ଚୂଆ ପାଣି ଭରସାରେ ତେଲକୋଇ ସାହି ବାସିନ୍ଦା

କେନ୍ଦୁଝର : କେନ୍ଦୁଝର ଭଳି ପଛୁଆ ଜିଲ୍ଲାମାନଙ୍କରେ ପାନୀୟଜଳ ସମସ୍ୟାର ସମାଧାନ ନିମନ୍ତେ କେନ୍ଦ୍ର ତଥା ରାଜ୍ୟ ସରକାର କୋଟି କୋଟି ଟଙ୍କା ଅନୁଦାନ ଦେଉଛନ୍ତି । ଏଥିପାଇଁ ବିଭିନ୍ନ କର୍ପୋରେଟ ସଂସ୍ଥା ମଧ୍ୟ ଅନେକ ଅର୍ଥ ଖର୍ଚ୍ଚ କରୁଛନ୍ତି । କିନ୍ତୁ ଜିଲ୍ଲାର ଅଭ୍ୟନ୍ତରୀଣ ଅଞ୍ଚଳରେ ଏବେ ମଧ୍ୟ ପାନୀୟଜଳ ସମାସ୍ୟାର ସମାଧାନ ହୋଇପାରି ନାହିଁ । ଏହାର ଏକ ନମୁନା ଦେଖିବାକୁ ମିଳଛି ତେଲକୋଇ ବ୍ଲକ ଶିବନାରାୟଣପୁରଗୋଡା ପଞ୍ଚାୟତ କାଦୁଡିହା ଗାଁ ଜୁଆଙ୍ଗସାହିରେ । ଏହି ସାହିରେ ପାନୀୟଜଳ ସମାସ୍ୟା ଜଟିଳ ହୋଇଛି । ଫଳରେ ଲୋକେ ଚୂଆ ପାଣି ଉପରେ ନିର୍ଭରଶୀଳ ବୋଲି ଲୋକେ ପ୍ରକାଶ କରିଛନ୍ତି । କାଦୁଡିହା ଜୁଆଙ୍ଗ ସାହିରେ ପ୍ରାୟ ୨୫ଟି ପରିବାରର ଶହେରୁ ଅଧିକ ଲୋକ ବସବାସ କରନ୍ତି । ଏଠାରେ ରହୁଥିବା ସମସ୍ତ ଲୋକ ଜୁଆଙ୍ଗ ଜନଜାତି ବର୍ଗର । ଜୁଆଙ୍ଗ ଜନଜାତିଙ୍କର ଉନ୍ନତି ପାଇଁ ଜୁଆଙ୍ଗ ଉନ୍ନୟନ ସଂସ୍ଥା(ଜେଡିଏ)ନାମରେ ଏକ ସଂସ୍ଥା କେନ୍ଦୁଝର ଜିଲ୍ଲାରେ ଅନେକ ଦିନ ହେଲା କାମ କରୁଛି । କିନ୍ତୁ କାଦୁଡିହା ଜୁଆଙ୍ଗ ସାହି ଲୋକମାନଙ୍କର ପାନୀୟଜଳ ସମସ୍ୟା ସମାଧାନ ହୋଇପାରିନି । ଏଠାରେ ଏକ ନଳକୂପ ଅଛି ସତ, କିନ୍ତୁ ନଳକୂଅର ପାଣି ପାନୀୟ ଯୋଗ୍ୟ ନୁହେଁ ବୋଲି ଏଠାକାର ବାସିନ୍ଦାମାନେ କୁହନ୍ତି । ଏ ବାବଦରେ ଅନେକଥର ସ୍ଥାନୀୟ ଲୋକ ପ୍ରତିନିଧି, ବ୍ଲକ ପ୍ରଶାସନ, ଜୁଆଙ୍ଗ ଉନ୍ନୟନ ସଂସ୍ଥା, ଗ୍ରାମାଞ୍ଚଳ ଜଳ ଯୋଗାଣ ବିଭାଗ ଏପରିକି ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ କିଛି ଫଳ ମିଳିନାହିଁ । ତେଣୁ କିଛି ବିକଳ୍ପ ନପାଇ ବାଧ୍ୟହୋଇ ସାହିର ଅନତି ଦୂରରେ ବହି ଯାଇଥିବା ଝରଣାର ଚୂଆରୁ ପାନୀୟ ଜଳ ସଂଗ୍ରହ କରି ଲୋକମାନେ ବ୍ୟବହାର କରୁଛନ୍ତି । ଚୂଆ ପାଣି ବ୍ୟବହାର କରି ସାହିର ଅନେକ ଲୋକ ବିଭିନ୍ନ ପ୍ରକାର ଚର୍ମ ରୋଗ, ପେଟ ରୋଗ, ଜଣ୍ଡିସ୍ ଭଳି ରୋଗରେ ପଡୁଥିବା ସେଠାକାର ଲୋକ ଅଭିଯୋଗ କରୁଛନ୍ତି । ଅବଶ୍ୟ କେନ୍ଦୁଝର ଜିଲ୍ଲାର ପ୍ରତ୍ୟେକ ଘରକୁ ୨୦୨୨ ଶେଷ ସୁଦ୍ଧା ପାନୀୟଜଳ ଯୋଗାଣ ପାଇଁ ଜିଲ୍ଲା ଖଣିଜ ପାଣ୍ଠି ଅନୁଦାନରେ ଅନେକ ଗୁଡିଏ ପ୍ରକଳ୍ପ କାମ ଚାଲିଛି । ସେ ପର୍ଯ୍ୟନ୍ତ ତେଲକୋଇ କାଦୁଡିହା ଜୁଆଙ୍ଗ ସାହି ଲୋକେ କିପରି ଶୁଦ୍ଧ ପାନୀୟ ଜଳ ପାଇପାରିବେ ସେ ବାବଦରେ ଆବଶ୍ୟକ ପଦକ୍ଷେପ ନେବାକୁ ସାହି ବାସିନ୍ଦା ଦାବି ଜଣାଇଛନ୍ତି ।