ଚୂଆ ପାଣିରେ ମେଣ୍ଟୁଛି ଶୋଷ

ଭବାନୀପାଟଣା : ସରକାର ପାନୀୟ ଜଳ ଯୋଗାଣ କରି ଲୋକଙ୍କ ନିକଟରେ ପହଞ୍ଚାଇବା କଥା କହୁଛନ୍ତି । ହେଲେ କଳାହାଣ୍ଡି ଜିଲ୍ଲାର ମୁଖ୍ୟ ଭବାନୀପାଟଣା ବ୍ଲକ୍‌ରେ ଏବେ ପାନୀୟ ଜଳ ସମସ୍ୟା ଦେଖାଦେଇଛି । ଏପଟେ ସାରା ବିଶ୍ୱରେ କରୋନା ମହାମାରି ଦିନକୁଦିନ ତାର କାୟା ବିସ୍ତାର କରିଚାଲିଥିବା ବେଳେ ପାନୀୟ ଜଳ ସମସ୍ୟା ଆହୁରି କଷ୍ଟ ବଢେଇଦେଇଛି । କଳାହାଣ୍ଡି ଜିଲ୍ଲାରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ବୃଦ୍ଧି ପାଇଥିବା ବେଳେ ସହରାଞ୍ଚଳ ଓ ଗ୍ରାମାଞ୍ଚଳ ରେ ଜଳ ସମସ୍ୟା ଉତ୍କଟ ରୂପ ଧାରଣ କରିଛି । ଜିଲ୍ଲାରେ ଗତ କିଛିଦିନ ହେଲା ପ୍ରବଳ ଗରମ ସହ ଗୁଳୁଗୁଳି ହେଇଛି । ଦିନକୁ ଦିନ ପ୍ରଚଣ୍ଡ ଗ୍ରୀଷ୍ମ ତାତି ବୃଦ୍ଧି ପାଉଥିବା ବେଳେ ଗ୍ରାମାଞ୍ଚଳ ଠାରୁ ସହରରେ ଜଳକଷ୍ଟ ସଙ୍ଗିନ ରୂପ ଧାରଣ କରିଛି । ଭବାନୀପାଟଣା ସଦର ବ୍ଲକ ର ମାଦିଗୁଡା ପଞ୍ଚାୟତରେ ପିଇବା ପାଣିର ସମସ୍ୟା ଲାଗି ରହିଛି ଫଳରେ ନିକଟରେ ଯାଇଥିବା ତେଲ ନଦୀରୁ ପାଣି ଆଣି ବ୍ୟବହାର କରୁଛନ୍ତି ।

ଭବାନୀପାଟଣା ବ୍ଲକ ମାଦିଗୁଡା ପଞ୍ଚାୟତ ରେ ପିଇବା ପାଣି ପାଇଁ ନାହିଁନଥିବା ଅସୁବିଧା ଭୋଗୁଛନ୍ତି ପଞ୍ଚାୟତବାସୀ । ଗ୍ରାମରେ ୧୦ ରୁ ଊର୍ଦ୍ଧ୍ୱ ନଳକୂପ ଅଛି ହେଲେ ଅର୍ଦ୍ଧାଧିକ ଅଚଳ ହୋଇ ପଡିଛି । କେଉଁ ନଳକୂପରୁ ପାଣି ବାହାରୁଛି ତ ଆଉ କେଉଁ ନଳକୁପ ପାଣି ଆସୁନାହିଁ । ଗ୍ରାମରେ ଥିବା ଷ୍ଟାଣ୍ଡ ପୋଷ୍ଟ ନାମକୁ ମାତ୍ର ଦୀର୍ଘଦିନ ହେବ ଖରାପ ହୋଇ ପଡିଛି ଶେଷରେ ବାଧ୍ୟ ହୋଇ ଗ୍ରାମବାସୀ ତେଲନଦୀକୁ ନିଜର ଆଶା ଭରସା ଭାବି ନେଇଛନ୍ତି । ପ୍ରବଳ ଖରାର ତତଲା ବାଲିରେ ୪ କିଲୋମିଟର ଚାଲି ଚାଲି ଯାଇ ତେଲନଦୀରେ ବାଲି ଚୁଆଁ କରି ପାଣି ସଂଗ୍ରହ କରି ବ୍ୟବହାର କରୁଛନ୍ତି । ବର୍ଷ ବର୍ଷ ଧରି ଏହି ଅଞ୍ଚଳରେ ପାନୀୟଜଳ ର ସମସ୍ୟା ଲାଗି ରହିଛି ଏଥିପ୍ରତି ରାଜ୍ୟ ସରକାର ମଧ୍ୟ ଧ୍ୟାନ ଦେଉନାହାନ୍ତି । ନିର୍ବାଚନ ଆସିଲେ ରାଜ୍ୟ ସରକାର ସମସ୍ତ ପ୍ରକାର ସୁବିଧା କରିଦେବା କଥା କହିଥାନ୍ତି କିନ୍ତୁ ନିର୍ବାଚନ ସରିଗଲେ ସରକାର ଭୁଲିଯାଆନ୍ତି । ଗାଁରେ ଥିବା ନଳକୂପରୁ କିଛି ନଳକୂପରୁ ପାଣି ଆସୁନାହି ଓ ଆଉ କିଛି ଅଚଳ ହୋଇ ପଡିରହିଛି ଯାହାକୁ ନେଇ ଅଞ୍ଚଳବାସୀ ଅସନ୍ତୁଷ୍ଟ ଅଛନ୍ତି । ସରକାର ମାଦିଗୁଡା ପ୍ରତି କେବେ ଦୃଷ୍ଟି ତେବେ ତାହା ଚାତକ ଭଳି ଅନେଇ ବସିଛନ୍ତି ଗ୍ରାମବାସୀ । ତେବେ ଗୋଟେ ପଟେ କରୋନାର ଭୟ ଓ ଅନ୍ୟ ପଟେ ଜଳକଷ୍ଟ ଗ୍ରାମାଞ୍ଚଳରୁ ସହରାଞ୍ଚଳ ଆହୁରି ବଳି ପଡିଛି । ରାଜ୍ୟସରକାର ତୁରନ୍ତ ଏ ନେଇ ଠୋସ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହୋଇଛି ।

LEAVE A REPLY

Please enter your comment!
Please enter your name here