31.1 C
Bhubaneswar
Friday, March 29, 2024
Homeଏକ୍ସକ୍ଲୁସିଭ୍ଓଡ଼ିଶା ମାଟିର ଉଜ୍ୱଳ ତାରକା ଡାକ୍ତର ଦତ୍ତ୍ୱେଶ୍ୱର ହୋତା

ଓଡ଼ିଶା ମାଟିର ଉଜ୍ୱଳ ତାରକା ଡାକ୍ତର ଦତ୍ତ୍ୱେଶ୍ୱର ହୋତା

କଟକ: ଶ୍ରୀରାମଚନ୍ଦ୍ରଭଞ୍ଜ ମେଡିକାଲ କଲେଜ ବା ଏସସିବି ରଚିଛି ଡାକ୍ତରି ବିଦ୍ୟାରେ ନୂଆ ଇତିହାସ । ମଲା ଲୋକର କିଡନୀକୁ ନେଇ ଜଣେ ନିଶ୍ଚିତ ମୃତ୍ୟୁମୁଖକୁ ଯାଉଥିବା ବ୍ୟକ୍ତିକୁ ବଞ୍ଚାଇବାରେ ସଫଳ ହୋଇଛି  ।ଓଡିଶାରେ ମୃତ ବ୍ୟକ୍ତିଙ୍କ କିଡନୀ ପ୍ରତିରୋପଣ କରିବା ହେଉଛି ପ୍ରଥମ ଘଟଣା ଏସସିବିର ଏହି ବିରଳ ଘଟଣାକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା । ଓଡ଼ିଶାକୁ ଏହା ଆଣି ଦେଇଛି ଗୌରବ । ଓଡ଼ିଶା ଆଜି ଗର୍ବିତ । ରାଜ୍ୟ ସରକାର ମଧ୍ୟ ଏହାକୁ ନେଇ ବେଶ ଗୌରବାନ୍ୱିତ ବୋଧ କରୁଛନ୍ତି । ସବୁଆଡୁ ଏହି ଘଟଣାକୁ ନେଇ ଛୁଟିଛି ପ୍ରଶଂସାର ସୁଅ ।
ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଅଂଚଳର ପ୍ରିୟଙ୍କା ପାତ୍ର ନାମକ ମହିଳା ଦୁର୍ଘଟଣା ପରେ ଆପୋଲ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲାବେଳେ ତାଙ୍କର ବ୍ରେନ ଡେଡ ହୋଇଥିଲା । ତାଙ୍କ ପରିବାର ପ୍ରୀୟଙ୍କାଙ୍କ କିଡନୀ ଦାନ କରିବାକୁ ଜଣାଇବା ପରେ ସରକାର ପଦକ୍ଷେପ ନେଇଥିଲେ । ଡାକ୍ତର ହୋତା ସରକାରଙ୍କ ନିର୍ଦ୍ଦେଶକ୍ରମେ ଏସସିବିର ଏକ ଟିମ ନେଇ ଏକ ଆମ୍ବୁଲାନ୍ସ ଯୋଗେ ଆପୋଲ ଯାଇ ପ୍ରିୟଙ୍କାଙ୍କ ଗୋଟିଏ କିଡନୀ କାଢ଼ି ସିଧା କଟକ ଆସିଥିଲେ । କଟକ ଏସସିବିରେ ଚିକିତ୍ସିତ ହେଉଥିବା କ୍ଷୀରୋଦ ସାହୁଙ୍କ ଦେହରେ କିଡନୀ ପ୍ରତିରୋପଣ କରିଥିଲେ । ଭୋର ୫.୩୦ରୁ ଅସ୍ତ୍ରୋପଚାର କରାଯାଇ ସକାଳ ୭.୩୦ରେ ପ୍ରତିରୋପଣ କରିବାରେ ସଫଳ ହୋଇଥିଲେ ।
ଏସସିବି, ଓଡ଼ିଶା ଓ ରାଜ୍ୟ ସରକାରଙ୍କ ମୁଣ୍ଡରେ ସୁନା ମୁକୁଟ ପିନ୍ଧାଇ ଦେଇଥିବା ଏହି ସଫଳତାର ମୁଖ୍ୟ ବିନ୍ଧାଣି ଯାହାକୁ ନେଇ ସମସ୍ତେ ଗୌରବ ଅନୁଭବ କରୁଛନ୍ତି ସେ ହେଉଛନ୍ତି ଏସସିବି ୟୁରୋଲୋଜି ବିଭାଗର ମୁଖ୍ୟ ପ୍ରଫେସର ଡାକ୍ତର ଦତ୍ତେଶ୍ୱର ହୋତା । ଓଡ଼ିଶା ମାଟିର ଜଣେ ସୁଯୋଗ୍ୟ ସନ୍ତାନ ଏଭଳି ଜଣେ ନିଆରା ଡାକ୍ତରଙ୍କୁ ପାଇ କେବଳ ଏସସିବି ନୁହେଁ ଓଡ଼ିଶା ବି ଗର୍ବିତ । ଯେଉଁଠାରେ ସରକାରୀ ଡାକ୍ତରଖାନାକୁ ଲୋକେ ଯିବାକୁ ଭୟ କରନ୍ତି ଓ ମନରେ ଶଙ୍କା କରନ୍ତି ସେହି ସରକାରୀ ଡାକ୍ତରଖାନାରେ ସଫଳତାର ସହ କିଡନୀ ଭଳି ସ୍ପର୍ଷକାତର ପ୍ରତିରୋପଣ କାର୍ଯ୍ୟ ଅବ୍ୟାହତ କରିଛି ଏସସିବି । ଆଉ ଏହି କାର୍ଯ୍ୟ ନିରବଚ୍ଛିନ୍ନ ଭାବେ କରି ଚାଲିଛନ୍ତି ଡାକ୍ତର ହୋତା । ଏସସିବିରେ କିଡନୀ ପ୍ରତିରୋପଣ ସଫଳତାହାର ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ମାନ୍ୟତା ସହ ସମାନ । ଏଠାରେ ପ୍ରାୟ ୮୫ରୁ ୯୦ ପ୍ରତିଶତ ସଫଳତା ହାସଲ ହୋଇଥିବା ଜଣାପଡ଼ିଛି । ଡାକ୍ତର ହୋତା ଓ ତାଙ୍କ ସହଯୋଗୀଟିମ ରାଜ୍ୟର ଶତାଧିକ ଗରିବ ଲୋକଙ୍କ ଜୀବନ ବଞ୍ଚାଇବାରେ ସକ୍ଷମ ହୋଇଛନ୍ତି ।
ଡାକ୍ତର ହୋତା ଜଣେ ନିଆରା ମଣିଷ । ତାଙ୍କ ସମ୍ପର୍କରେ ଯେତେ କହିଲେ ବି କମ ହେବ । ଅନେକ ବୋଧହୁଏ ଜାଣି ନ ଥିବେ ଏହି ଡାକ୍ତରଙ୍କର ରୋଗୀ ସେବା ହେଉଛି ଏକ ନିଶା । ରାଜ୍ୟର ଦୁର୍ଗମ ଓ ମାଓଉପଦ୍ରୁତ ଅଂଚଳରେ ରହୁଥିବା ଗରିବ, ଅସହାୟ ରୋଗୀଙ୍କୁ ଅତି ଉଚ୍ଚମାନର ମାଗଣା ଚିକିତ୍ସା ସୁବିଧା ଦେବା ହେଉଛି ତାଙ୍କର ଆଉ ଏକ ଅନନ୍ୟ ପ୍ରତିଭା । କୌଣସି ପୁରସ୍କାର, ପ୍ରଚାର, ପ୍ରସାରର ଆଶା ନ ରଖି ନିରବଚ୍ଛିନ୍ନ ଭାବେ ସେ ରାଜ୍ୟର ବିଭିନ୍ନ ପ୍ରାନ୍ତର ବୁଲି କରିଚାଲିଛନ୍ତି ରୋଗୀସେବା । କଟକରେ ଚିତ୍ତଜ୍ଞାନୀ ଚ୍ୟାରିଟେବୁଲ ଟ୍ରଷ୍ଟ ନାମକ ଏକ ସ୍ୱେଚ୍ଛାସେବୀ ସଂସ୍ଥା ତାଙ୍କ ଉପଦେଷ୍ଟାରେ ଗଠନ ହୋଇଛି । ଏହି ସଂସ୍ଥା ମାଧ୍ୟମରେ ବର୍ତ୍ତମାନ ସୁଦ୍ଧା ରାଜ୍ୟର ୩୦ଟି ଜିଲ୍ଲା ମଧ୍ୟରୁ ୨୫ଟି ଜିଲ୍ଲାରେ ମାଗଣା ମେଗା ସ୍ୱାସ୍ଥ୍ୟ ମେଳା ସେ କରିସାରିଛନ୍ତି । ପ୍ରତିବର୍ଷ ଅନ୍ୟୁନ ୨ଟି ମେଗା ସ୍ୱାସ୍ଥ୍ୟମେଳା ସେ ଦୁର୍ଗମ ଅଚଂରେ କରୁଛନ୍ତି । କଟକ, ଭୁବନେଶ୍ୱର, ସମ୍ବଲପୁର ପ୍ରଭୃତି ଅଂଚଳର ନାମି ଦାମୀ ଅଭିଜ୍ଞ ବିଶେଷଜ୍ଞ ଓ ସୁପର ସ୍ପେସିଆଲିଟି ଡାକ୍ତରମାନଙ୍କୁ ନେଇ ଏହି ସ୍ୱାସ୍ଥ୍ୟମେଳାରେ ରୋଗୀଙ୍କୁ ମାଗଣା ଚିକିତ୍ସା କରିବାରେ ଡାକ୍ତର ହୋତାଙ୍କର କାର୍ଯ୍ୟ ମଧ୍ୟ ବେଶ ପ୍ରଶସଂନୀୟ । ମାଗଣା ସ୍ୱାସ୍ଥ୍ୟ ସେବା ସହ ଔଷଧ, ଚଷମା ମଧ୍ୟ ଦିଆଯାଇଥାଏ । ଗୋଟିଏ, ଦୁଇଟି ରୋଗ ନୁହେଁ ବିଭିନ୍ନ ପ୍ରକାରର ଏକାଧିକ ରୋଗର ଚିକିତ୍ସା କରାଯାଇଥାଏ । ଅନ୍ୟୁନ ୩୦ ଜଣରୁ ଆରମ୍ଭ କରି ୫୦ ଜଣଯାଏ ଅଭିଜ୍ଞ ଡାକ୍ତର ବିଭିନ୍ନ ବିଭାଗର ଯୋଗ ଦେଇଥାନ୍ତି ଏହି ସ୍ୱାସ୍ଥ୍ୟ ମେଳାରେ ।
ପ୍ରତି କ୍ୟାମ୍ପରେ ୨ ହଜାରରୁ ଆରମ୍ଭ କରି ୨୫ ଶହ ଓ ୩୦୦୦ ପର୍ଯ୍ୟନ୍ତ ରୋଗୀଙ୍କର ଚିକିତ୍ସା କରାଯାଇଥାଏ । ଲକ୍ଷାଧିକ ରୋଗୀଙ୍କୁ ଏପର୍ଯ୍ୟନ୍ତ ସେ ଚିକିତ୍ସା ସୁବିଧା ଦେବାରେ ସଫଳ ହୋଇଛନ୍ତି । ଓଡ଼ିଶା କଣ ଦେଶରେ ମଧ୍ୟ ଏଭଳି ସ୍ୱେଚ୍ଛାସେବୀ ସଂସ୍ଥା ନ ଥିବ ଯିଏ କି ଏଭଳି ବିପୁଳ ଅର୍ଥ ବ୍ୟୟକରି ଦୁର୍ଗମ ଅଂଚଳରୁ ଏତେ ସଂଖ୍ୟାରେ ଗରିବ ରୋଗୀଙ୍କୁ ଚିକିତ୍ସା ସୁବିଧା ଯୋଗାଉଥିବେ । ଏଭଳି ବିରଳ ବ୍ୟକ୍ତିଙ୍କୁ ରାଜ୍ୟ ଓ କେନ୍ଦ୍ର ସରକାର କେବେ ଚିହ୍ନୁଛନ୍ତି ତାହା ଦେଖିବାକୁ ବାକି ରହିଲା । ଓଡ଼ିଶା ମାଟିର ସୁଯୋଗ୍ୟ ସନ୍ତାନ ଡାକ୍ତର ହୋତାଙ୍କୁ ଯେତେ ପ୍ରଶଂସା କଲେ ବି କମ ହେବ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking