛି । ଫଳରେ ରାୟଗଡ଼ାରେ ବଂଶଧାରା ଫୁଲୁଛି, ଗଜପତିରେ ହରଭଙ୍ଗି ନଦୀ ଗାଁ ବିଛିନ୍ନ କରିଛି। ନୂଆପଡ଼ାରେ ପୋଲ ଭୁଶୁଡ଼ି ଥିବା ବେଳେ ବାଲେଶ୍ୱର ଧୋବାଗଣ୍ଡି ନଈ ଉପରେ ପୋଲ ଧସି ପଡିଛି । ଲଘୁଚାପ ଜନିତ ଲଗାଣ ବର୍ଷା ଫଳରେ ଦକ୍ଷିଣ ଓଡ଼ିଶାର ଅଧିକାଂଶ ନଦୀ ଫୁଲିଛି ଓ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି ।

ଗୁଣପୁରରେ ବଂଶଧାରା ନଦୀରେ ବନ୍ୟା ପାଣି ଆସି ଫୁଲିଛି ନଦୀ । ସତର୍କ ସଂକେତ ୮୩ ମିଟର ଥିବା ବେଳେ ଆଜି ୮୨ ମିଟର ଉପରେ ପ୍ରବାହିତ ହେଉଛି । ତଳିଆ ଅଞ୍ଚଳର ଲୋକଙ୍କୁ ସତର୍କ ରହିବାକୁ ପ୍ରଶାସନ ସୂଚାଇ ଦେଇଛି । ସେମିତି ଗଜପତି ଜିଲ୍ଲା ମୋହନାରେ ହରଭଙ୍ଗି ନଦୀରେ ପାଣି କମୁନଥିବାରୁ ୪ଟି ଗାଁ ବାଢ଼େଇପୁର, ଧନୁପଙ୍କ, ନୂଆସାହି ଓ ଗୁଣ୍ଡିଗୁଡ଼ା ବାହ୍ୟ ଜଗତରୁ ବିଛିନ୍ନ ହୋଇ ରହିଛି । ଜରୁରୀ କାମ ପାଇଁ ଲୋକମାନେ ଜୀବନକୁ ବାଜି ଲଗାଇ ନଈ ପାର ହେଉଛନ୍ତି । ଅପରପକ୍ଷରେ ହରଭଙ୍ଗୀ ଡ୍ୟାମ୍‌ରୁ ପାଣି ଛଡ଼ାଯିବା ନିଷ୍ପତ୍ତିକୁ ନେଇ ସ୍ଥାନୀୟ ଲୋକେ ଭୟରେ ରହିଛନ୍ତି । ଢେଙ୍କାନାଳ ନିମବାହାଳୀଠାରେ ୫୫ ନମ୍ବର ଜାତୀୟ ରାଜପଥ ଉପରେ ୨ଫୁଟ ଉଚ୍ଚର ବର୍ଷା ପାଣି ଚାଲୁଛି । ବର୍ଷା ଜଳ ନିଷ୍କାସନ ହୋଇପାରୁନଥିବାରୁ ଅକଥନୀୟ ଯନ୍ତ୍ରଣା ଭୋଗୁଛନ୍ତି ଭଦ୍ରକ ସହର ୫ନମ୍ବର ୱାର୍ଡର ବାସିନ୍ଦା । ଲଘୁଚାପ ବର୍ଷାରେ ନଈ ନାଳ ଉଛୁଳୁଥିବା ବେଳେ, ବହୁ ସ୍ଥାନରେ ପାହାଡ଼ ଧସିବାର ଚିତ୍ର ମଧ୍ୟ ସାମ୍ନାକୁ ଆସିଲାଣି । ସମ୍ବଲପୁର-ବରଗଡ଼ ଦେଇ ଯାଇଥିବା ୫୩ ନମ୍ବର ଜାତୀୟ ରାଜପଥର ଲକ୍ଷ୍ମୀଡୁଙ୍ଗୁରୀ ପାହାଡ଼ରୁ ପଥର ଧସିଛି । ରାସ୍ତା ଉପରେ ବଡ଼ ବଡ଼ ପଥର ଖଣ୍ଡ ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି ।

କୌଣସି ସମୟରେ ଆହୁରି ଭୂସ୍ଖଳନ ହେବାର ଆଶଙ୍କା ମଧ୍ୟ ରହିଛି । ଫୁଲବାଣୀ ଖଜୁରୀପଡ଼ା ନିକଟ ଗାଡ଼ିଆପଡ଼ା ଘାଟିରେ ବି ମାଟି ଓ ପଥର ଧସିଛି । ମାଟି ସାଙ୍ଗକୁ ଗଛ ବି ଉପୁଡ଼ି ରାସ୍ତା ଉପରେ ପଡ଼ିଥିବାର ଦେଖିବାକୁ ମିଳିଛି । ସେମିତି ପ୍ରବଳ ବର୍ଷା ପରେ ଭଦ୍ରକ ଇଞ୍ଚୁଡିର ଆପ୍ରୋଚ ରୋଡ ଧସି ଯାଇଥିବାବେଳେ ନୀଳଗିରି-କପ୍ତିପଦା ରାସ୍ତାର ଟାଙ୍ଗଣାବନ୍ଧ ପୋଲର ଅତଡ଼ା ଧସି ବିପଦପୂର୍ଣ୍ଣ ସ୍ଥିତିକୁ ଆସିଯାଇଛି । ତେବେ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଲଗାଣ ବର୍ଷାରେ ହୋଇଥିବା କ୍ଷୟକ୍ଷତିର ଚୂଡାନ୍ତ ରିପୋର୍ଟ ପ୍ରସ୍ତୁତ କରାଯାଇ ନାହିଁ । ବର୍ଷା କମିବା ପରେ ଜିଲ୍ଲାୱାରୀ ରିପୋର୍ଟକୁ ଯାଞ୍ଚ କରି କ୍ଷୟକ୍ଷତି ତଥ୍ୟ ସ୍ପଷ୍ଟ ହେବ ବୋଲି ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking