32.1 C
Bhubaneswar
Thursday, March 28, 2024
Homeଓଡିଶାକାଡାଭରିକ ଟ୍ରାନ୍ସପ୍ଲାଣ୍ଟ କ୍ଷେତ୍ରରେ ଆଉ ଏକ ନୂଆ ଅଧ୍ୟାୟ ସୃଷ୍ଟି କଲେ ଡାକ୍ତର ହୋତା ଓ...

କାଡାଭରିକ ଟ୍ରାନ୍ସପ୍ଲାଣ୍ଟ କ୍ଷେତ୍ରରେ ଆଉ ଏକ ନୂଆ ଅଧ୍ୟାୟ ସୃଷ୍ଟି କଲେ ଡାକ୍ତର ହୋତା ଓ ତାଙ୍କ ଟିମ୍‌

ଭୁବନେଶ୍ୱର: ଗୋଟିଏ ପରେ ଗୋଟିଏ ଅସମ୍ଭବ କାର୍ଯ୍ୟକୁ ସମ୍ଭବ କରି ଚାଲିଛନ୍ତି କଟକ ଏସସିବି ମେଡିକାଲ କଲେଜର ଅଭିଜ୍ଞ ଡାକ୍ତରୀ ଟିମ । ୟୁରୋଲୋଜି ବିଭାଗର ମୁଖ୍ୟ ପ୍ରଫେସର ଡାକ୍ତର ଦତ୍ତେଶ୍ୱର ହୋତା ଏବଂ ତାଙ୍କ ଟିମ ପୁଣି ଏକ ଗୌରବ ଆଣି ଦେଇଛନ୍ତି ଓଡିଶା ଓ ଏସସିବିରେ । ପ୍ରଥମେ ମୃତ ବ୍ୟକ୍ତିର କିଡନୀକୁ ନେଇ ନିଶ୍ଚିତ ମୃତ୍ୟୁ ମୁଖକୁ ଯାଉଥିବା ଜଣେ ରୋଗୀର ଜୀବନ ବଞ୍ଚାଇବାରେ ସଫଳ ହୋଇଥିଲେ । ଏବେ ଆଉ ଏକ ବଡ ସଫଳତା ସେ ଆଣିଦେଇଛନ୍ତି । ଡକ୍ଟର. ହୋତା ଏପରି କାର୍ଯ୍ୟ କରି ଡାକ୍ତରୀ ବିଦ୍ୟାର ଚମତ୍କାରିତା ଦେଖାଇଛନ୍ତି ଯେଉଁଥିରେ ଓଡିଶାକୁ ଗୌରବ ମଣ୍ଡିତ କରିଛନ୍ତି । ଯାହା ଜାଣିଲେ ଆଶ୍ଚର୍ଯ୍ୟ ବି ଲାଗୁଛି । ଏକ କାଳୀନ ୨ଜଣ ରୋଗୀଙ୍କ ଦେହରେ କିଡନୀ ପ୍ରତିରୋପଣ କରିବାରୁ ସେ ରେକର୍ଡ ଅର୍ଜନ କରିଛନ୍ତି । ପୂବରୁ ସାଧାରଣତଃ ଜଣେ ବ୍ୟକ୍ତିର କିଡନୀ ପ୍ରତିରୋପଣ କରାଯିବାର ଦେଖାଯାଇଥିଲା । କିନ୍ତୁ ଏବେ ଡକ୍ଟର. ହୋତା ପ୍ରମାଣିତ କରାଇଦେଲେ ଯେ ,ଆବଶ୍ୟକ ହେଲେ ଏକ କାଳୀନ ୨ଜଣଙ୍କ ଶରୀରରେ କିଡନୀ ପ୍ରତିରୋପଣ କରାଯାଇପାରିବ । ଯାହା ଏସସିବି ହସ୍ପିଟାଲରେ ଗୁରୁବାର ସମ୍ଭବ ହୋଇଛି ଡକ୍ଟର. ହୋତାଙ୍କ ଟିମ ଦ୍ୱାରା ।
ଫେବୃୟାରୀ ୪ ତାରିଖରେ ଏସସିବିରେ ପ୍ରଥମ କାଡାଭରିକ ଟ୍ରାନ୍ସପ୍ଲାଣ୍ଟ ସଫଳତାର ସହ କରି ନୂଆ ଇତିହାସ ସୃଷ୍ଟି କରାଯାଇଥିଲା । ଗୁରୁବାର ଆଉ ଏକ ସଫଳତା ମିଳିଛି ଯେଉଁଥିରେ ୨ଜଣଙ୍କ ଶରୀରରେ କାଡାଭରିକ ଟ୍ରାନ୍ସପ୍ଲାଣ୍ଟ କରାଯାଇଛି । ପୁରୀ ଜିଲ୍ଲା ଡେଲାଙ୍ଗ ଥାନା ପାଟଣପୁର ଗ୍ରାମର ରାଜଲକ୍ଷ୍ମୀ ଦାଶ ଦୁର୍ଘଟଣାରେ ଗୁରୁତର ଭାବେ ଆହତ ହୋଇ ହାଇଟେକ ମେଡିକାଲରେ ଭର୍ତ୍ତି ହୋଇଥିଲେ । ରାଜଲକ୍ଷ୍ମୀଙ୍କର ମୁଣ୍ଡରେ ଗୁରୁତର ଆଘାତ ଲାଗିଥିଲା ଯାହାଫଳରେ ସେ କୋମାକୁ ଚାଲି ଯାଇଥିଲେ । ଡାକ୍ତର ତାଙ୍କୁ ବ୍ରେନ ଡେଡ ବୋଲି ଘୋଷଣା କରିଥିଲେ । ଏହାପରେ ପରିବାର ଲୋକେ ରାଜଲକ୍ଷ୍ମୀଙ୍କ ଅଙ୍ଗଦାନ ପାଇଁ ନିଷ୍ପତ୍ତି ନେଇଥିଲେ । ରାଜଲକ୍ଷ୍ମୀଙ୍କ ପରିବାର ଠାରୁ ସୂଚନା ପାଇ ସୋଟାକୁ ସୂଚନା ଦିଆଯାଇଥିଲା । ସୋଟାର ନୋଡାଲ ଅଫିସର ଏସସିବି ନେଫ୍ରୋଲୋଜି ବିଭାଗର ପ୍ରଫେସର ଡାକ୍ତର ଚିତ୍ତରଞ୍ଜନ କର ଏ ବାବଦରେ ଖବର ପାଇବା ପରେ ପ୍ରକ୍ରିୟା ଆରମ୍ଭ କରିଥିଲେ ।
ଏନେଇ ୟୁରୋଲୋଜି ବିଭାଗକୁ ଖବର ଦିଆଯାଇଥିଲା । ଗୁରୁବାର ସକାଳ ସାଢେ ୬ଟାରେ ୟୁରୋଲୋଜି ବିଭାଗର ପ୍ରଫେସର ଡାକ୍ତର ଦତ୍ତେଶ୍ୱର ହୋତାଙ୍କ ନେତୃତ୍ୱରେ ଏକ ୮ଜଣିଆ ଡାକ୍ତରୀ ଟିମ ହାଇଟେକ ମେଡିକାଲରେ ପହଞ୍ଚି ରାଜଲକ୍ଷ୍ମୀଙ୍କ ଶରୀରରୁ ୨ଟି କିଡନୀ କାଢିଥିଲେ । ସକାଳ ୮ଟା ୫୦ରେ ୨ଟି ଯାକ କିଡନୀ ନେଇ ଡକ୍ଟର. ହୋତାଙ୍କ ଟିମ ଏସସିବିରେ ପହଞ୍ଚିଥିଲେ । ପୂର୍ବରୁ ଏସସିବିରେ ୨ଜଣ କିଡନୀ ରୋଗୀଙ୍କୁ ପ୍ରସ୍ତୁତ କରି ରଖାଯାଇଥିଲା । ଜଣେ ହେଲେ ଢେଙ୍କାନାଳର ରତ୍ନାକର ମହାନ୍ତି (୫୯) ଓ ମୟୁରଭଞ୍ଜର ରୀତାମଣି ମହାନ୍ତ (୪୬) । ଏହି ୨ଜଣଙ୍କ ଶରୀରରେ ଏକକାଳୀନ ୨ଟି ଅପରେସନ ବେଡରେ ରଖି ଅସ୍ତ୍ରୋପଚାର କରାଯାଇ ପ୍ରତିରୋପଣ କରାଯାଇଥିଲା । ୨ଜଣଙ୍କ ଅବସ୍ଥା ଏବେ ସ୍ଥିର ଥିବା ଜଣାପଡିଛି । ଏହି ବିରଳ ଘଟଣାକୁ ନେଇ ଡାକ୍ତର ହୋତା ଏବଂ ତାଙ୍କ ଟିମକୁ ଚାରିଆଡୁ ପ୍ରଶଂସାର ସୁଅ ଛୁଟିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking