40.1 C
Bhubaneswar
Thursday, April 25, 2024
Homeଓଡିଶାଜଳକଷ୍ଟ ଭୋଗୁଛନ୍ତି ନବରଙ୍ଗପୁରବାସୀ,ପଇସା ଦେଇ ପିଉଛନ୍ତି ନର୍ଦ୍ଦମାପାଣି

ଜଳକଷ୍ଟ ଭୋଗୁଛନ୍ତି ନବରଙ୍ଗପୁରବାସୀ,ପଇସା ଦେଇ ପିଉଛନ୍ତି ନର୍ଦ୍ଦମାପାଣି

ନବରଙ୍ଗପୁର : ବର୍ଷ ବର୍ଷ ଧରି ଜଳଯନ୍ତ୍ରଣାରେ ଛଟପଟ ହୋଇ ଜଳକଷ୍ଟ ଭୋଗୁଛନ୍ତି ନବରଙ୍ଗପୁର ସହରବାସୀ । ପଇସା ଦେଇ ମଧ୍ୟ ପିଉଛନ୍ତି ଅପରିଷ୍କାର ନାଳନର୍ଦ୍ଦମା ପାଣି । ସହରର ୧୫ ନଂ ୱାର୍ଡର ତୋଟାସାହି ହନୁମାନ ମନ୍ଦିରଠାରୁ ଭେଟରିନାରୀ ଅଫିସପାଚେରି ପର୍ଯ୍ୟନ୍ତ ବାସ କରୁଛନ୍ତି ୨୫ଟି ଘର । ମୁଖ୍ୟ ପାଇପ୍ ସଂଯୋଗ ଠାରୁ ୨୫୦ମିଟର ପର୍ଯ୍ୟନ୍ତ ନିଜେ ନିଜେ ପାଇପ୍ ସଂଯୋଗ ନେଇ ପାଣି ନେଉଛନ୍ତି । ଖୋଲା ମେଲାରେ ଡ୍ରେନ୍ ମଧ୍ୟ ଦେଇ ସରୁ ସରୁ ପାଇପ୍ ଯୋଗେ ନିଜ ନିଜ ଘରକୁ ପାଣି କନେକ୍ସନ୍ ନେଇଛନ୍ତି । ଅଧିକାଂଶ ସମୟରେ ପାଇପ୍ ଫାଟିଯାଇ ନାଳନର୍ଦ୍ଦମା ପାଣି ସହ ମିଶିଯାଉଛି । ସେହି ପାଣିକୁ ବ୍ୟବହାର କରୁଛନ୍ତି ଲୋକେ । ବାରମ୍ବାର ଅଭିଯୋଗ କଲାପରେ ବି କୌଣସି ସୁଫଳ ମିଳୁନଥିବା ଅଭିଯୋଗ କରିଛନ୍ତି ନଳିନୀପ୍ରଭା ସାହୁ, ସଂଘମିତ୍ର ଚୌଧୁରୀ, ଅମୀୟ ସାହୁ ପ୍ରମୁଖ ଗ୍ରାମବାସୀ । ନାଳ ସଫା ହେଉନଥିବାରୁ ନାଳପୂର୍ଣ୍ଣ ହୋଇ ରାସ୍ତାରେ ନର୍ଦ୍ଦମା ପାଣି ଲହଡ଼ି ଭାଙ୍ଗୁଛି ବୋଲି ବରିଷ୍ଠ ନାଗରିକ ବିଜୟ ଚୌଧୁରୀ ଦୁଃଖର ସହ କହିଛନ୍ତି । ପରିବେଶ ଅପରିଷ୍କାର ରହୁଥିବାରୁ ହଇଜା, କିଡନୀ ରୋଗ ଆଦି ଉପୁଜିବା ଆଶଙ୍କା ଦେଖାଦେଇଛି ।
ଟାଇଫଏଡରେ ମଧ୍ୟ ଲୋକେ ଆକ୍ରାନ୍ତ ହେଉଥିବା ଅଭିଯୋଗ କରିଛନ୍ତି । ଜନସ୍ୱାସ୍ଥ୍ୟ ଅନୁଖଣ୍ଡ ଲୋକଙ୍କ ସେବା ପାଇଁ ରହିଥିବାବେଳେ ସହରବାସୀ ତାର ସୁଫଳ ପାଇପାରୁନାହାନ୍ତି । ସେହିପରି ୫ନଂ ୱାର୍ଡରେ ମଧ୍ୟ ନିୟମିତ ଭାବେ ପାଣି ଆସୁନି । ଯେେଉଁ କମ୍ ସମୟ ପାଇଁ ପାଣି ଆସୁଛି ତାହା ପୁଣି ଧୀରେ ଧୀରେ । ବରିଷ୍ଠ ଆଇନଜୀବ ତଥା ପୂର୍ବତନ ସଂଘ ସମ୍ପାଦକ ରାମପ୍ରସାଦ ପାତ୍ର କହିବା ସହ ପ୍ରତିଦିନ ସକାଳେ ଓ ସନ୍ଧ୍ୟାରେ ଏକଘଣ୍ଟା ଲେଖା ପାଣି ଯୋଗାଇଦେବାକୁ ଦାବି କରିଛନ୍ତି । ସେହିପରି ୧୧ନଂ ୱାର୍ଡ ଶଙ୍ଖାରୀ ସାହିରେ ଥିବା ପାଣି ପାଇପ୍ ଫାଟିଯିବାରୁ ଡ୍ରେନ୍ ପାଣି ସେଥିରେ ମିଶୁଥିବା ଅଭିଯୋଗ କଲେ ମଧ୍ୟ କେହି କର୍ଣ୍ଣପାତ କରୁନାହାନ୍ତି । ବହୁବର୍ଷର ପାଣିପାଇପ୍ ବଦଳା ଯାଉନଥିବାରୁ ମଙ୍ଗଳମ୍ ଟିମ୍ବର ସମ୍ମୁଖରେ ପାଇପ୍ ଫାଟି ପାଣି ଏକ କୃତ୍ରିମ ପୋଖରୀର ଭ୍ରମ ସୃଷ୍ଟି ହୋଇଛି । ପିଲାମାନେ ସେଠାରେ ଗାଧୋଇବା ସହ ଗାଡ଼ି ମୋଟର ଇତ୍ୟାଦି ସର୍ଭିସ୍ ଓ ଶୌଚହେବା ଆଦି କରୁଥିବାର ଦେଖିବାକୁ ମିଳୁଛି । ଯଦି ବର୍ତ୍ତମାନଠାରୁ ଏହା ଚାଲୁରହେ, ତେବେ ଭବିଷ୍ୟତରେ ବଡ଼ ବଡ଼ ସମସ୍ୟା ଦେଖାଦେବ ବୋଲି ଆଶଙ୍କା ପାଇବା ସହ ଏଥିରେ ସୁଧାର ଆଣିବାକୁ ସହରବାସୀ ଦାବି କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking